କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତରେ ଆଧାର ସଂଯୋଗ ଓ କେୱାଇସି ଅପଡେଟ ହୋଇପାରି ନଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଭତ୍ତା ଟଙ୍କା ଉଠାଇବା ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବଭଳି ମାନୁଆଲ୍ ମାଧ୍ୟମରେ ଭତ୍ତା ଯୋଗାଇ ଦେବା ଦାବି କରି ଅଞ୍ଚଳର ବୁଢ଼ା ବୁଢ଼ୀ ଆଜି ପଞ୍ଚାୟତ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ ପଞ୍ଚାୟତରେ ମୋଟ ୯୭୦ ଜଣ ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ପଡୁଥିବା ବେଳେ ସେମାନଙ୍କର ଆକାଉଣ୍ଟରେ ଆଧାର ସଂଯୋଗ ତଥା କେୱାଇସି ଅପଡେଟ୍ ହୋଇପାରୁ ନଥିବାରୁ ଟଙ୍କା ଉଠାଇବାରେ ସମସ୍ୟା ଦେଖାଦେଇଛି।
ଆଗ ଭଳି ମାନୁଆଲ ମାଧ୍ୟମରେ ଭତ୍ତା ଯୋଗାଇ ଦେବା ଦାବିରେ ଆଜି ପଞ୍ଚାୟତ ଗେଟ୍ ସମ୍ମୁଖରେ ଅନେକ ବୃଦ୍ଧବୃଦ୍ଧା ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଯେ ବୃଦ୍ଧବୃଦ୍ଧା ବ୍ୟାଙ୍କକୁ ଯାଇ ଟଙ୍କା ଉଠାଣ କରିବା ହେତୁ ଯାତାୟାତ ବାବଦରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ହିତାଧିକାରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁ ହିତାଧିକାରୀ ଆଗରୁ ୭୦୦ ଟଙ୍କା ପାଉଥିଲେ ବ୍ୟାଙ୍କରେ ପଡ଼ିବା ଦିନଠୁ ୫୦୦ ଟଙ୍କା ପଡୁଥିବା ମଧ୍ୟ ଅଭିଯୋଗ ହେଉଛି। ସେଥି ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଏହାର ସମାଧାନ କରିବାକୁ ଦାବି ହେଉଛି।