କାଲିଠାରୁ ଦ୍ୱିତୀୟ ପର୍ଯ୍ୟନ୍ତ ସଟ୍‌ଡାଉନ୍, ଓଳିଏ ଖୋଲିବ ପରିବା ଓ ତେଜରାତି ଦୋକାନ

ସୋମବାରଠୁ ଖୋଲିବ ବ୍ୟାଙ୍କ, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ୨ ପର୍ଯ୍ୟାୟ ବିଶିଷ୍ଟ ୧୦ ଦିନିଆ ସଟ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ପ୍ରଥମ ୪ ଦିନ ସଟ୍‌ଡାଉନ୍‌ ପ୍ରାୟତଃ ସଫଳ ହୋଇଛି। ଲୋକେ ଘରେ ରହିବା ସମୟରେ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ସର୍ଭେ କରାଯିବା ସହ ଲକ୍ଷଣଯୁକ୍ତ ଲୋକଙ୍କୁ ଚିହ୍ନଟ କରି କୋଭିଡ୍ ପରୀକ୍ଷା କରାଯାଇଛି। ରବିବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ସଟ୍‌ଡାଉନ୍ ଆରମ୍ଭ ହେବାକୁ ଯାଉଛି।

ଏହି ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ ହେବ। ସକାଳ ୬ଟାରୁ ଦିନ ୧ଟା ଯାଏ ପରିବା ଓ ତେଜରାତି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଏହାଛଡ଼ା ଦୁଗ୍‌ଧ ବୁଥ, ମେଡିସିନ୍‌ ଦୋକାନ ଆଦି ପୂର୍ବ ଭଳି ଖୋଲା ରହିବ। ଏହାଛଡ଼ା ସୋମବାରଠାରୁ, ବ୍ୟାଙ୍କ୍, ଜୀବନବୀମା କାର୍ଯ୍ୟାଳୟ ଆଦି ଖୋଲିବ। ତେବେ ୨୬ରୁ ୩୧ ତାରିଖ ଯାଏ ଚାଲିବାକୁ ଥିବା ଏହି ପର୍ଯ୍ୟାୟ ସଟ୍‌ଡାଉନ୍‌ରେ ପୂର୍ବ ଭଳି ଦୋକାନ, ବଜାର ତଥା ସାଧାରଣ ଯାତାୟତ ବନ୍ଦ ରହିବ। ସଉଦା କିଣିବା ବାହାନାରେ ଯଦି କେହି କୋଭିଡ୍ ନିୟମର ଉଲ୍ଲଂଘନ କରେ ତାହେ‌େ‌ଲ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ମହାନଗରର ୬ଟି ଥାନା ଅଞ୍ଚଳ ପାଇଁ ୪ ଜଣ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ସଂପୃକ୍ତ ଥାନା ଅଧିକାରୀ ଓ ପୁଲିସ୍‌ ଟିମ୍‌ ସହ ଏହି ମାଜିଷ୍ଟ୍ରେଟ୍‌ ମାନେ ନିଜ ନିଜ ଆବଣ୍ଟିତ ଅଞ୍ଚଳ ପରିଦର୍ଶନ କରି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ।

ଦ୍ବିତୀୟ ପର୍ଯ୍ୟାୟ ସଟ୍‌ଡାଉନ୍‌ରେ ବି କେହି ବିନା ଜରୁରୀ କାର୍ଯ୍ୟରେ ଘରୁ ବାହାରକୁ ବାହାରିବା ଉପରେ କଟକଣା ବଳବତ୍ତର ରହିବ। ଲେ‌ାକେ ଦୁଇଚକିଆ ବ୍ୟବହାର ନକରି ପାଦରେ ଚାଲିଚାଲି ନିକଟସ୍ଥ ପରିବା ବା ତେଜରାତି ଦୋକାନକୁ ସଉଦା କିଣିବା ପାଇଁ ଯିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ହେବ। ଏହି ସମୟରେ ମାଛ, ମାଂସ ଆଦି ଆମିଷ ଦୋକାନ ବନ୍ଦ ରହିବ। ହେଲେ ଔଷଧ, ତେଜରାତି ସାମଗ୍ରୀ, ହୋଟେଲ, ରେସ୍ତୋରାଁର ଖାଦ୍ୟ ପଦାର୍ଥ ଓ ପନିପରିବାର ହୋମ୍‌ଡେଲିଭେରି ପାଇଁ ଅନୁମତି ଦିଆଯାଇଛି। ସେହିପରି ସ୍ବିଗି, ଜମାଟୋ, ଫ୍ଲିପ୍‌କାର୍ଡ, ଆମାଜନ ଭଳି କମ୍ପାନିମାନେ ନିଜ ଉତ୍ପାଦ ଲୋକଙ୍କ ଘରେ ପହଞ୍ଚାଇ ପାରିବେ।

ଦ୍ବିତୀୟ ପର୍ଯ୍ୟାୟ ସଟ୍‌ଡାଉନ୍‌ରେ ଅମାନିଆଙ୍କୁ ଧରିବା ପାଇଁ କ୍ଷେତରାଜପୁର ଓ ଟାଉନ୍‌ ଥାନା ଅଞ୍ଚଳରେ ତହସିଲଦାର ଲକ୍ଷ୍ମଣ ଅମାତ, ବୁର୍ଲା ଓ ହୀରାକୁଦ ଥାନା ଅଞ୍ଚଳରେ ଅତିରିକ୍ତ ତହସିଲଦାର ମାନସ ସ୍ବାଇଁ, ଅଇଁଠାପାଲି ଥାନା ଅଞ୍ଚଳରେ ଅତିରିକ୍ତ ତହସିଲଦାର ସରୋଜା ବେହେରା, ଧନୁପାଲି ଥାନା ଅଞ୍ଚଳରେ ଆସିଷ୍ଟାଣ୍ଟ କଲେକ୍ଟର ଜ୍ୟୋତିର୍ମୟୀ ମଲ୍ଲିକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେମାନେ ସଂପୃକ୍ତ ଥାନାର ଅଧିକାରୀମାନଙ୍କ ସହ ମିଶି କୋଭିଡ୍ ନିୟମ ପାଳନକୁ ସୁନିଶ୍ଚିତ କରିବେ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟରେ ବି ଶୃଂଖଳା ଓ ସହଯୋଗ ଜାରି ରଖିବାକୁ ଜିଲ୍ଲାପାଳ ଶୁଭମ୍ ସକ୍‌ସେନା ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର