ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ୨ୟ ଲହର; ଦୈନିକ ସଂକ୍ରମଣ ୭୯, ସଂକ୍ରମିତଙ୍କ ୯୭ ପ୍ରତିଶତ ସ୍ୱଗୃହ ଏକାନ୍ତବାସ

ମୋଟ ସଂକ୍ରମଣର ୧୦ ପ୍ରତିଶତ ବାହାର ଜିଲ୍ଲାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ)ରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଖୋର୍ଦ୍ଧା ପୌର ପରିଷଦ ଓ ବ୍ଲକ ହଟ୍‌ସ୍ପଟରେ ପରିଣତ ହୋଇଛି। କ୍ରମାଗତ ଭାବେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ବ୍ଲକ ଓ ପୌରାଂଚଳ ଠାରୁ ସର୍ବାଧିକ ରହିଛି। ତେବେ ବାହାର ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମରୁ ଆସିଥିବା ସଂକ୍ରମିତଙ୍କୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି। ଆଜି ଜିଲ୍ଲା ଆପତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଗ୍ରାମାଂଚଳର ୧୦ଟି ସ୍ୱାବ୍ ପରୀକ୍ଷଣ କେନ୍ଦ୍ରରେ ମୋଟ ୪୩୯ଟି ରାପିଡ୍ ଆଂଟିଜେନ୍ ଓ ୩୪୯ଟି ଆର୍ଟି-ପିସିଆର୍ ପରିକ୍ଷଣ କରାଯାଇଥିଲା। ଏହା ମଧ୍ୟରୁ ୭୯ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ପୌରାଂଚଳ ଓ ବ୍ଲକରେ ୧୬, ଟାଙ୍ଗୀରେ ୧୧, ଜଟଣୀ ଓ ବାଲିଅନ୍ତାରେ ୯ଜଣ ଲେଖାଏଁ, ବାଲିପାଟଣାରୁ ୭, ଭୁବନେଶ୍ୱର ବ୍ଲକରୁ ୫, ବେଗୁନିଆରୁ ୩, ବୋଲଗଡ଼ରୁ ୨, ଚିଲିକା-ବାଲୁଗାଁରୁ ୬, ବାଣପୁରରୁ ୪, ଅନ୍ୟ ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମରୁ ଖୋର୍ଦ୍ଧାକୁ ଆସିଥିବା ୭ଜଣ ସଂକ୍ରମିତ ଅଛନ୍ତି।

ଏହା ସହ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭୭ ହୋଇଛି। ତେବେ ଗତ ୧୦ ଦିନ ମଧ୍ୟରେ ଖୋର୍ଦ୍ଧା ଗ୍ରାମାଂଚଳରେ ଚିହ୍ନଟ ହୋଇଥିବା ୪୨ଜଣ ସଂକ୍ରମିତ ବାହାର ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମରୁ ଆସିଛନ୍ତି। ସେମାନଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ୧୦ ପ୍ରତିଶତ। ବାହାର ଜିଲ୍ଲାରୁ ଆସିଥିବା ସଂକ୍ରମିତଙ୍କ ଟ୍ରାକିଂ ଓ ଟ୍ରେସିଂରେ ବିଳମ୍ବ ହେଉଥିବାରୁ ସଂକ୍ରମଣ ନିୟନ୍ତ୍ରଣ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ଖୋର୍ଦ୍ଧା ଗ୍ରାମାଂଚଳରେ ୨୦୨୦ ମଇ ୧୪ ତାରିଖରେ ପ୍ରଥମ ଥର ପାଇଁ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଅପ୍ରିଲ୍ ୨୪ ତାରିଖ ଅର୍ଥାତ୍ ଠିକ୍ ୧ ବର୍ଷ ମଧ୍ୟରେ ୩ ଲକ୍ଷ ୬ ହଜାର ୩୪୪ ଟି ସ୍ୱାବ୍ ପରୀକ୍ଷଣ କରାଯାଇଛି। ମୋଟ ପରୀକ୍ଷଣର ୧୪,୦୯୫ ଜଣ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ମୋଟ ପରୀକ୍ଷଣର ୪.୬ ପ୍ରତିଶତ ରହିଛି। ତେବେ ଏହା ମଧ୍ୟରେ ୫୭ଜଣଙ୍କ ମୃତ୍ୟୁ ଘଟିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ମୃତ୍ୟୁ ହାର ୦.୪୦ ପ୍ରତିଶତ ରହିଛି। ସେହିଭଳି ୬୨୪ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ୬ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର