ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଜିଲ୍ଲାରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ନେଇ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଥିଲା। କିନ୍ତୁ ଅମାନିଅଙ୍କ ଉପରେ ପଦକ୍ଷେପ ନେବାରେ ଢିଲା ଦେଖାଉଥିଲା। ଆଜି ପ୍ରଶାସନ ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବା ସହ ବସ୍, ଅଟୋ ଆଦି ଯାଂଚ କରାଯାଉଛି।

Advertisment

ସେହିଭଳି ସଂକ୍ରମଣ ପରେ ସଂକ୍ରମିତଙ୍କ ଟ୍ରାକିଂ, ଟ୍ରେସିଂ ଆଦିରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଉନଥିଲା। ଆଜି ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମାଂଚଳରେ ୮ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସଂକ୍ରମଣ ବ୍ୟାପିବା ଦିନ ଠାରୁ ଖୋର୍ଦ୍ଧା ଗ୍ରାମାଂଚଳରେ କଣ୍ଟେଟ୍‌ମେଣ୍ଟ ଆଦି ଘୋଷଣା ଓ ସଂକ୍ରମିତଙ୍କୁ ଚିହ୍ନଟ ଆଦି କରିବାରେ ପ୍ରଶାସନ ହେଳା କରିଥିଲା। ଏହା ସହ ଘରୋଇ ବସ୍, ଦୋକାନ ବଜାରରେ ଅମାନିଆ ଲୋକଙ୍କ ଉପରେ ପଦକ୍ଷେପ ନେବାରେ ମଧ୍ୟ ଢିଲା ଦେଖାଇଥିଲା।

ବର୍ତମାନ ପ୍ରଶାସନ ପକ୍ଷରୁ ଏନେଇ କଡ଼ାପଦକ୍ଷେପ ନେବା ଆରମ୍ଭ ହୋଇଛି। ତେବେ ପ୍ରଶାସନ ଏଭଳି ଢିଲା ନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରଥମ ସଂକ୍ରମଣରେ ଅନେକ କଥା ପ୍ରଶାସନ ହାତରେ ଥିଲା। ସଂକ୍ରମିତଙ୍କ ଚିହ୍ନଟ ଓ ସେମାନଙ୍କ ସମ୍ପର୍କୀୟଙ୍କ ପରୀକ୍ଷଣ ଆଦି ଉପରେ ନଜର ରଖାଯାଉଥିଲା। ବର୍ତମାନ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ଲୋକମାନେ କୌଣସି ଘରୋଇ ସଂସ୍ଥାରେ କିମ୍ବା ଅନ୍ୟ ସ୍ଥାନରେ ପରିକ୍ଷା କରି ଏଠାକୁ ଆସୁଛନ୍ତି। ସେମାନଙ୍କ ତଥ୍ୟ ମିଳିବାରେ ବିଳମ୍ବ ହେଉଛି। ଏହାସହ ସେମାନେ ସ୍ୱଗୃହ ଏକାନ୍ତବାସ ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସର୍ଭିଲେନ୍ସ ନଥିବାରୁ ସେମାନେ ଅନ୍ୟମାନଙ୍କ ସହ ମିଳାମିଶା କରୁଛନ୍ତି।

ଆଜି ପ୍ରଥମ ଥର ପାଇଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚିଲିକା ବ୍ଲକ ବାଲୁଆବନ୍ଦ, ଦୁଆନାଳ, ଲମ୍ବୋଦରପୁର, ବୋଲଗଡ଼ ବ୍ଲକର ତୃତୀୟ ପଡ଼ା, ଅରଖାପଲ୍ଲୀ, ଖୋର୍ଦ୍ଧା ବ୍ଲକର ପଲ୍ଲା, କେରଙ୍ଗ ଏବଂ ଖୋର୍ଦ୍ଧା ପୌର ପରିଷଦର ୧୧ ନମ୍ବର ୱାର୍ଡ଼ର ମଙ୍ଗଳାନଗରରେ ୨୩ ତାରିଖ ଠାରୁ ୨୯ ତାରିଖ ଯାଏଁ ମାଇକ୍ରୋ କଣ୍ଟେଟ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଗ୍ରାମାଂଚଳରେ ଚଳିତ ମାସ ୬ ତାରିଖରୁ କରୋନା ସଂକ୍ରମଣ ସମ୍ପର୍କରେ ସଚେତନତାକୁ ବ୍ୟାପକ କରାଯିବା ସହ ମାସ୍କ ଓ କୋଭିଡ୍ କଟକଣା ଯାଂଚ ଓ ଜୋରିମାନା ଆଦାୟ କରାଯିବା ଆରମ୍ଭ କରାଯାଇଥିଲା। ୨୨ ତାରିଖ ସୁଦ୍ଧା ୩ଲକ୍ଷ ୪୦ ହଜାର ୭୮୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ତେବେ ବେଗୁନିଆରେ ସର୍ବାଧିକ ୫୫ ହଜାର ୭୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଖୋର୍ଦ୍ଧା ବ୍ଲକରେ ୧୯ ହଜାର ୭୯୦ ଟଙ୍କା ଓ ପୌର ପରିଷଦରେ ୨୩, ୯୦୦ଟଙ୍କା, ବାଣପୁର ବ୍ଲକରେ ୩୪, ୮୦୦ଟଙ୍କା ଓ ଏନ୍ଏସିରେ ୩୧, ୭୦୦ଟଙ୍କା, ଚିଲିକା ବ୍ଲକରେ ୧୪, ୭୫୦ଟଙ୍କା ଓ ବାଲୁଗାଁ ଏନ୍ଏସିରେ ୨୩, ୯୦୦ଟଙ୍କା, ଜଟଣୀ ବ୍ଲକରେ ୨୨, ୬୦୦ ଟଙ୍କା ଓ ଜଟଣୀ ପୌରାଂଚଳରୁ ୧୫, ୯୦୦ ଟଙ୍କା ଆଦାୟ କରାଯାଇଛି।