ସାଇବର ଠକେଇରେ ଶିକାର ହୋଇ ଆତ୍ମଦାହ ଉଦ୍ୟମ

ଖୋର୍ଦ୍ଧା : ସାଇବର ଠକେଇର ଶିକାର ହୋଇ ଦୀର୍ଘ ୧ ବର୍ଷ ଧରି ଦୋଷୀ ଧରାନପଡ଼ିବା ଓ ଟଙ୍କା ଫେରିନପାଇବା ଘଟଣାକୁ ନେଇ ଆଜି ବେଗୁନିଆର ଜଣେ କାଠ ବ୍ୟବସାୟୀ ଆତ୍ମଦାହ ଉଦ୍ୟମ କରିବା ବେଳେ ପୁଲିସ ଦ୍ୱାରା ଉଦ୍ଧାର ହୋଇଛନ୍ତି । ପରେ ଉପଜିଲ୍ଲାପାଳଙ୍କ କୋର୍ଟରେ ବ୍ୟକ୍ତିଗତ ମୁଚଲିକାରେ ଖଲାସ ହୋଇଛନ୍ତି ।

ସାଇବର ଠକେଇର ଶିକାର ହୋଇଥିବା ବେଗୁନିଆର ଜଣେ କାଠ ବେପାରୀ ବ୍ରଜବନ୍ଧୁ ସାହୁ ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିବାକୁ ଉଦ୍ୟମ କରିବା ବେଳେ ସେଠାରେ ଉପସ୍ଥିତ ଥିବା ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ଏନେଇ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇନାହିଁ । କିନ୍ତୁ ଉପଜିଲ୍ଲାପାଳଙ୍କ କୋର୍ଟରେ ବ୍ୟକ୍ତିଗତ ମୁଚଲିକାରେ ଛଡ଼ାଯାଇଛି । ଏହା ସହ ତାଙ୍କରି ଉପସ୍ଥିତିରେ ବ୍ରଜବନ୍ଧୁ କ୍ରାଇମ୍ବ୍ରାଂଚ ଏଡିଜିଙ୍କ ସହ କଥାବାର୍ତା କରିଛନ୍ତି । ମାମଲା ତଦନ୍ତାଧୀନ ରହିଥିବା ଓ ଠକେଇରେ ନାଇଜେରିଆ ନାଗରିକ ସମ୍ପୃକ୍ତ ଥିବା ଜଣାପଡ଼ିଛି । ତେବେ ମାମଲା ସଂକ୍ରାନ୍ତରେ ଅଧିକ ଆଲୋଚନା କରିବାକୁ ଏଡିଜି ଆସନ୍ତାକାଲି ବ୍ରଜବନ୍ଧୁଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟ ଡକାଇଛନ୍ତି ।

ସୂଚନାନୁସାରେ, ବେଗୁନିଆ ବାଙ୍କୋଇର ବ୍ରଜବନ୍ଧୁ ସାହୁ ଜଣେ କାଠ ବେପାରୀ । ତାଙ୍କର ଜଗନ୍ନାଥ ଟିମ୍ବର ଡିପୋ ନାମରେ ଏକ ବଡ଼ କାଠ ବ୍ୟବସାୟ ରହିଛି । ସେ ବର୍ଷକୁ ପ୍ରାୟ ଦେଢ଼-ଦୁଇ କୋଟି ଟଙ୍କାର କାଠ ବ୍ୟବସାୟ କରିଥାନ୍ତି । ୨୦୧୯ ଅଗଷ୍ଟ ୧ ତାରିଖରେ ପୋଲାଣ୍ଡରୁ ଶାଗୁଆନ କାଠ କିଣିବାକୁ ଏକ ବିଦେଶୀ କମ୍ପାନୀ ଟ୍ରେଡ୍ ୱିଣ୍ଡୋ ସହ ଯୋଗାଯୋଗ କରିଥିଲେ । କମ୍ପାନୀ ବମ୍ବେ ଓ ଆସାମରେ ଥିବା ସେମାନଙ୍କ ଏଜେଣ୍ଟଙ୍କ ସହ କଥାବାର୍ତା କରିବାକୁ କହିଥିଲେ । ପରାମର୍ଶ ଅନୁସାରେ ବମ୍ବେର ଏଜେଂଟ୍ ସହ କଥାବାର୍ତା କରି କାଠ ବାବଦକୁ ୨୩ଲକ୍ଷ ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା । ଏଣୁ ବ୍ରଜବନ୍ଧୁ ନିଜ କମ୍ପାନୀର କାଗଜପତ୍ର ସହ ପ୍ରଥମ କିସ୍ତିରେ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଋଣ ଆଣି ୧୬ଲକ୍ଷ ୩୨ ହଜାର ଟଙ୍କା ଏଜେଣ୍ଟ ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ । ଅଗଷ୍ଟ ୩୦, ୨୦୧୯ରେ ଜାହଜରେ ଆସି ପାରାଦ୍ୱୀପ ବନ୍ଦରରେ କାଠ ଲାଗିବ ସେଠାରେ ବଳକା ଟଙ୍କା ଦେଇ କାଠ ନେଇଯିବାକୁ ଏଜେଂଟ୍ କହିଥିଲେ । ତେବେ ବ୍ରଜବନ୍ଧୁ ନିର୍ଦ୍ଧାରିତ ଦିନ ପାରାଦ୍ୱିପ ଯାଇ ଏଭଳି କୌଣସି ଜାହାଜ ଆସିନଥିବା ଓ ସେ ଠକେଇରେ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ବେଗୁନିଆ ଥାନାରେ ପ୍ରଥମେ ଲିଖିତ ଅଭିଯୋଗ ଦେଇଥିଲେ । କିନ୍ତୁ ଏହା ସାଇବର ଠକେଇ ହୋଇଥିବାରୁ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ଦେବାକୁ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ । ପରାମର୍ଶ ଅନୁସାରେ ସାଇବର ଥାନାରେ ଅଭିଯୋଗ କରି ଏହା ମଧ୍ୟରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଦୋଷୀ ଧରାପଡ଼ିନଥିବା ଓ ତାଙ୍କ ଟଙ୍କା ଫେରିପାଇନଥିବାରୁ ସେ ୨୧ ତାରିଖରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆତ୍ମଦାହ କରିବାକୁ ଲିଖିତ ଚେତାବନୀ ଦେଇଥିଲେ ।

ସମ୍ବନ୍ଧିତ ଖବର