ଅପର ଜୋଙ୍କ ପାଣି ବିବାଦ: ପତୋରା ଡ୍ୟାମରେ ୧୪୪ ଲାଗୁ, ଫୋର୍ସ ଉପସ୍ଥିତିରେ ୯ଟି ଆଉଟଲେଟ ବନ୍ଦ

ଧାରଣାରୁ ଉଠିଲେ ତଳମୁଣ୍ଡ ଚାଷୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହା ନୂଆପଡ଼ା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ହେବାରେ ଲାଗିଥିଲା। ଉଭୟ ମୁଣ୍ଡ ଚାଷୀ ନିଜ ନିଜ ଜିଦରେ ଅଟଳ ଥିଲେ। ଚଳିତ ବର୍ଷ ତଳମୁଣ୍ଡ ଚାଷୀଙ୍କୁ ପାଣି ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଦିଆଯାଇ ନଥିବାରୁ ଚାଷୀମାନେ ୩୦ ଜାନୁଆରିରୁ ୪ଟି ସ୍ଥାନରେ ରାସ୍ତାରୋକ କରିଥିଲେ। ନୂଆପଡ଼ାରୁ ପତୋରାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ମାଟି ଏବଂ ଗଛ ପକାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଥିଲେ।

ଜିଲ୍ଲା ପ୍ରଶାସନ ତଳମୁଣ୍ଡକୁ ପାଣି ଦେବା ସହ ଉପରମୁଣ୍ଡରେ ଥିବା ୧୦ଟି ଆଉଟଲେଟ୍‌କୁ ବନ୍ଦ କରିବାକୁ ଦାବି କରିଥିଲେ। ଧାରଣାର ୪ ଦିନ ପରେ ବୁଧବାର ୧୪୪ ଧାରା ଜାରି କରାଯାଇଥିଲା। ନୂଆପଡ଼ା ଏସପି ରାହୁଲ ଜୈନଙ୍କ ନିର୍ଦେଶରେ ଏବଂ ଉପଜିଲ୍ଲାପାଳ ତରଣୀସେନ ନାଏକ, ଏଏସପି ସୁନୀଲ ଆଚାର୍ଯ୍ୟ, ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକଙ୍କ ଉପସ୍ଥିତିରେ ୫ ପ୍ଲାଟୁନ ଫୋର୍ସ ଲଗାଇ ବୁଧବାର ସକାଳ ୫ରୁ ୭ଟା ପର୍ଯ୍ୟନ୍ତ ଭାଙ୍ଗିଥିବା ୧୦ଟି ଆଉଟଲେଟ ମରାମତି କରାଯାଇଥିଲା। ପରେ ୯ଟି ଆଉଟଲେଟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇ ଡ୍ୟାମ୍‌ରୁ ପାଣି ଛଡ଼ାଯାଇଥିଲା। ତଳମୁଣ୍ଡକୁ ପାଣି ପହଞ୍ଚିବା ପରେ ୪ଟି ସ୍ଥାନରେ ଧାରଣାରେ ବସିଥିବା ଚାଷୀମାନେ ଉଠିଥିଲେ। ଅନ୍ୟପକ୍ଷେ, ଗୁରୁବାର ଉପରମୁଣ୍ଡର ଚାଷୀମାନେ ୪ ଦଫା ଦାବି ନେଇ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା‌ ଜଣାପଡ଼ିଛି।

ସମ୍ବନ୍ଧିତ ଖବର