ପେନ୍‌ସନ୍‌ କାଗଜ କରିବା ପାଇଁ ୧୫ ହଜାର ଲାଞ୍ଚ ନେଇ ଧରାପଡିଲେ ଭେଟେନାରୀ କାର୍ଯ୍ୟାଳୟର ବରିଷ୍ଠ ସହାୟକ

ଭଞ୍ଜନଗର: ଅବସରପରେ ପେନ୍‌ସନ୍ ଜନିତ କାଗଜପତ୍ର କରିଦେବା ପାଇଁ ୧୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭେଟେନାରୀ କାର୍ଯ୍ୟାଳୟର ମାନସ ରଞ୍ଜନ ଦାସ। ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ମାନସ ଅବସର ନେଇଥିବା ପ୍ରାଣୀଧନ ଟେକ୍ନିସିଆନ୍ ଜଗବନ୍ଧୁ ସେଠୀଙ୍କ ଠାରୁ ପେନ୍‌ସନ୍ କାଗଜ ପତ୍ର କରିବା ପାଇଁ ୧୫୦୦୦ ଟଙ୍କା ଦାବି କରିଥିଲେ। ଏନେଇ ଜଗବନ୍ଧୁ ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଆଜି ଟଙ୍କା ଦେବା ପାଇଁ ପୂର୍ବରୁ ନିଷ୍ପତି ହୋଇଥିଲା। ଭିଜିଲାନ୍ସ ଟଙ୍କା ନେବା ସମୟରେ ମାନସଙ୍କୁ ଧରିଛି।

ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଡିଏସ୍‌ପି ହେନେରୀ କୁଲୁଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ୍ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ମାନସଙ୍କୁ ଟଙ୍କା ନେଉଥିବା ସମୟରେ କାବୁ କରିଥିଲା। ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ କେମିକାଲ୍ ପାଣିରେ ହାତ ପରୀକ୍ଷା କରିବା ସହ ତାଙ୍କ ସାର୍ଟ ପକେଟକୁ ମଧ୍ୟ ଯାଞ୍ଚ ପରିସରଭୁକ୍ତ କରି କେମିକାଲ୍‌ରେ ବୁଡା ଯାଇଥିଲା। ଏଥିସହ କାର୍ଯ୍ୟାଳୟରୁ ବିଭିନ୍ନ କାଗଜପତ୍ର ଜବତ କରିବା ସହ ମାନସଙ୍କ ନୟାଗଡ ଜିଲ୍ଲା ଦଶପଲ୍ଲା ହାଟପଦା ସାହି ବାସଭବନରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢଉ କରିଛ।

ମାନସ ଭଞ୍ଜନଗର ଠାରେ ଏକ ସରକାରୀ କ୍ବାଟରରେ ରହୁଥିବା ବେଳେ ତାକୁ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛି। ଏନେଇ କେସ୍ ନମ୍ବର ୪/୨୧ରେ ଏକ ମାମଲା ରୁଜୁ ହୋଇଥିବା ଡିଏସ୍ପି ଶ୍ରୀ କୁଲୁ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀ ଜଗବନ୍ଧୁ ସେଠୀ ଭଞ୍ଜନଗର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ବେଲଗୁଣ୍ଠା ବ୍ଳକର ଗାଙ୍ଗପୁର ପ୍ରାଣୀଧନ କାର୍ଯ୍ୟାଳୟର କାଳିଆଗୁଡ଼ା ପ୍ରାଣୀଧନ ସହାୟକ କେନ୍ଦ୍ରରେ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ସେଠୀ ଗତବର୍ଷ ଡିସେମ୍ବର ମାସରେ ଅବସର ଗ୍ରହଣ କରିଥିବା ବେଳେ ତାଙ୍କ ପେନ୍‌ସନ୍ ଜନିତ କାଗଜପତ୍ର କରାଇ ଦେବା ପାଇଁ ମାନସ ତାଙ୍କ ଠାରୁ ୧୫୦୦୦ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ପେନ୍‌ସନ୍ କାଗଜ ନକରିବା ପାଇଁ ମାନସ କହିବାରୁ ଶେଷରେ ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଆଜି ଭିଜିଲାନ୍ସ ଡିଏସ୍‌ପି ଶ୍ରୀ କୁଲୁଙ୍କ ନେତୃତ୍ବରେ ଇନିସପେକ୍ଟର କ୍ରିଷ୍ଣା କୁମାରୀ ପ୍ରଧାନ, ବୈଦେହୀ ବେହେରା, ରାଜେନ୍ଦ୍ର କୁମାର ନାୟକ, ଦିଗାମ୍ବର ସାହୁ, ରାଧାଶ୍ୟାମ ସାହୁ, ନାରାୟଣ ସେଠୀ, ରଘୁନାଥ ପ୍ରସାଦ ସେଠୀ, ସୁଧୀର କୁମାର ପରିଡା ଏବଂ ରବି ନାରାୟଣ ବେହେରା ପ୍ରମୁଖ ଏହି ଚଢଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର