ଏନଟିପିସି ହସ୍ପିଟାଲରେ ଗୁରୁତର ପୁଅ, ସ୍ଥାନାନ୍ତର ଚିଠା ଧରି ଆମ୍ବୁଲାନ୍ସ ପାଇଁ ଦରାଣ୍ଡି ହେଉଥିଲେ ବାପା !

କରୋନା କଷଣର ଅଭାବନୀୟ ଚିତ୍ର

ସୁନ୍ଦରଗଡ଼: ହସ୍ପିଟାଲ ଶଯ୍ୟାରେ କରୋନା ସଂକ୍ରମଣରେ ଗୁରୁତର ପୁଅ, ମୁହଁରେ ଅକ୍ସିଜେନ୍। ଡାକ୍ତର ତାଙ୍କୁ ସ୍ଥାନାନ୍ତର ପାଇଁ ଲେଖି ସାରିଥିଲେ। ଆଉ ସ୍ଥାନାନ୍ତର ଚିଠା ଧରି ବାପା ହସ୍ପିଟାଲ୍ ବାହାରେ ଆମ୍ବୁଲାନ୍ସ ପାଇଁ ଦରାଣ୍ଡି ହେଉଥିଲେ। ହସ୍ପିଟାଲରେ ଯାହାକୁ ଦେଖୁଥିଲେ, ଚିଠି ଦେଖାଇ ଅତି ବିକଳ ହୋଇ ଆମ୍ବୁଲାନ୍ସ କେଉଁଠି ମିଳିବ, କାହାକୁ କହିବାକୁ ପଡ଼ିବ ବୋଲି ପଚାରି ଦେଉଥିଲେ। ସକାଳ ୮ଟାରୁ ପୁଅର ଜୀବନ ପାଇଁ ଆକୁଳ ହୋଇ ଘୂରି ବୁଲୁଥିବା ବାପାଙ୍କୁ ୧୧ଟା ପରେ ବି ଆମ୍ବୁଲାନ୍ସ ମିଳି ନଥିଲା। କରୋନା କଷଣର ଏହି ଅଭାବନୀୟ ଚିତ୍ରଟି ଆଜି ଦେଖିବାକୁ ମିଳିଥିଲା ଏନଟିପିସି କୋଭିଡ୍ ହସ୍ପିଟାଲରେ।

ହସ୍ପିଟାଲକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ କ୍ୟାମେରା ଓ ବୁମ୍କୁ ଦେଖିବା ପରେ ସେ କାନ୍ଦ କାନ୍ଦ ହୋଇ ଆମ୍ବୁଲାନ୍ସଟେ ଯୋଗାଡ଼ କରିଦେବାକୁ ଅନୁନୟ ହୋଇଥିଲେ। ବାପାଙ୍କ ସବୁଠାରୁ ଗମ୍ଭୀର ଅଭିଯୋଗଟି ଥିଲା, ପୂର୍ବରୁ ୨୩ ତାରିଖ ରାତି ୧୨ଟାରେ ପୁଅକୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସ୍ଥାନାନ୍ତର ପ୍ରକ୍ରିୟାରେ କେଉଁଠି କି ତ୍ରୁଟି ଥିଲା କେଜାଣି, ସେଠି ଡାକ୍ତରଖାନା କର୍ତ୍ତୃପକ୍ଷ ଭର୍ତ୍ତି କରିବାକୁ ମନା କରି ଦେଇଥିଲେ।

ରାଉରକେଲାରୁ ସକାଳ ୫ଟାରେ ଏନଟିପିସିକୁ ଫେରାଇ ଅଣାଯାଇ, ଏବେ ପୁଣି ରାଉରକେଲା ଶାନ୍ତି ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ। ହେମଗିର ବ୍ଲକର ଜଣେ ୩୫ ବର୍ଷର ଯୁବକ କରୋନା ସଂକ୍ରମିତ ହୋଇ ୩ ଦିନ ତଳେ ଏନଟିପିସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା, ମୁହଁରେ ଅକ୍ସିଜେନ୍ ଲାଗିଥିଲା। କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସିବା ପରିବର୍ତ୍ତେ ବିଗିଡ଼ି ଯାଉଥିବାରୁ ଡାକ୍ତର ତାଙ୍କୁ ଗତକାଲି ରାତିରେ ରାଉରକେଲା ହାଇଟେକ୍କୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ଗ୍ରହଣ ନକରିବାରୁ ଫେରାଇ ଅଣାଯାଇଥିଲା। ଏହା ପରେ ଆଜି ସକାଳେ ପୁଣି ତାଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର।

ଡାକ୍ତରଙ୍କ ପରାମର୍ଶ ପରେ କୋଭିଡ୍ ପରିଚାଳନା କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦେବା କଥା। କିନ୍ତୁ ଗୁରୁତର ପୁଅକୁ ନେବାକୁ ଆମ୍ବୁଲାନ୍ସ ପାଇଁ ଘଣ୍ଟା ଘଣ୍ଟା ଧରି ଦରାଣ୍ଡି ହେଉଥିଲେ ବାପା। ବ୍ୟବସ୍ଥା ଥିବା ସତ୍ତ୍ବେ ସମନ୍ବୟ ଅଭାବରୁ ଏହି ଅଭାବନୀୟ ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହୋଇଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା।

ସମ୍ବନ୍ଧିତ ଖବର