ଖୋର୍ଦ୍ଧା: ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜୟୀରାଜଗୁରୁ ଭବନ ଠାରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ମେଳା ସହ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକମାନେ ସମାଜର ଅଭିଜ୍ଞତାର ସମ୍ବଳ। ସମାଜ ପାଇଁ ସେମାନଙ୍କ ଅଭିଜ୍ଞତାର ଦିଗଦର୍ଶନର ଆବଶ୍ୟକତା ରହିଛି। ସେମାନଙ୍କୁ ଅବହେଳା କଲେ ସମାଜ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ ବୋଲି ଅତିଥିମାନେ ମତ ଦେଇଥିଲେ।

Advertisment

ଏହି ଅବସରରେ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ତହସିଲଦାର ଇପ୍ସିତ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ ମଲ୍ଲିକ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ତାଲୁକ ଆଇନ ସେବା କମିଟି ପକ୍ଷରୁ ଗୁରୁଜଙ୍ଗ ଜବରଦସ୍ତପୁର ଜିଡବ୍ଲୁସିଟି ସେବା କେନ୍ଦ୍ର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର ଅତିଥି ଭାବେ ଯୋଗ ଦେଇଥିଲେ। ଜିଡବ୍ଲୁସିଟି ସେବା କେନ୍ଦ୍ରର ସଭାପତି ଇତିଶ୍ରୀ ଚମ୍ପତ୍ତି ସ୍ୱାଗତଭାଷଣ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର, ରିଟନର ନବୀନ ମହାପାତ୍ର ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ନୃସିଂହ ମିଶ୍ର, ପ୍ରଦୀପ ମିଶ୍ର, ଶିବ ତ୍ରିପାଠୀ, ସଂଘର ଉପଦେଷ୍ଟା କଳ୍ପନା ଶର୍ମା, ନୁରଜାହାନ ବେଗମ, ସମ୍ପାଦକ ଚିତ୍ତରଂଜନ ପାଣିଗ୍ରାହୀ, ଶୁକ୍ରମ କେଶରୀ ଚମ୍ପତ୍ତି, ନଗେନ୍ଦ୍ର କୁମାର ଚମ୍ପତ୍ତି ପ୍ରମୁଖ ଉପସ୍ଥିତ ଥିଲେ।

publive-image Sambad

ଆଇନସେବା କମିଟିର ସମ୍ପାଦକ ବସନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଖାର୍ଦ୍ଧା ବୁଢିବଗିଚା ଠାରେ ଥିବା ବିଶ୍ୱ ଜୀବନ ସେବାସଂଘର ଜୀବନଧାରା ସେବାଶ୍ରମ ଠାରେ ରୋଟାରୀ ଓ ଇନରହୁଇଲ କ୍ଲବ ଭୁବନେଶ୍ୱର ମେଟ୍ରୋ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ ସଭାପତି ଡଃ. ଧୀରେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଇନରହୁଇଲ କ୍ଲବ ସଭାପତି ଶାନ୍ତିଲତା ଦାସ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରୋଟାରୀ ମେଟ୍ରୋ ତରଫରୁ ଅନ୍ତେବାସୀମାନଙ୍କ ନିମନ୍ତେ ଦୁଇଟି ଡାଇନିଂ ସେଟ, ନୂଆ ବସ୍ତ୍ର, ବାସନକୁସନ, ଫଳ ଏବଂ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା। ଜେଆରଜି ଏଜୁକେଶନ ଟ୍ରଷ୍ଟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ବରିଷ୍ଠ ନାଗରିକଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। କାର୍ଯ୍ୟକ୍ରମକୁ ରୋଟାରିଆନ କେସି ପଟ୍ଟନାୟକ, କାଉନ୍ସିଲର ସୁଶାନ୍ତ ଜେନା ଓ କମଳ ପ୍ରଧାନ, ବିଶ୍ୱ ଜୀବନ ସେବାସଂଘର ସଭାପତି ବୈଦ୍ୟନାଥ ବରାଳ ପ୍ରମୁଖ ପରିଚାଳନା କରିଥିଲେ।

publive-image Sambad

ଖୋର୍ଦ୍ଧା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁକୁନ୍ଦପ୍ରସାଦ କଲେଜ ରୋଡ଼ ଠାରେ ଥିବା ବିଶ୍ୱାମିତ୍ର ଜନ ସେବା ଟ୍ରଷ୍ଟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ରାମଶଙ୍କର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ବୈଠକରେ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ ନକରିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଅବସରରେ ମଞ୍ଚର ସାଂଗଠନିକ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ଦେବ ପ୍ରସାଦ ମଜୁମଦାରକୁ ମଞ୍ଚର ଉପଦେଷ୍ଟା ଭାବେ ଗ୍ରହଣ କରାଯାଇଥିଲା। ନାଗରିକ ମଞ୍ଚର ପ୍ରତିଷ୍ଠା ଦିବସ, ଡିସେମ୍ବର ୩୧ରେ ପ୍ରକାଶ ପାଇବାକୁ ଥିବା ମୁଖପତ୍ର ପ୍ରବୃଦ୍ଧ ବାର୍ତାର ସମ୍ପାଦନା ପାଇଁ ବୈକୁଣ୍ଠନାଥ ରାଜଗୁରୁ, ଉମାଶଙ୍କର ପ୍ରସାଦ, ଗୋବିନ୍ଦ ଚନ୍ଦ୍ର ମହାରଣା, ଜ୍ୟୋତି ପ୍ରଭା ପଟ୍ଟନାୟକ ଓ ବିରଞ୍ଚି ନାରାୟଣ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର, ଉମାଶଙ୍କର ପ୍ରସାଦ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଭୀମସେନ ପ୍ରଧାନ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଡଃ. ଦେବେନ୍ଦ୍ର ମାନସିଂହ, ଗତିକୃଷ୍ଣ ଉତରକବାଟ, ମୃତ୍ୟୁଞ୍ଜୟ ଛୋଟରାୟ, ବୈକୁଣ୍ଠନାଥ ରାଜଗୁରୁ, କିଶୋର ଚନ୍ଦ୍ର ପରମଗୁରୁ, କୈଳାସ ପୃଷ୍ଟି ପ୍ରମୁଖ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଉପ-ସଭାପତି ବୈକୁଣ୍ଠନାଥ ମହାପାତ୍ର ଧନ୍ୟବାଦ ଦେଇଥିଲେ।