ପୁଲିସ ଛାଉଣୀରେ ଗୁପ୍ତେଶ୍ବର, ୯ରୁ ୧୨ ପର୍ଯ୍ୟନ୍ତ ସୀମାନ୍ତରେ ଲାଗିଲା ୧୪୪: ଉପଜିଲ୍ଲାପାଳ

ଜୟପୁର: ପୁଣି ଥରେ କରୋନା ସଂକ୍ରମଣ ଲେଉଟିବା ଘଟଣାକୁ ଦୃୃଷ୍ଟିରେ ରଖି ଭୟରେ ପ୍ରଶାସନ ପକ୍ଷରୁ ଆସନ୍ତାକାଲି ମହାଶିବରାତ୍ରୀ ପାଇଁ ନିଆଯାଇଛି କଡ଼ା ପଦକ୍ଷେପ। ରାଜ୍ୟର ପ୍ରମୁଖ ଶୌବପୀଠ ମଧ୍ୟରୁ ଗୁପ୍ତେଶ୍ବରରେ ଏଥରକ ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଯିବାକୁ ପ୍ରଶାସନ ବାରଣ କରିଛି।

ପୁଲିସ ଛାଉଣୀ ମଧ୍ୟରେ ଗୁପ୍ତେଶ୍ବରକୁ ଆବଦ୍ଧ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଛତିଶଗଡ, ଆନ୍ଧ୍ର ପ୍ରଦେଶ , ତେଲଙ୍ଗାନାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ଏଠାକୁ ମହାଶିବରାତ୍ରି ଜାଗର ବ୍ରତରେ ସାମିଲ ହେବାକୁ ଆସିଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ଛତିଶଗଡ ସୀମାନ୍ତରେ ଅଞ୍ଚଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ହେମକାନ୍ତ ସୟ।

ସେଭଳି ମନ୍ଦିର ମଧ୍ୟକୁ ସାଧାରଣଭକ୍ତଙ୍କୁ ସଂପୁର୍ଣ୍ଣ ରୁପେ ଯିବାକୁ ମନା ରହିଛି। ପୁଲିସ ପକ୍ଷରୁ ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୨ଜଣ ଅଧିକାରୀ, ୪ପ୍ଲାଟୁନ୍ ଫୋର୍ସ, ଓଡ୍ରାଫ ଟିମ୍ ଆଦି ନିୟୋଜିତ କରାଯିବ ବୋଲି କହିଛନ୍ତି ଏସଡିପିଓ ଅରୁପ ଅଭିଶେଖ ବେହେରା। ପୁରା ମନ୍ଦିରରେ କେବଳ ସେବାୟତମାନେ ଯାଇ ରୀତିନୀତି ଅନୁଯାୟୀ ପୂଜା-ଅର୍ଚ୍ଚନା କରିବେ ବୋଲି କହିଛନ୍ତି ଉପଜିଲ୍ଲାପାଳ ଏବଂ ଦେବୋତ୍ତର ଅଧିକାରୀ ତଥା ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ।

ସମ୍ବନ୍ଧିତ ଖବର