ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କୁ ସେବା କାଗଜ କଳ ଶ୍ରମିକ କର୍ମଚାରୀ ଓ ସଂଗଠନର ନିବେଦନ : ଆମ ମିଲ୍ ପୁନଃ କାର୍ଯ୍ୟକ୍ଷମ କରାଅ

ଜୟପୁର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ସେବା କାଗଜ କଳ ଶ୍ରମିକ କର୍ମଚାରୀ ଓ ସଂଗଠନ ମାନଙ୍କ ଦ୍ୱାରା ପାଳିତ ହୋଇଛି । ଜୟପୁର ସହରର ମୁଖ୍ୟ ଟ୍ରାଫିକ ଛକ ରେ ବିଜୁ ବାବୁଙ୍କ ଫଟୋଚିତ୍ର ରେ ପୁଷ୍ପ ଅର୍ପଣ କରାଯାଇଥିଲା। ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସେବା କାଗଜ କଳ ଶ୍ରମିକ କର୍ମଚାରୀ ଓ ସଂଗଠନ ପକ୍ଷରୁ ମିଲକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନିବେଦନ କରାଯାଇଥିଲା। କାରଖାନା ଚାଲୁ କରିବା ଓ ସମସ୍ତ ଙ୍କୁ ଡ୍ୟୁଟି ଦେବା ପାଇଁ ଦାବି କରି ପ୍ରତିଦିନ ଶ୍ରମିକ କର୍ମଚାରୀ ମାନେ ଜୟପୁର ମୁଖ୍ୟ ଟ୍ରାଫିକ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତାହା ଆଜି ୨୦୬ ଦିନରେ ପହଚିଂଛି। ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ବିଜୁ ବାବୁଙ୍କୁ ସ୍ମୃତିଚାରଣ କରି କହିଥିଲେ ଯେ ଦୀର୍ଘ ଚାରି ବର୍ଷ କାଳ ପେପର ମିଲ୍ ବନ୍ଦ ରହିବା ପରେ ବିଜୁବାବୁଙ୍କ ପ୍ରତ୍ୟକ୍ଷ ଚେଷ୍ଟା ଫଳରେ ୧୯୯୨ରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା।

ଦୀର୍ଘ ପଚିଶ ବର୍ଷ କ୍ରମାଗତ ଚାଲିବା ପରେ ଏହି କାରଖାନା ୨୦୧୯ ଏପ୍ରିଲ ମାସରୁ ଏହା ବନ୍ଦ ରହିଛି । କର୍ମଚାରୀ ମାନେ ଦରମା ପାଇନଥିବା ବେଳେ ଅବସର ଗ୍ରହଣ କରିଥିବା ଶ୍ରମିକ ମାନେ ପେନସନ୍ ପାଇପାରୁ ନାହାନ୍ତି । ସେମାନଙ୍କର ଅନ୍ୟ ପ୍ରାପ୍ୟ ଭତ୍ତା, ଗ୍ରାଚ୍ୟୁଟି ଆଦି ପାଇବାରୁ ବଞ୍ଚିତ ହେଉଛନ୍ତି । ଅନେକ ଶ୍ରମିକ ଙ୍କ ପରିବାର ଉଜୁଡି ଯାଇଛି । ଏହାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା ସବୁ ସ୍ତରରେ ଜାରି ରହିଛି କିନ୍ତୁ କୌଣସି ସୁଫଳ ମିଳିନାହିଁ । ଏଥିମଧ୍ୟରେ କାରଖାନା ବିଲ୍ଟ ଗୃପ୍ ରୁ ବିକ୍ରି ହୋଇ ମଦର ଆର୍ଥ ନାମକ ଏକ କମ୍ପାନୀ ହାତକୁ ଯାଇଛି କିନ୍ତୁ ମାତ୍ର ୪୦ ଜଣ ଶ୍ରମିକ କାମକୁ ଯାଉଥିବା ବେଳେ ସେମାନଙ୍କ ଦରମା ଠିକ୍ ଭାବେ ମିଳୁନାହିଁ । ଗତ ମାର୍ଚ୍ଚ ମାସରେ ସାରା ଦେଶରେ ଲକ୍ ଡାଉନ୍ ସଟ୍ ର ସୁଯୋଗ ନେଇ କମ୍ପାନୀ ଶ୍ରମିକ କର୍ମଚାରୀ ମାନଙ୍କୁ ଡ୍ୟୁଟି ବନ୍ଦ କରିଥିବାବେଳେ ଆଜି ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କୁ ଡ୍ୟୁଟି ଯିବାକୁ ଦିଆଯାଉନାହିଁ। କମ୍ପାନୀ କର୍ତ୍ତୃପକ୍ଷ କହୁଛନ୍ତି କାମନାହିଁ ତେଣୁ ଡ୍ୟୁଟି କାହିଁକି ଦେବୁ ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡି ସ୍ଥାନୀୟ ବିଧାୟକ ପୁନଃ କାର୍ଯ୍ୟକ୍ଷମ ପାଇଁ ବି ଉଦ୍ୟମ ଜାରି ରଖିଛନ୍ତି। ଆଜି ଦିନରେ ବିଜୁ ବାବୁଙ୍କ ବଳିଷ୍ଠ ଅବଦାନକୁ ମନେ ରଖି ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଏ କାରଖାନା କୁ ପୁନଃ କାର୍ଯ୍ୟକ୍ଷମ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରମିକ ସଂଗଠନ ପକ୍ଷରୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର