କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଡୁମୁରିଆ ଗାଁ ନିକଟରୁ ଚୋରା ଶାଳକାଠ ବୋଝେଇ ଏକ ସ୍କର୍ପିଓ (ଓଆର-୦୨-ଏଇ- ୦୭୦୭) ଜବତ କରିଛି ବନ ବିଭାଗ। ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ କାଠ ଗାଡ଼ିକୁ ଏସ୍‌କର୍ଟ ଦେଉଥିବା କାଠ ମାଫିଆମାନେ ଫେରାର ହୋଇଯାଇଛନ୍ତି। ଗିରଫ ଡ୍ରା‌ଇଭର ହେଲେ ଘଟଗାଁ ବ୍ଲକ୍‌ ଭୋଳବେଡ଼ା ଗ୍ରାମର ବଳରାମ ମଲ୍ଲିକ (୩୫)। ଚୋରା କାଠ ବୋଝେଇ ସ୍କର୍ପିଓଟି ଝାଡ଼ଖଣ୍ଡରୁ ଚମ୍ପୁଆ, ଉଖୁଣ୍ଡା, ବାଉଁଶୁଳୀ ଦେଇ ଘଟଗାଁ ବ୍ଲକ୍‌ ସାନ୍ତରାପୁର ଗାଁକୁ ଯାଉଥିଲା।

Advertisment

ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କ ନିର୍ଦେଶକ୍ରମେ ବନ ବିଭାଗର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ଉ କରି କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଡୁମୁରିଆ ଗାଁ ନିକଟରୁ ଗାଡ଼ିଟିକୁ ଜବତ କରିଥିଲେ। କାଠ ବୋଝେଇ ଗାଡ଼ି ଆଗରେ ଏକ ବୋଲେରୋରେ ଯାଉଥିବା ମାଫିଆମାନେ ଖସି ଯାଇଛନ୍ତି। ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ଡେପୁଟି ରେଞ୍ଜର ବିଦ୍ୟାଧର ସାହୁ, କେନ୍ଦୁଝର ସଦର ରେଞ୍ଜର ବିଜୟ କୁମାର ମହାନ୍ତ, ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜର ମାନସ କୁମାର ମୁର୍ମୁ, ଟାଉନ ଫରେଷ୍ଟର ପ୍ରଦୀପ ବାରିକ, ରଘୁନାଥପୁର ବିଟ୍ ଫରେଷ୍ଟ ଗାର୍ଡ ସୁବ୍ରତ କୁମାର ପାତ୍ରଙ୍କ ସମେତ ପାରା ସ୍କ୍ବାଡ୍‌ କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ। ଜବତ ହୋଇଥିବା ୫୭ ସିଏଫ୍‌ଟି ଶାଳକାଠର ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡ ରାଜ୍ୟର ନୂଆମୁଣ୍ଡି ନିକଟ ଜଙ୍ଗଲରୁ କାଠ କଟାଯାଇ ଘଟଗାଁ ବ୍ଲକ୍‌ ସାନ୍ତରାପୁର ଅଞ୍ଚଳକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି।