କୋଇଡ଼ା: ଟେନ୍‌ସା ଫାଣ୍ଡି ଅଧୀନସ୍ଥ ଜିରୋପଏଣ୍ଟ ପାହାଡ଼ ଉପରକୁ ଅନେକ ଦିନ ଧରି ଚାଲି ଆସୁଥିଲା ଗାଈଚୋରି ଏବଂ ହତ୍ୟା ଅଭିଯୋଗ। ତେବେ ଅନେକ ଥର ପୁଲିସ୍ ଚଢ଼ଉ କରି ବିଫଳ ହୋଇଥିଲା। ସୂଚନା ଅନୁଯାୟୀ ଗତ ୧୧ ତାରିଖରୁ ଜିରୋପଏଣ୍ଟ ନିବାସୀ ସୁରେଶ ଯାଦବଙ୍କ ଦୁଇଟି ଗାଈଙ୍କୁ ଘରପାଖରୁ କୌଣସି ଦୁର୍ବୃତ୍ତ ଚୋରି କରିନେଇଥିଲା।

Advertisment

ଅନେକ ଖୋଜାଖୋଜି ପରେ ଜିରୋପଏଣ୍ଟ ପାହାଡ଼ରେ କିଛି ଲୋକ ଗାଈ କାଟୁଥିବା ଖବର ପାଇ ଯାଇ ଦେଖିଥିଲେ। ଉକ୍ତ ସ୍ଥାନରେ କୋଡ଼ିଏ ରୁ ଅଧିକ ଲୋକ ତାଙ୍କୁ ଗାଳିଦେବା ସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ସୁରେଶ ଜିରୋପଏଣ୍ଟରୁ ଫେରିଆସି ଟେନ୍‌ସା ହିନ୍ଦୁଜାଗରଣ ମଞ୍ଚ, ଲହୁଣୀପଡ଼ା ବଜରଙ୍ଗ ଦଳ ଏବଂ ଟେନ୍‌ସା ଫାଣ୍ଡି ଅଧିକାରୀଙ୍କ ସହିତ ସ୍ଥାନୀୟ ଲୋକଙ୍କୁ ନେଇ ଚଢ଼ଉ କରିଥିଲେ। ଯାହାଫଳରେ ଉକ୍ତ ସ୍ଥାନ ଛାଡ଼ି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଉକ୍ତ ସ୍ଥାନରୁ ୩ ଜଣକୁ ଧରି ଅଟକ ରଖିବା ସହିତ ୬ଟି ମୋଟରସାଇକେଲ ଓ ଗୋମାଂସ ଜବତ କରିଛି। ଟେନସା ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଚଳାଇଛନ୍ତି।