ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀଙ୍କ ମନ୍ତବ୍ୟଙ୍କୁ ନେଇ ଗୋସାଇଁ ନୂଆଗାଁରେ ଉତ୍ତେଜନା, ୧୪୪ ଧାରା ଜାରି

ଲୋକଙ୍କ ରାସ୍ତାରୋକ, ଆଲୋଚନା ପରେ ମାମଲା ସମାଧାନ

ବ୍ରହ୍ମପୁର: ଗୋସାାଇଁ ନୂଆଗାଁର ଆରାଧ୍ୟ ଦେବୀ ମା’ କାଳୁଆଙ୍କ ଯାତ୍ରା ଆାଜି ମଧ୍ୟରାତ୍ରୀରୁୁ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମହାନଗର ନିଗମ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଏପରିକି ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ପୂର୍ବରୁ ବିଏମ୍‌ସି ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ମା’ ବିମାନରେ ହିଁ ଅସ୍ଥାୟୀ ମନ୍ଦିରକୁ ଆସିବେ ବୋଲି ନିଷ୍ପତ୍ତି ହୋଇଥିଲା। ସେପଟେ ଯାତ୍ରା ସମୟରେ ଲୋକଙ୍କ ଭିଡ଼କୁ ଏଡ଼ାଇବା ପାଇଁ ପ୍ରଶାସନ ତରଫରୁ ଯାତ୍ରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ଆଜି ରାତି ୧୧ଟାରୁ ୧୨ଘଣ୍ଟା ମଧ୍ୟରେ ମାତ୍ର ୭ଜଣଙ୍କ ଗହଣରେ ମା’ ମନ୍ଦିରରୁ ବାହାରି ଅସ୍ଥାୟୀ ମଣ୍ଡପକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ହେଲେ ସଂଧ୍ୟାରେ ନିଗମ ଏନଫୋର୍ସମେଣ୍ଟ ଅଧିକାରୀ ତରୁଣ କାନ୍ତ ଅସ୍ଥାୟୀ ମନ୍ଦିରକୁ ଆସି ଯାତ୍ରାର ସ୍ଥିତି ସ˚ପର୍କରେ ଅନୁଧ୍ୟାନ କରିବା ସହ ମା’ଙ୍କୁ ପାରମ୍ପରିକ ବିମାନରେ ନଆଣି ଗାଡିରେ ଆଣିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ଥିବା ମା’ଙ୍କୁ କିପରି ଗାଡ଼ିରେ ଅଣାଯିବ ତାହାକୁ ନେଇ ଆରମ୍ଭ ହୋଇଥିଲା ବାଦବିବାଦ।

ଅଧିକାରୀଙ୍କ ଏଭଳି ଆଚରଣରେ ଅଞ୍ଚଳବାସୀ କ୍ଷୁବ୍ଧ ହୋଇ ରାଜରାସ୍ତାକୁ ଆସି ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିଲେ। ଅଞ୍ଚଳବାସୀଙ୍କ କହିବାନୁଯାୟୀ ପାରମ୍ପରିକ ବିଧି ଅନୁଯାୟୀ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମା’ ପୂର୍ବରୁ ଯେଭଳି ବିମାନରେ ଆସି ଅସ୍ଥାୟୀ ମନ୍ଦିରରେ ବିରାଜମାନ କରୁଥିଲେ ତାହା କିପରି ପରିବର୍ତ୍ତନ ହେବ। ମା’ଙ୍କୁ କାହିଁକି ଗାଡିରେ ଅଣାଯିବ। ଏହାଦ୍ବାରା ପରମ୍ପରା ଭଙ୍ଗ ହେବା ସହ ମା’ଙ୍କ ଆଗମନ ଦର୍ଶନରୁ ଅଞ୍ଚଳବାସୀ ବଞ୍ଚିତ ରହିବେ ବୋଲି ଅଭିଯୋଗ କରିଥିଲେ। ଯଦି ପରମ୍ପରା ଅନୁଯାୟୀ ଯାତ୍ରା କରିବାକୁ ଅନୁମତି ମିଳିଲା ତେବେ ନୀତିକାନ୍ତିକୁ କିପରି ବନ୍ଦ କରାଯିବ ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଥିଲେ।

ପ୍ରାୟ ୨ଘଣ୍ଟା ଧରି ଅଞ୍ଚଳବାସୀ ଗୋସାଇଁ ନୂଆଗାଁ ମୁଖ୍ୟରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ବ୍ରହ୍ମପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କ ସହିତ ଆଲୋଚନା କରି ମାମଲା ସମାଧାନ କରିଥିଲେ। ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ବ୍ରହ୍ମପୁର ତହସିଲଦାର ସିପକ ପାତ୍ର, ଏସଡିପିଓ ବିଷ୍ଣୁପ୍ରସାଦ ପତି, ଗୋସାଇଁନୂଆଗାଁ ଥାନାଧିକାରୀ ସୁମିତ କୁମାର ସୋରେନ୍‌ଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର