ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ: ଗିରଫ ହେଲେ ଆତ୍ମଘୋଷିତ ବାବା

ବଡ଼ସାହି: ମୟୂରଭଂଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ଏହାକୁ ନେଇ ଖୋଲତାଡ଼ ହେବାପରେ ଜନୈକ ଆତ୍ମଘୋଷିତ ବାବାର କାରନାମା ପଦାକୁ ଆସିଛି ଏବଂ ଅଭିଯୋଗକୁ ଭିତ୍ତିକରି ବଡ଼ସାହି ପୁଲିସ ଉକ୍ତ ବାବାକୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ବାବା ଜଣକ ହେଲେ ବଡ଼ସାହି ବ୍ଲକ ତଥା ଥାନା ଅନ୍ତର୍ଗତ ଗୁଡ଼ିଆଲବନ୍ଧ ପଞ୍ଚାୟତର ନୟା ବ୍ରଜନନ୍ଦନପୁର ଗ୍ରାମର ଜାଠା ମୁର୍ମୁ।

ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ଗାଁ ଠାକୁରାଣୀ ମଣ୍ଡପରେ ସର୍ବସାଧାରଣଙ୍କର ପୂଜାପାଠ ହୋଇଥିଲା। ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ପରିବାରର ପ୍ରାୟ ସମସ୍ତେ ପୂଜା ସ୍ଥାନକୁ ଯାଇଥିଲେ। କେବଳ ଘରେ ଥିବା ଦିବ୍ୟାଙ୍ଗ ପୀଡିତାଙ୍କ ହେପାଯତରେ ରହିଥିଲେ ତାଙ୍କ ପିଉସୀ। ମଧ୍ୟାହ୍ନ ସମୟରେ ପିଉସୀ ଗାଧୋଇଯିବା ସମୟରେ ସୁଯୋଗକୁ ନେଇ ଗାଁର ବାବା ବୋଲାଉଥିବା ଭଣ୍ଡ ଦିବ୍ୟାଙ୍ଗ ଘରକୁ ଆସି ଦୁଷ୍କର୍ମ କରିଥିବାର ନାବାଳିକା ପରିବାର ଲୋକଙ୍କ ନିକଟରେ ଜଣାଇଥିଲା।

ଏ ସମ୍ପର୍କରେ ଗାଁରେ ଏକ ସଭା ଆୟୋଜନ କରାଯାଇ ଅଭିଯୁକ୍ତ ବାବାକୁ ୯୦ ହଜାର ଟଙ୍କା ଫାଇନ କରାଯାଇଥିଲା ଏବଂ ସେ ଏଥିରେ ରାଜି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ମାତ୍ର ୫ ହଜାର ଟଙ୍କା ଦେଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲା। ଏ ସମ୍ପର୍କରେ ପୀଡିତାଙ୍କ ପରିବାର ପକ୍ଷରୁ ଦିବ୍ୟାଙ୍ଗ ସଙ୍ଘ ଜାଣିବା ପରେ ଜିଲ୍ଲା ଏସପିଙ୍କୁ ଅବଗତ କରାଯାଇଥିଲା।ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ସାହି ଥାନାରେ ଏକ କେସ ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଭଣ୍ଡ ବାବାକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର