ତାମୁଳିଆ ପୋଲ ଉପରେ ସିରିଜ୍‌ ଦୁର୍ଘଟଣା: କାର ଓ ଟ୍ରକକୁ ଧକ୍କା ଦେଲା ବାଲି ବୋଝେଇ ଡମ୍ପର, ଭାରସାମ୍ୟ ହରାଇ ଟ୍ରକ ତଳେ ପଶି ଜଳିଗଲା ବାଇକ

ବାଇକ୍‌ରେ ଥିବା ଦୁଇ ଯୁବକ ଗୁରୁତର ଆହତ 

ବାଲେଶ୍ୱର: ଶୁକ୍ରବାର ଅପରାହ୍‌ଣରେ ବାଲେଶ୍ୱର ସହରର ତାମୁଳିଆ ପୋଲ ଉପରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ତାମୁଳିଆରୁ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ ବାଲି ବୋଝେଇ ଡମ୍ପର ପ୍ରଥମେ ଏକ କାର ଓ ପରେ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ପଛରେ ଆସୁଥିବା ଏକ ବାଇକ ଭାରସାମ୍ୟ ହରାଇ ଟ୍ରକ ତଳେ ପଶି ଯିବାରୁ ଘଟଣାସ୍ଥଳରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏହି ଘଟଣାରେ ଟ୍ରକର କିଛି ଅଂଶ ଜଳିଯାଇଥିବ‌ା ବେଳେ ବାଇକରେ ଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ପୋଡ଼ି ଯାଇ ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟଜଣେ ସାମାନ୍ୟ ଆହତ ହୋଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ଆହତ ୨ ଯୁବକ ହେଲେ ଜୀବନ କୃଷ୍ଣ ପରିଡ଼ା ଏବଂ ସନ୍ତୋଷ କୁମାର ପୃଷ୍ଟି। ଦୁହିଁଙ୍କୁ ଜିଲ୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ଅପରାହ୍‌ଣ ପ୍ରାୟ ୪ଟା ବେଳେ ସଦର ଥାନା ଅର୍ନ୍ତଗତ କୁରୁଡ଼ା ଛକରୁ ଏକ ବାଲି ବୋଝେଇ ଡମ୍ପର(ଓଡି-୦୧ଭି-୧୨୩୩) ଦ୍ରୁତ ଗତିରେ ବାଲେଶ୍ୱର ଆଡ଼କୁ ଆସୁଥିଲା। ଏହି ସମୟରେ ତାମୁଳିଆ ପୋଲ ଉପରେ ବାଲେଶ୍ୱର ପଟୁ ଯାଉଥିବା ଏକ କାର(ଓଡି ୦୧ଏବି-୭୫୪୧)କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟିର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ତେବେ ଡମ୍ପରଟି କାରକୁ ଧକ୍କା ଦେଇ ସାରିବା ପରେ ଡାହାଣ ପଟକୁ କାଟି ଦେବାରୁ ବାଲେଶ୍ୱରରୁ  କୁରୁଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ(ଓଡି-୦୧ଏଲ-୨୯୩୯)କୁ ବହୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ପୋଲର ଫୁଟ୍‌ପାଥ ଉପରକୁ ଚଢ଼ି ଯାଇଥିଲା। ଏହି ସମୟରେ ଟ୍ରକ ପଛରେ ଆସୁଥିବା ଏକ ବାଇକ୍‌ ଭାରସାମ୍ୟ ହରାଇ ଟ୍ରକ ତଳକୁ ପଶି ଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକରେ ଆସୁଥିବା ୩ ଯୁବକ ସେହି ବାଇକ ସହ ଟ୍ରକ ତଳେ ପଶି ଯାଇଥିଲେ। ଏହାପ‌ରେ ହଠାତ୍‌  ବାଇକରେ ନିଆଁ  ଲାଗି ହୁ ହୁ ଜଳିଥିଲା। ବାଇକଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯିବା ସହ ନିଆଁ ଝାସରେ ଟ୍ରକର ମଧ୍ୟ କିଛି ଅଂଶ ପୋଡ଼ି ଯାଇଥିଲା। ସ୍ଥାନୀୟ ଲୋକ ଟ୍ରକ ତଳେ ନିଆଁରେ ପୋଡ଼ି ଯାଉଥିବା ୨ ଯୁବକ ଜୀବନକୃଷ୍ଣ ଓ ସନ୍ତୋଷଙ୍କୁ  ଉଦ୍ଧାର କରି ବାଲେଶ୍ୱର ମେଡିକାଲକୁ ପଠାଇଥିଲେ। ପରେ ସେମାନେ ସଦର ପୁଲିସ, ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀକୁ ଖବର ଦେଇ ଡମ୍ପରଟିକୁ ଅଟକ ରଖିଥିଲେ। ମାତ୍ର ଦମକଳ ବାହିନୀ ବିଳମ୍ବରେ ଆସିବା ସହ ନିଆଁକୁ ଆୟତ୍ତ କରିଥିଲେ। ସନ୍ତୋଷ ନିଆଁ ଝାସରେ ଅଳ୍ପ ଆହତ ହୋଇଥିବା ବେଳେ ଜୀବନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଅନ୍ୟପଟେ ପୋଲ ଉପରେ ଟ୍ରକ ଓ ବାଇକ ନିଆଁ ଲାଗିଥିବା‌ରୁ ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ବନ୍ଦ ରହି ଟ୍ରାଫିକ ଜାମ୍‌ ହୋଇଥିଲା। ଖବରପାଇ ସଦର ପୁଲିସ ମଧ୍ୟ ପହଁଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଟ୍ରକ, ପୋଡ଼ି ଯାଇଥିବା ବାଇକ ଏବଂ ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର