ଖୋର୍ଦ୍ଧା: ଆଜି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ, ନିର୍ଦେଶକ ବି ପରମେଶ୍ୱରଙ୍କୁ ନେଇ ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲାଗସ୍ତ କରିବା ସହ ବେଗୁନିଆ, ଖୋର୍ଦ୍ଧା ଆଦି ଅଞ୍ଚଳର ବିଭିନ୍ନ ପାଇପ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ପ୍ରମୁଖ ସଚିବ ଶ୍ରୀ ଲୋହାନୀ, ନିର୍ଦେଶକ ବି ପରମେଶ୍ୱର, ଆର୍ଡବ୍ଲଏସ୍ଏସ୍ ମୁଖ୍ୟଯନ୍ତ୍ରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରୁ ସେ ପ୍ରଥମେ ବୈଦେଶ୍ୱର ଠାରେ ମହାନଦୀରୁ ପାନୀୟ ଜଳ ଆଣିବା ନିମନ୍ତେ ନିର୍ମାଣାଧୀନ ଇନ୍ଟେକ୍ ୱେଲର ପରିଦର୍ଶନ କରିଥିଲେ। ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଗେଡ଼ିଆପଲ୍ଲୀ ଠାରେ ନିର୍ମାଣାଧୀନ ଜଳ ବିଶୋଧନ କେନ୍ଦ୍ର ପରିଦର୍ଶନ କରିବା ପର ପଂଚାୟତ କାର୍ଯ୍ୟଳୟ ଓ ଗାଁରେ ଥିବା ମହିଳାଙ୍କ ଏକ ଧୂପକାଠି ଉତ୍ପାଦ କେନ୍ଦ୍ର ଗସ୍ତ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ। ପରେ ସିମୋର ଠାରେ ଏଲ୍ଆଣ୍ଡଟି ଦ୍ୱାରା ନିର୍ମାଣାଧୀନ ଜଳବିଶୋଧନ ପ୍ରକଳ୍ପ, ସିମୋର ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପାଇପ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିବା ପରେ ଫେରିବା ବାଟରେ ପୁବୁସାହିରେ ଗ୍ରାମୀଣ ପାର୍କର ପରିଦର୍ଶନ କରିଥିଲେ।
ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଓ ପରିମଳ ମିଶନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଶ୍ମିତା ଦାଶ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ବେଗୁନିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀ, ଓରମାସ୍ ସହକାରୀ ନିଦେ୍ର୍ଦଶକ ଗୁଣ୍ଡିଚା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଅପରାହ୍ନ ପ୍ରାୟ ୩ଟା ବେଳେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଅନେକ ପ୍ରକଳ୍ପ ଶେଷ ହୋଇନଥିବାରୁ ପ୍ରମୁଖ ସଚିବ ବିରକ୍ତ ପ୍ରକାଶ କରିବା ସହ ଏନେଇ ସମୟ ନିର୍ଦ୍ଧାରଣ କରି ଏହା ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦେଶ ଦେଇଥିଲେ।