ଖୋର୍ଦ୍ଧା: ମୁକୁନ୍ଦପ୍ରସାଦ ଠାରେ ଥିବା ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଉଦଘାଟିତ ହୋଇ ଯାଇଛି। ଦଧିମାଛଗାଡ଼ିଆର ଦାରୁ ଜଗନ୍ନାଥ ବିହାର ଠାରେ ଗତକାଲି ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଡଃ. କମଲଜିତ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଉଚ୍ଚ ଓ ବୃତ୍ତିଗତ ଶିକ୍ଷାର ବିକାଶ କ୍ଷେତ୍ରରେ ଏଭଳି ଏକ ଆଇନ ମହାବିଦ୍ୟାଳୟର ଆବଶ୍ୟକତା ରହିଥିଲା ବୋଲି ମତ ବ୍ୟକ୍ତ କରିବା ସହ ମହାବିଦ୍ୟାଳୟ ପାଇଁ ଜମି ଯୋଗାଇଥିବା ମାନସ ରଞ୍ଜନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ ଚନ୍ଦ୍ର ସାମନ୍ତରାୟ, ପ୍ରତିଷ୍ଠାତା ସମ୍ପାଦକ ସୁଧୀର ମାନସିଂହ, ବ୍ରିଗେଡିୟର ଅଭିମନ୍ୟୁ ରାଉତ, ଡଃ. ବିଷ୍ଣୁଚରଣ ସାହୁ, ଡଃ. ରାଜେନ୍ଦ୍ରନାଥ ସାମନ୍ତରାୟ, ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ, ପଦ୍ମନାଭ ବିଶ୍ୱାଳ, ଇତିଶ୍ରୀ ସାହୁ ପ୍ରମୁଖଙ୍କ ସହ ଆଖପାଖର ଗ୍ରାମବାସୀ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଗିରିଶ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।