ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ୪୦ଟି ଗେଟ୍‌ ଦେଇ ପାଣି ଛଡ଼ାଯିବା ପରେ ୩ ଦିନ ହେବ ମହାନଦୀ ଦ୍ବିତୀୟ ସେତୁ ଉପରେ ଏବଂ ରିଂ ରୋଡ୍‌ର ନେଲସନ୍‌ ମାଣ୍ଡେଲା ଛକରୁ ନେଇ ଦୁର୍ଗାପାଲି ଛକ ଯାଏ ‌ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଥିଲା। ଲୋକେ କରୋନା କଟକଣା ଭୁଲି ସାମାଜିକ ଦୂରତ୍ବ ନରଖି ମହାନଦୀ କୂଳରେ ଯାଇ ଫଟୋ ଉଠାଉଛନ୍ତି। ଏନେଇ ଦୁଇ ଦିନ ତଳେ ସମ୍ବାଦରେ ‘ ରିଂ ରୋଡ୍‌ରେ ଷଷ୍ଠୀ ଭିଡ଼’ ଶୀର୍ଷକ ଖବର ପ୍ରକାଶ ପାଇଥିଲା।

Advertisment

publive-image

ଏହି ଘଟଣାକୁ ଆଖି ଆଗରେ ରଖି ରବିବାର ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାନଦୀ ଦ୍ବିତୀୟ ସେତୁ ଓ ରିଂ ରୋଡ୍‌ର ନେଲସନ୍‌ ମାଣ୍ଡେଲା ଛକରୁ ଦୁର୍ଗାପାଲି ଯାଏ ରାସ୍ତାରେ ୧୪୪ ଧାରା ଲାଗୁ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଅଞ୍ଚଳରେ କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି। ଏହି ଆଇନ୍‌ର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଳେଖ ରହିଛି।