ଭଦ୍ରକ: ୧୮ ତାରିଖ ଶୁକ୍ରବାର ସକାଳ ୭ଟାରୁ ଦିନ ଗୋଟାଏ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଭଣ୍ତାରିପୋଖରୀ ବ୍ଲକରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏଇ ଦୁଇ ବ୍ଲକରେ ମୋଟ ୮ଟି ଜିଲ୍ଲା ପରିଷଦ ଜୋନ, ୫୯ଟି ପଞ୍ଚାୟତ ଓ ୭୯୨ଟି ୱାର୍ଡ ପାଇଁ ହେବ ନିର୍ବାଚନ। ଏଥିପାଇଁ ମୋଟ ୭୯୨ଟି ଭୋଟ ଦାନ କେନ୍ଦ୍ରରେ ମୋଟ ୨ ଲକ୍ଷ ୯୫ ହଜାର ୨୫୯ ଜଣ ଭୋଟର ସେମାନଙ୍କର ମତଦାନ କରିବେ। ଗୁରୁବାର ସଂଧ୍ୟା ସୁଦ୍ଧା ଏଇସବୁ ମତଦାନ କେନ୍ଦ୍ରରେ ବ୍ୟାଲେଟ୍ ବକ୍ସ ଓ ନିର୍ବାଚନ ପରିଚାଳନା କରିବା ପାଇଁ ସମସ୍ତ ସାମଗ୍ରୀ ଧରି ପୁଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଆଜି ରାତିରେ ପ୍ରିଜାଡିଂ ଅଫିସର, ପୁଲିଂ ଅଫିସର ଓ ଅନ୍ୟାନ୍ୟ କର୍ମଚାରୀମାନେ ନିର୍ବାଚନ ସଂପର୍କିତ କାଗଜପତ୍ର ପ୍ରସ୍ତୁତ ଆରମ୍ଭ କରିଛନ୍ତି।
ଶୁକ୍ରବାର ସକାଳ ୭ଟାରୁ ଆରମ୍ଭ ହେବ ଭୋଟ ଗ୍ରହଣ। ଏଥିପାଇଁ ମୋଟ ୩୪୭୨ ଜଣ କର୍ମଚାରୀ ନିର୍ବାଚନ ପରିଚାଳନା କରିବା ପାଇଁ ନିୟୋଜିତ ହୋଇଛନ୍ତି। ସେହିପରି ଏହିସବୁ ପୁଲିଂ ପାର୍ଟିକୁ ବୁଥକୁ ନେବା ପାଇଁ ୩୨୪୮ ଟି ଗାଡି ନିୟୋଜିତ କରାଯାଇଛି। ଉତ୍ତେଜନା ପ୍ରବଣ ବୁଥ୍ରେ ପୁଲିସ ପକ୍ଷରୁ କଡା ନଜର ରଖାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ୩୪ଟି ମୋବାଇଲ ଟିମ୍ ଗଠନ କରାଯାଇଥିବା ବେଳେ ୬ଟି ସୁପରଭାଇଜିଂ ଟିମ୍ ଗଠନ କରାଯାଇଛି। ସେହିପରି ୨ଟି ନୋଡାଲ ଅଫିସର ଟିମ୍ ଓ ୨ଟି ସେକ୍ଟର ଅଫିସର ଟିମ୍ ଗଠନ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଚାନ୍ଦବାଲି ବ୍ଲକର ୫ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରେ ରହିଛି ୧, ୨, ୩, ୪, ୫ ନମ୍ବର ଜିଲ୍ଲା ପରିଷଦ ଜୋନ। ସେହିପରି ୩୬ଟି ପଞ୍ଚାୟତ ଓ ୪୭୬ଟି ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ହେବ। ଏଥିପାଇଁ ଚାନ୍ଦବାଲି ବ୍ଲକରେ ମୋଟ ୧ ଲକ୍ଷ ୮୩ ହଜାର ୩୪୯ ଜଣ ଭୋଟର ସେମାନଙ୍କର ମତଦାନ ସବ୍ୟସ୍ତ କରିବେ।
ଭଣ୍ଡାରିପୋଖରୀ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରେ ରହିଛି ୨୨, ୨୩ ଓ ୨୪ ନମ୍ବର ଜିଲ୍ଲାପରିଷଦ ଜୋନ। ଏଇ ବ୍ଲକରେ ୨୩ଟି ପଞ୍ଚାୟତ ଓ ୩୧ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଭଣ୍ଡାରିପୋଖରୀ ବ୍ଲକରେ ମୋଟ ୧ ଲକ୍ଷ ୧୧ ହଜାର ୯୧୦ ଜଣ ଭୋଟର ମତଦାନ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୋଟ ୮୫୦ ଜଣ ହୋମ ଗାର୍ଡଙ୍କ ସହ ୧୦ ପ୍ଲାଟୁନ୍ ଫୋର୍ସ ୧୫୦ରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ମୁତୟନ କରାଯାଇଥିବା ବେଳେ ସୁଚାରରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ୫୦ ଜଣ ବରିଷ୍ଠ ଓ ଅଭିଜ୍ଞ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/election-fffaaa.jpg)