ସିରିଜ ଦୁର୍ଘଟଣା: ଟ୍ରକ ଧକ୍କାରେ ୩ ଅଟୋ ଭାଙ୍ଗିରୁଜି ଚୁରମାର, ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରାଜ୍ୟ ରାଜପଥ ତିନିଘଣ୍ଟା ଅବରୋଧ

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ବାରିପଦା-ଅମର୍ଦା ରାଜ୍ୟ ରାଜପଥର ଶୀର୍ଷାପାଳ ଛକରେ ଆଜି ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିବା ବେଳେ ଗୋଟିଏ ଟ୍ରକ ଧକ୍କାରେ ତିନିଟି ଅଟୋ (ଦୁଇଟି ଯାତ୍ରୀବାହୀ ଏବଂ ଅନ୍ୟଟି ଡାଲା ଅଟୋ)କୁ ସିରିଜ ଧକ୍କା ଦେବାରୁ ଘଟଣାସ୍ଥଳରେ ଅଟୋଗୁଡିକ ଭାଙ୍ଗିରୁଜି ଯିବା ସହିତ ଚାରିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ନିୟମିତ ଦୁର୍ଘଟଣା ଘଟୁଥିବାରୁ ତିନିଦଫା ଦାବିରେ ଉତ୍ୟକ୍ତ ଅଞ୍ଚଳବାସୀ ଶୀର୍ଷାପାଳ ଛକରେ ରାସ୍ତା ଅବରୋଧ କରିବା ସହିତ ଧାରଣାରେ ବସିଥିଲେ।

ଖବର ନେବାରୁ ଜଣାପଡ଼ିଛକି ଆଜି ସକାଳ ପ୍ରାୟ ୯ ଟା ୫୦ରେ ଏକ ଟ୍ରକ (ଓଆର-୧୧-୯୭୩୮) ଶୀର୍ଷାପାଳ ଛକ ପାଖରେ ପ୍ରଥମେ ଛିଡା ହୋଇଥିବା ଏକ ଡାଲା ଅଟୋ (ଓଆର-୧୧-ଏଚ-୨୩୫୦)କୁ ଧକ୍କା ଦେଇଥିଲା। ତେବେ ଡାଲା ଅଟୋ ପାଖରେ ଛିଡ଼ା ହୋଇଥିବା ଭୋଳାଗଡ଼ିଆ ଗ୍ରାମର ସୁମିତ୍ରା ମହାନ୍ତ ଏବଂ ଶ୍ୟାମ ସୁନ୍ଦର ମହାନ୍ତଙ୍କୁ ଧକ୍କା ଲାଗିବାରୁ ମହିଳା ଜଣକ ଛିଟିକି ରାସ୍ତା ଉପରେ ପଡ଼ିଯିବାରୁ ମହିଳାଙ୍କ ମୁଣ୍ଡ ରେ ଗୁରୁତର ଆଘାତ ଲାଗିଥିଲା ଏବଂ ପ୍ରଚୁର ରକ୍ତଶ୍ରାବରେ ହୋଇଥିଲା। ଏହା ପରେ ଟ୍ରକ ଟି ଏକ ଯାତ୍ରୀ ବାହୀ ଅଟୋ ( ଓଆର-୧୧-ଏଲ୧୫୨୨) କୁ ଧକ୍କା ଦେବା ପରେ ପୁଣି ଏକ ଯାତ୍ରୀ ବାହୀ ଅଟୋ (ଓଆର-୧୧-ଏଲ-୪୦୩୦)କୁ ଧକ୍କା ଦେଇଥିଲା। ଫଳରେ ଆଉ ଦୁଇଜଣ ଲୋକ ଆମ୍ବଜୁଡ଼ା ଗ୍ରାମର ଅନୀଲ ବେହେରା, ଫୁଲବାଡ଼ିଆ ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କୁ ଗୁରୁତର ଆଘାତ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଚିତ୍ରଡ଼ା ଦମକଳ ଗାଡ଼ି ସହାୟତାରେ ଗୁରୁତର ଆହତ ୩ ଜଣଙ୍କୁ  ଚିକିତ୍ସା ନିମନ୍ତେ ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିବା ଜଣାପଡିଛି।

ଶୀର୍ଷାପାଳ ଛକରେ ବାରମ୍ବାର ନିୟମିତ ଭାବେ ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତା ଉନ୍ନତି କରଣ କାର୍ଯ୍ୟ ଦୀର୍ଘ ବର୍ଷ ଧରି କରୁଥିବା ଏମ ଏସ ଆଇ ଏଲ ସଂସ୍ଥାର ଖାମ ଖିଆଲି ଏବଂ ମନମୁଖୀ କାର୍ଯ୍ୟ ପାଇଁ ରାସ୍ତାରେ ନିୟମିତ ଦୁର୍ଘଟଣା ଘଟୁଥିବା ବେଳେ ପୂର୍ତ୍ତ ବିଭାଗ ମଧ୍ୟ ସମ୍ପୃକ୍ତ ସଂସ୍ଥାକୁ ତାଗିଦ କରୁନଥିବାରୁ ସମ୍ପୃକ୍ତ ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ରାସ୍ତାରେ ନିୟମିତ ଦୁର୍ଘଟଣା ଘଟୁଥିବାର ଅଭିଯୋଗ କରିବା ସହିତ ତିନିଦଫା ଦାବିରେ ସ୍ଥାନୀୟ ଅଞ୍ଚଳ ବାସୀ ରାସ୍ତା ଅବରୋଧ କରିବା ସହିତ ଧାରଣାରେ ବସିଥିଲେ।

ଖବର ପାଇ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦ।, ମୋରଡ଼ା ଥାନା ଆଇ ଆଇ ସି କୁନି ବେଶ୍ରା, ଚିତ୍ରଡ଼ା ଫାଣ୍ଡି ଅଧିକାରୀ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଧାରଣା କାରୀଙ୍କ ସହିତ ଆଲୋଚନା କରି ଧାରଣା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ।କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହାର ହେବନାହିଁ ବୋଲି ରୋକ ଠୋକ ମନାକରିଦେଇଥିଲେ। ମୋରଡ଼ା ବିଧାୟକ ରାଜକିଶୋର ଦାସ ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସହିତ ବସି ଆଲୋଚନା କରି ବୁଝାସୁଝା କରିଥିଲେ ଏବଂ ସଙ୍ଗେ ସଙ୍ଗେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ଦୁର୍ଘଟଣା ଘଟାଇ ଥିବା ଟ୍ରକ ମାଲିକଙ୍କ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଧକ୍କାରେ କ୍ଷୟକ୍ଷତି ଘଟିଥିବା ଅଟୋ ଏବଂ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧିତ ଖବର