କାଜୁ ଜଙ୍ଗଲରୁ ଜବତ ଅର୍ଦ୍ଧଦଗ୍ଧ ଶବ ଚିହ୍ନଟ

ଯାଜପୁର/ଟମକା: ଟମକା ଥାନା ଗୋବର୍ଦ୍ଧନପୁର ପଞ୍ଚାୟତ ରଥପଦା ଗାଁ କାଜୁ ଜଙ୍ଗଲରୁ ଜବତ ଅର୍ଦ୍ଧଦଗ୍ଧ ଅଚିହ୍ନା ଶବ ପ୍ରତାପ ସାହୁ ଓରଫ ବିଭୁଙ୍କର ବୋଲି ଚିହ୍ନଟ ହୋଇଛି। ମୃତଦେହକୁ ବିଭୁଙ୍କ ପତ୍ନୀ ଚିହ୍ନଟ କରିଛନ୍ତି। ମାତ୍ର ପରିବାର ଲୋକ ଶବ ନନେବାରୁ ପୁଲିସ ଯାଜପୁର ସହର ବୈତରଣୀ କୂଳରେ ଦାହ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିପାରିନାହିଁ। ଠୋସ ପ୍ରମାଣ ପୁଲିସ ହସ୍ତଗତ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ପ୍ରକାଶ ଥାଉକି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନାର ଭଗବାନପୁର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ସାହୁ ଓରଫ ବିଭୁକୁ ତାଙ୍କ ଗାଁରୁ ୩୧ତାରିଖ ରାତିରେ ଅନ୍ୟ ଅଭିଯୁକ୍ତମାନେ ଅପହରଣ କରିଥିଲେ। ସେହି ରାତିରେ ସେମାନେ ପ୍ରାୟ ୧ଶହ କିମି ଦୂର ଟମକା ଥାନାର ରଥପଦା ଗାଁ ନିକଟରେ କାଜୁ ଜଙ୍ଗଲରେ ହତ୍ୟା କରି ପୋଡ଼ି ଦେଇଥିଲେ। ଶବ ସଂପୂର୍ଣ୍ଣ ପୋଡି ପାଉଁଶ ହେବା ପୂର୍ବରୁ ଲୋକଙ୍କ ଦୃଷ୍ଟିରେ ପଡ଼ିଥିଲା। ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିବାରୁ ଶବ ଚିହ୍ନଟ ହୋଇପାରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମକୁ ଜୋରଦାର କରିଛି। ୩୦ ରୁ ଅଧିକ ଅପରାଧ ଘଟଣାରେ ସାମିଲ ବିଭୁକୁ ଅନ୍ୟ ଅପରାଧୀମାନେ ଟାର୍ଗେଟ କରିଥିବା ଆଲୋଚନା ହେଉଛି। ଏହା ଏକ ଗ୍ୟାଙ୍ଗ ୱାର ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର