ଜୟପୁର: ଗତ ଦୁଇ ଦିନ ତଳେ ଆନୁଷ୍ଠାନିକ ଭାବେ ପ୍ରଶାସନ ପକ୍ଷରୁ ଖରିଫ ମଣ୍ଡି ଆରମ୍ଭ ହୋଇଥିଲେ ହେଁ ଗୋଟିଏ ବି ମଂଜି ଧାନ ଉଠି ନାହିଁ। ଦୀର୍ଘ ଦିନ ହେବ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ପ୍ରାୟ ୧୯ଲକ୍ଷ ୨୬ହଜାର କ୍ବିଣ୍ଟାଲ ଧାନ କିଣିବାକୁ ଅନୁମତି ଦେଇଛନ୍ତି। ମଣ୍ଡି ଆରମ୍ଭ ପୂର୍ବରୁ ଜିଲ୍ଲାପ୍ରଶାସନ ଯେଭଳି ପ୍ରସ୍ତୁତ ହେବା କଥା ଏ ପର୍ଯ୍ୟନ୍ତ ହୋଇ ନାହିଁ। ମଣ୍ଡି ଆରମ୍ଭ ପୂର୍ବରୁ ହିଁ କ୍ରୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା ସ୍ବୟଂ ସହାୟକ ଦଳ ଓ ପାଣି ପଂଚାୟତକୁ ‘ସାସ୍’ (ସଫଟୱେର ଏଜ୍ ଏ ସର୍ଭିସ) ସହ କେତେ ପରିମାଣର ଧାନ କିଣିବେ ସେ ନେଇ ଧାର୍ଯ୍ୟ ତାଲିକା ଦେଇ ଦେବା କଥା। ମଣ୍ଡି ଆରମ୍ଭ ପୂର୍ବରୁ ହିଁ କ୍ରୟକାରୀ ସଂସ୍ଥା ଠାରୁ ଧାନ ନେଇ ଚାଉଳ ଦେବାକୁ ଥିବା ମିଲର୍ସଙ୍କ ସହ ପୂର୍ବରୁ ହିଁ ଜିଲ୍ଲା ଯୋଗାଣ ବିଭାଗ ଆଲୋଚନା କରି ଆବଶ୍ୟକ ବ୍ୟାଙ୍କ ଗ୍ୟାରେଣ୍ଟି ନେଇ ଚୁକ୍ତିନାମା କାମ ଶେଷ କରିବା କଥା। ମଣ୍ଡି ଆରମ୍ଭର ଦୁଇ ଦିନ ପରେ ବି ମିଲର୍ସଙ୍କ ସହ ଚୁକ୍ତି କାମ ସରିନାହିଁ।

Advertisment

କୋରାପୁଟ  ଜିଲ୍ଲାର ୯୭ଟି ମିଲର୍ସଙ୍କ ମଧ୍ୟରୁ ୮୩ଜଣ ଆଜି ସଂଧ୍ୟା ସୁଧା ଚୁକ୍ତି କରିଛନ୍ତି। ଏବେ ବି ଆଉ ୧୪ଟି ମିଲର୍ସ ଚୁକ୍ତି କରିବାରେ ବାକି ରହିଛି। ୮୩ଟି ମିଲର୍ସ ମଧ୍ୟରୁ ଆଗୁଆ ଚୁକ୍ତି କରି ସାରିଥିବା ମିଲର୍ସଙ୍କୁ ପୂର୍ବରୁ ‘ମାସ୍’ (ମୋବିଲିଟି ଏଜ୍ ଏ ସର୍ଭିସ) ମଣ୍ଡି ଆରମ୍ଭ ପୂର୍ବରୁ ହିଁ ଦେଇ ମଣ୍ଡି ପାଇଁ ପ୍ରସ୍ତୁତ ରହିବା କଥା ବୋଲି କହୁଛନ୍ତି ଚାଷୀ। ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ୍ ଆସି ସାରିଥିବା ବେଳେ ମଣ୍ଡି ଆରମ୍ଭ ହୋଇନଥିବାରୁ ଚାଷୀ ମାନେ ଏବେ ଧାନ ବିକ୍ରି କରି ପାରୁନାହାନ୍ତି। ଦିନକ ବିକ୍ରି କରି ନ ପାରିଲେ ତାପର ଦିନ ପୁଣି ବିକ୍ରୀ କରିବା ବହୁତ ମୁସ୍କିଲ ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ସେମାନେ କରିଥିବା ଚାଷ ଜମି ‌ଧାନ-୧,ଧାନ-୨,ଧାନ-୩ ଜମିର ପରିସୀମା ଓ ଉତ୍ପାଦିତ ଧାନ ଠାରୁ ବହୁ କମ୍ ପରିମାଣର ଧାନ ବିକ୍ରି ପାଇଁ ଟୋକନ୍ ମେସେଜ୍ ଆସିଛି। ହର୍ଦ୍ଧଳୀର ଚୈତନ ଗୌଡ ୮ଏକର ୫୬ସେଣ୍ଟ ଜମିରେ ଚାଷ କରିଥିବା ବେଳେ ୧୦୪ କ୍ବିଣ୍ଟାଲ ସ୍ଥାନରେ ତାଙ୍କୁ କେବଳ ୪୪ କ୍ବିଣ୍ଟାଲ ବିକ୍ରି ପାଇଁ ଟୋ‌କନ୍ ଆସିଛି।

