ବେଗୁନିଆ ତହସିଲ କାର୍ଯ୍ୟାଳୟ କାମରେ ଲାଗୁଛି ଜବତ ମାଙ୍କଡ଼ା ପଥର

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ବେଆଇନ ଚାଲାଣ ବେଳେ ଧରାପଡ଼ୁଥିବା ମାଙ୍କଡ଼ା ପଥର ସରକାରୀ କାମରେ ଲାଗୁଛି। ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଯାନବାହନ ରଖିବା ପାଇଁ ନିର୍ମିତ ସେଡ୍ ଓ ପାଚେରୀ ଆଦି କାମରେ ଏହା ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଅସଂଖ୍ୟ ବେଆଇନ ମାଙ୍କଡ଼ା ପଥର ଖଣି। ଦୈନିକ ଶତାଧିକ ଟ୍ରକ, ଟ୍ରାକ୍ଟରରେ ପଥର ଚାଲାଣ ହେଉଛି। ଏହା ମଧ୍ୟରୁ କିଛି ଧରାପଡ଼ୁଛି। ଯେଉଁ ମାଙ୍କଡ଼ାପଥର ସହ ଗାଡ଼ି ଧରାପଡ଼ୁଛି, ଉକ୍ତ ଗାଡ଼ିର ମାଲିକ ନିର୍ଦ୍ଧାରିତ ଜୋରିମାନା ଦେଇ ଗାଡ଼ି ଓ ମାଙ୍କଡ଼ା ପଥର ମୁକୁଳାଇ ନେଉଛି। ଯେଉଁ ସାମଗ୍ରୀର କେହି ଦାବିଦାର ନଥିବେ ନିୟମାନୁସାରେ, ସେହି ମାଙ୍କଡ଼ା ପଥରର ସର୍ବସାଧାରଣ ନିଲାମ ହେବ ଓ ଅର୍ଥ ସରକାରୀ ରାଜକୋଷକୁ ଯିବ। ଅପରପକ୍ଷରେ, ସରକାରୀ କାମ ପାଇଁ ମଧ୍ୟ ଅନୁରୂପ ଭାବେ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ହୋଇ ଠିକାଦାର ନିଯୁକ୍ତ ହୁଅନ୍ତି ଓ ସେହି ଅନୁଦାନ ଅର୍ଥରେ ନିର୍ମାଣ, ମରାମତି ଆଦି କାର୍ଯ୍ୟ କରାଯାଏ। କିନ୍ତୁ ଜବତ ମାଙ୍କଡ଼ା ପଥରକୁ ବିନିଯୋଗ କରି ସରକାରୀ କାର୍ଯ୍ୟ କରିବା ଓ ସରକାରୀ ଅନୁଦାନ ଅର୍ଥ ସେ ବାବଦକୁ ବିନିଯୋଗ ନହେବା ଭଳି ଘଟଣା ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ବେଗୁନିଆ ତହସିଲ କାର୍ଯ୍ୟାଳୟ ପରିସରରେ ଯାନବାହାନ ରଖିବା ପାଇଁ ଏକ ଦୀର୍ଘ ସେଡ୍ର ନିର୍ମାଣ କରାଯାଉଛି।

Sambad

ଏହି ସମୟରେ ତହସିଲ କାର୍ଯ୍ୟାଳୟରେ ପୂର୍ବରୁ ଜବତ ହୋଇ ରହିଥିବା ବେଆଇନ ମାଙ୍କଡ଼ା ପଥରକୁ ଏହି ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯାଉଛି। ଏନେଇ କିଛି ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିବା ପରେ ବେଗୁନିଆ ତହସିଲଦାର ପୃଥିବୀରାଜ ମଣ୍ଡଳଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ଯେ ତହସିଲ ପକ୍ଷରୁ ଏଭଳି କୌଣସି ମାଙ୍କଡ଼ା ପଥର ଜବତ କରାଯାଇନାହିଁ। ତେବେ ନିର୍ମାଣ କାର୍ଯ୍ୟରେ ଜବତ ପଥର ବ୍ୟବହୃତ ହେବା ନେଇ ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ନିର୍ମାଣ ଦାୟିତ୍ୱ ଅନ୍ୟ ବିଭାଗର, ଏନେଇ ସମ୍ପୃକ୍ତ ବିଭାଗ ଠିକାଦାର ନିଯୁକ୍ତ କରିଛନ୍ତି। ଏଣୁ ନିର୍ମାଣରେ ଜବତ ପଥର ଲାଗିଛି କି ନାହିଁ ସେନେଇ ଅବଗତ ନାହାଁନ୍ତି।

ସମ୍ବନ୍ଧିତ ଖବର