ସେବା କାଗଜକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଜୟପୁର: ସେବା କାଗଜ କଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଳ୍ପ ସଚିବ ଓ ଅନ୍ୟାନ୍ୟ ବିଭାଗୀୟ ସଚିବ ଙ୍କ ଉପସ୍ଥିତି ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ସେବା କାଗଜ କଳ ଥାପର ଗୃପ ଅଧିନସ୍ଥ ବିଲ୍ଟ୍ ମ୍ୟାନେଜମେଣ୍ଟ ରୁ ହାଇଦ୍ରାବାଦ ସ୍ଥିତ ମଦର୍ ଆର୍ଥ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନିକୁ ବ୍ୟବସାୟୀକ ଚୁକ୍ତି ବଳରେ ହସ୍ତାନ୍ତର ହୋଇଛି।

ତେବେ ଆଜି ପର୍ଯ୍ୟନ୍ତ ଜମିଜମା ସଂପର୍କିତ କାଗଜପତ୍ର ହସ୍ତାନ୍ତର ହୋଇନାହିଁ । ଏହି କାର୍ଯ୍ୟ ରାଜ୍ୟ ସରକାରଙ୍କ ଇଡକଲ୍ ବିଭାଗ କରିବ ଓ ସେଥିପାଇଁ ସମସ୍ତ ପଦକ୍ଷେପ ଜାରି ରହିଛି । ବିଳମ୍ବ ହେବା ଯୋଗୁଁ ଅର୍ଥ ସହାୟତାକାରୀ ବ୍ୟାଙ୍କ ବଳକା ଅର୍ଥ ପ୍ରଦାନ କରୁନାହିଁ । ଯାହା ଫଳରେ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ବାଧା ସୃଷ୍ଟି ହୋଇଛି। ଏପରିକି ଯେଉଁ ଠିକାଦାର ମାନେ ଆସି ମରାମତି କାର୍ଯ୍ୟ କରୁଥିଲେ ସେମାନେ ଲୋକ ଧରି ଚାଲିଗଲେଣି। ମେଣ୍ଟେନାନ୍ସ୍ ପାଇଁ ଯନ୍ତ୍ର ପାତି, ସ୍ପେୟାର୍ ପାର୍ଟସ୍ ଆସି ପାରୁନାହିଁ ।

ଯୋଜନା ମୁତାବକ ସେପ୍ଟେମ୍ବର ମାସରେ ଉତ୍ପାଦନ ଆରମ୍ଭ ହେବାର ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଅକ୍ଟୋବର ମାସ ସୁଦ୍ଧା ହେବ କି ନାହିଁ ସନ୍ଦେହ ସୃଷ୍ଟି କରିଛି। ଇଡକଲ୍ ପକ୍ଷରୁ ନୋ ଅବଜେକ୍ସନ୍ ସାର୍ଟିଫିକେଟ ବା ନୂଆ କମ୍ପାନିକୁ ସ୍ୱୀକୃତି ସମ୍ବନ୍ଧୀୟ ପତ୍ର ପ୍ରଦାନ କରିବା ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଦ୍ଵାରା ପତ୍ର ଲେଖିବା ପରେ ରାଜ୍ୟ ସ୍ତରରେ ନିଷ୍ପତ୍ତି ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ସେବା କାଗଜ କଳ ର ବିଲ୍ଟ୍ କମ୍ପାନୀ ନାଁରେ ଥିବା ୧୬୭ ଏକର ଜମି ନୂଆକମ୍ପାନି ନାମରେ ମ୍ୟୁଟେସନ୍ ହୋଇନାହିଁ । ଏହି କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମିଟିଂରେ ଯୋଗାଯୋଗ କରି ଶୀଘ୍ର କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଇଡିକଲର ସାର୍ଟିଫିକେଟ ମିଳିବା ପରେ ବ୍ୟାଙ୍କ ଅର୍ଥ ମିଳିବାରେ ବାଧା ଦୂର ହେବ ଏବଂ କାର୍ଯ୍ୟ ତ୍ୱରାନ୍ୱିତ ହେବ ।

କାଗଜ କଳ ଗତ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଧରି ବନ୍ଦ ପଡ଼ିଥିବା ବେଳେ ପ୍ରତି ମାସରେ ପ୍ରାୟ ଏକ କୋଟି ଟଙ୍କାର ବିଲ୍ ଆସୁଛି । ଏହିପରି ପ୍ରାୟ ୧୧୦୦ କୋଟି ଟଙ୍କା ଜଳକର ଓ ୫୦ କୋଟିରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଦେୟ ବିଲକୁ ସଠିକ୍ ଆକଳନ କରି ଏକକାଳୀନ ସମାଧାନ ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଇତି ମଧ୍ୟରେ ଜଳସେଚନ ବିଭାଗ କମ୍ପାନୀ ଯେତିକି ପାଣି ନେବ ତା ଉପରେ ବିଲ୍ କରିବା ପାଇଁ ନିର୍ଦ୍ଦେଶ ପତ୍ର ଜାରି କରିଛନ୍ତି । କମ୍ପାନିର ଲାଇସେନ୍ସ, ଇପିଏଫ୍ ନମ୍ବର୍ ଇତ୍ୟାଦି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ପ୍ରକାଶ ଥାଉ କି ୨୦୧୮ରୁ ଅବସର ନେଇଥିବା ଶ୍ରମିକ ମାନଙ୍କୁ ବକେୟା ପାଉଣା ମିଳିନାହିଁ ଓ ୨୦୨୦ ରୁ ଅବସର ନେଇଥିବା ଶ୍ରମିକ ମାନଙ୍କୁ ପେନ୍ସନ୍ ମିଳିପାରୁ ନାହିଁ । କୋରୋନା ମହାମାରୀ ପୃଷ୍ଠଭୂମିରେ ଶ୍ରମିକ ମାନଙ୍କୁ ବାହାରେ ରଖାଯାଇଛି । ପି ଏଫ୍ ରେଗୁଲାର ନକଲେ ପେନସନ୍ ମିଳିବ ନାହିଁ। ବିଧାୟକ ତାରା ପ୍ରସାଦ ବାହିନୀପତି ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଭୁବନେଶ୍ୱରରେ ରହି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଇବାରେ ପଦକ୍ଷେପ ନେଇଥିବା ଯୋଗୁଁ ଏବଂ ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ କରି ପଦକ୍ଷେପ ନେଇଥିବାରୁ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସମ୍ବନ୍ଧିତ ଖବର