ସେହିପରି ବୋରିଗୁମ୍ମାର ଗୋପି ଗାଧବା ୮ଏକର ୨୫ସେଣ୍ଟ ଜମିରେ ୧୫୭ କ୍ବିଣ୍ଟାଲ ସ୍ଥାନରେ ୭୫ କ୍ବିଣ୍ଟାଲ, ରାଣୀଗଡ଼ର ଚନ୍ଦ୍ର ନାୟକ ୫ଏକର ଜମିର ୪୫ କ୍ବିଣ୍ଟାଲ ସ୍ଥାନରେ ୪ କ୍ବିଣ୍ଟାଲ, ନୂଆପୁଟର ନୀଳକଣ୍ଠ ବିଷୋୟୀ ୬ଏକର ଜମିର ୧୫୦ କ୍ବିଣ୍ଟାଲ ସ୍ଥାନରେ ୧୭ କ୍ବିଣ୍ଟାଲ, କୃପା ନାୟକ ୬ଏକର ୬୦ସେଣ୍ଟ ଜମିର ୭୮ କ୍ବିଣ୍ଟାଲ ସ୍ଥାନରେ ୪୭ କ୍ବିଣ୍ଟାଲ, କେରାପୁଟର ପ୍ରହ୍ଲାଦ ମୁଡେଇ ୪ଏକର ୧୩ସେଣ୍ଟ ଜମିର ୫୨ କ୍ବିଣ୍ଟାଲ ସ୍ଥାନରେ ଆସିଛି ୧୩ କ୍ବିଣ୍ଟାଲ। ବଳକା ଧାନ କେଉଁଟିକି ନେଇ ବିକ୍ରି କରିବେ ବୋଲି ଏହି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ‌ ଆଉ କିଛି ଗାଁର ବହୁ ଚାଷୀଙ୍କୁ ଟୋ‌କନ ଆସି ସାରିଥିବା ବେଳେ ଅଳ୍ପ କିଛି ଚାଷୀଙ୍କୁ ଜମାରୁ ଟୋକନ୍ ଆସି ନଥିବା ପାମ୍ପୁଣୀର ପ୍ରତାପ ପ୍ରଧାନ, ରାଜାମଣି ବେହେରା, ବାଜିଗୁଡାର ଲଛମନ ରନ୍ଧାରୀ, କୋଟପାଡର ରବି ନାୟକ କହିଛନ୍ତି। ଏହି ଚାଷୀ ମାନେ ଏଭଳି ଅଭିଯୋଗ ନେଇ ଡିଆରସିଏସ୍ (ଉପନିବନ୍ଧକ, ସମବାୟ ସମିତି)ଙ୍କ କାର୍ଯ୍ୟାଳୟରେ ‌ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ପଂଜୀକରଣ କରିଥିବା କ୍ରୟକାରୀ ସଂସ୍ଥା ଓ ଡିଆରସିଏସ୍ କାର୍ଯ୍ୟାଳୟରେ କିଛି ଜାଲ୍ କରିବା ଯୋଗୁଁ ଚାଷୀ ମାନଙ୍କର ଏଭଳି ଅବସ୍ଥା ହୋଇଛି ବୋଲି କୋଟପାଡ଼, ବୋରିଗୁମ୍ମା, କୁନ୍ଦ୍ରା ଅଂଚଳର ଚାଷୀ ମାନେ ଉତ୍ତେଜିତ ହୋଇ ଡିଆସିଏସ୍ କାର୍ଯ୍ୟାଳୟରେ ପାଟି ତୁଣ୍ଡ କରୁଥିବା ଦେଖିବାକୁ ମିଳିଛି।