ମଇ ୧ରୁ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସର୍ବେକ୍ଷଣ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଖୁବ୍ ଶୀଘ୍ର ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ (ଏସ୍ଇବିସି) ବର୍ଗଙ୍କ ସର୍ବେକ୍ଷଣ ଆରମ୍ଭ ହେବ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏନେଇ ସର୍ଭେ ଯୋଜନା ପ୍ରସ୍ତୁତ ଶେଷ ହେବ ଓ ମଇ ୧ ତାରିଖ ଠାରୁ ସର୍ବେକ୍ଷଣ ଆରମ୍ଭ ହେବ ବୋଲି ଜିଲ୍ଳାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ । ବୈଠକରୁ ମିଳିଥିବା ସୂଚନାନୁସାରେ, ପ୍ରତି ପୌର ପରିଷଦ, ବିଜ୍ଞପିତ ଅଂଚଳ ପରିଷଦ, ପଂଚାୟତ ସ୍ତରରେ ଗଣନା କେନ୍ଦ୍ର ଖୋଲାଯିବ । ଏହି କେନ୍ଦ୍ର ଗ୍ରାମାଂଚଳରେ ଥିବା ସୁଲଭମୂଲ୍ୟ ଦୋକାନ ନିକଟ ସ୍ମୁଲ ଗୁଡ଼ିକୁ ଚିହ୍ନଟ କରାଯାଇଛି । ଗ୍ରାମାଂଚଳରେ ଅଙ୍ଗନବାଡ଼ି କର୍ମୀ ଓ ସହରାଂଚଳରେ କର ଆଦାୟକାରୀ (ଟ୍ୟାକ୍ସ କଲେକ୍ଟର)ମାନେ ଗଣନାକାରୀ ଭାବେ ନିୟୋଜିତ । ଗ୍ରାମପଂଚାୟତରେ ଗୋଟିଏ କେନ୍ଦ୍ର ପିଛା ୩ରୁ ୫ଜଣ ଗଣନାକାରୀଙ୍କୁ ଅବସ୍ଥାପିତ କରାଯିବ । ଲୋକମାନେ ଏହି କେନ୍ଦ୍ରକୁ ଆସି ସେମାନଙ୍କର ଆବଶ୍ୟକ ତଥ୍ୟ ଓ ସୂଚନା ଦେଇପାରିବେ । ଗଣନାକାରୀଙ୍କ କାର୍ଯ୍ୟ ତଦାରଖ କରିବାକୁ ପରିଦର୍ଶକ ଭାବେ ବ୍ଲକ ସମ୍ପ୍ରସାରଣ ଅଧିକାରୀ କିମ୍ବା ଆଇସିଡିଏସ୍ ନିରୀକ୍ଷକ ନିୟୋଜିତ ହେବେ ।

ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ କହିଛନ୍ତି ଯେ ମାର୍ଚ୍ଚ ମାସ ସୁଦ୍ଧା ସର୍ଭେ ପ୍ଲାନ ପ୍ରସ୍ତୁତି ଶେଷ ହେବ । ଅପ୍ରିଲ୍ ୧ ତାରିଖ ଠାରୁ ଅପ୍ରିଲ୍ ୩୦ ସର୍ବେକ୍ଷଣ ସମ୍ପର୍କରେ ଜନସଚେତନତା କରାଯିବ । ମଇ ୧ ତାରିଖରୁ ସର୍ବେକ୍ଷଣ ଆରମ୍ଭ ହେବ । ସର୍ବେକ୍ଷଣ ତଥ୍ୟ ଡିଜିଟାଇଜେସନ୍ କରି ରାଜ୍ୟସ୍ତରରେ ଭୁବନେଶ୍ୱର ଠାରେ ଥିବା ମୁଖ୍ୟ କେନ୍ଦ୍ରକୁ ପଠାଯିବ ।

ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ, ଉପଜିଲ୍ଲାପାଳ (ଭୁବନେଶ୍ୱର) ଦେବବ୍ରତ ସାହୁ, ୧୦ଟି ତହସିଲର ତହସିଲଦାର, ବିଡିଓ ଓ ସିଡିପିଓ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର