ଦ୍ବିତୀୟ ଏମ୍ସ ପ୍ରସଙ୍ଗରେ କେନ୍ଦ୍ରକୁ ଦୋଷ ଲଦିଲେ ମନ୍ତ୍ରୀ, ୨୦୨୨-୨୩ରେ ମେଡିକାଲ କଲେଜ ନାମଲେଖା

ଚଳିତ ସେପ୍ଟେମ୍ବର ୨୬ ସୁଦ୍ଧା ସିଟ୍ ପାଇଁ ଆବେଦନ

ସୁନ୍ଦରଗଡ଼ : ‘କେନ୍ଦ୍ରୀୟ ଟିମ ର ଅନୁଧ୍ୟାନର ୫ ମାସ ବିତିଯିବା ପରେ ମଧ୍ୟ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ତେଣୁ ଏନଟିପିସି ସହ ରାଜ୍ୟ ସରକାରଙ୍କ ପୂର୍ବ ଚୁକ୍ତି ଅନୁଯାୟୀ ଆସନ୍ତା ବର୍ଷ ଠୁ ସୁନ୍ଦରଗଡ଼ ଠାରେ ଶହେ ଏମବିବିଏସ୍ ସିଟର ମେଡିକାଲ କଲେଜ ଓ ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ’। ଆଜି ବିଧାନସଭାରେ ଏହି ବିବୃତି ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ସେହିପରି ‘୨୦୨୨-୨୩ରୁ ନାମଲେଖା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଏଥିପାଇଁ ୨୭୧ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ ବ୍ୟବସ୍ଥା କରାଯାଉଛି ଓ ଆସନ୍ତା ସେପ୍ଟେମ୍ବର ୨୬ ସୁଦ୍ଧା ସରକାର ମେଡିକାଲ କଲେଜ ସିଟ୍ ପାଇଁ ଆବେଦନ କରିବେ’ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି। ମନ୍ତ୍ରୀଙ୍କ ଏହି ବିବୃତି ପରେ ସୁନ୍ଦରଗଡ଼ରେ ‘ଏମ୍ସ’ ପ୍ରତିଷ୍ଠା ସମ୍ଭାବନା କ୍ଷୀଣ ବୋଲି ଚର୍ଚ୍ଚା ହେଉଛି। କାରଣ ଦ୍ବିତୀୟ ଏମ୍ସ ପାଇଁ ପ୍ରସ୍ତାବ ଦେଇଥିବା ରାଜ୍ୟ ସରକାର କେନ୍ଦ୍ର ବୈଷୟିକ ଟିମ୍ ର ଅନୁଧ୍ୟାନ ପରେ କେନ୍ଦ୍ର ଉପରେ ଚାପ ପକାଇବା ବଦଳରେ ହଠାତ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରି ମେଡିକାଲ କଲେଜ ସ୍ଥାପନ ପାଇଁ ତତ୍ପର ହୋଇଛନ୍ତି। ତେବେ ସୁନ୍ଦରଗଡ଼ରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଏ ପଦକ୍ଷେପ ସ୍ବାଗତଯୋଗ୍ୟ, କିନ୍ତୁ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ପ୍ରସ୍ତାବ ଓ ଓଡ଼ିଶା ପାଇଁ ଏହା ସମ୍ମାନଜନକ ଦାବି ହୋଇଥିବାରୁ ସରକାର ସେ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି କହିଛି ‘ମିଶନ ଏମ୍ସ’ । ଏହିକ୍ରମରେ ଆମର ଏକମାତ୍ର ଦାବି ସୁନ୍ଦରଗଡ଼ରେ ‘ଏମ୍ସ’ ବୋଲି ‘ମିଶନ ଏମ୍ସ’ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ୨ ଶହ ଏକର ଜମି ଓ ଡିଏମଫ ଫଣ୍ଡରୁ ଟଙ୍କା ସହ ସମସ୍ତ ସାହାଯ୍ୟ ସହଯୋଗ କରିବା ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରକୁ ଚିଠି ଲେଖିବା ଓ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ଏହାକୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ନେବା ପାଇଁ ‘ମିଶନ ଏମ୍ସ’ ଦାବି କରିଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ମେଡିକାଲ କଲେଜ ଖୋଲିଲେ ମଧ୍ୟ ଏମ୍ସ ପାଇଁ ଉଠିଥିବା ସ୍ବର ବନ୍ଦ ହେବ ନାହିଁ, ଆଗକୁ ଏହାକୁ ଜୋରଦାର କରାଯିବ ବୋଲି ‘ମିଶନ ଏମ୍ସ’ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର