ସରପଞ୍ଚଙ୍କ ବିରୋଧରେ ଅନିୟମିତତା ଅଭିଯୋଗ : ଜନଶୁଣାଣି ଶିବିରରେ ପକ୍ଷ ରଖିଲେ ସରପଞ୍ଚ

ବାଲିଅନ୍ତା:ସ୍ଥାନୀୟ ପ୍ରତାପଶାସନ (ବାଳକାଟି) ପଞ୍ଚାୟତ ସରପଞ୍ଚ ଭାଗ୍ୟଧର ନନ୍ଦୀଙ୍କ ବିରୋଧରେ ଆଗତ ହୋଇଥିବା ବିଭିନ୍ନ ଅନିୟମିତତା ଅଭିଯୋଗ ଘଟଣା ନେଇ ଆଜି ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି ଶିବିରରେ ସଂପୃକ୍ତ ସରପଞ୍ଚ ନିଜର ପକ୍ଷ ରଖିଛନ୍ତି । ବୈଠକରେ ଏକତ୍ରିତ ହୋଇଥିବା ୧୮ଟି ୱାର୍ଡ଼ର ଶତାଧିକ ଜନ ସାଧାରଣଙ୍କ ଆଗରେ ସରପଞ୍ଚ ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ କରିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ ।

ସରପଞ୍ଚ ଭାଗ୍ୟଧର ନନ୍ଦୀ ସମୂହ ଜନସାଧାଣଙ୍କ ଆଗରେ ପ୍ରଦାନ କରିଥିବା  ସୂଚନା ଅନୁସାରେ ଦାୟିତ୍ବ ନେବା ପରଠାରୁ ଗତ ୪ ବର୍ଷ ମଧ୍ୟରେ ପଞ୍ଚାୟତର ଆୟ ୫ ଗୁଣା ବୃଦ୍ଧି ପାଇ ପାଖାପାଖି ୪୦ ଲକ୍ଷ ଟଙ୍କାରେ ପହଞ୍ଚିଛି । କୁଆଖାଇ ପଠାରେ ମେଘା ୱାର୍ଟର ସପ୍ଲାଏ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିରେ ପଞ୍ଚାୟତ ଅଞ୍ଚଳର ୨୦ ହଜାର ଲୋକଙ୍କ ଘରକୁ ପିଇବା ପାଣି ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ।

ବିଭିନ୍ନ ଉତ୍ସରୁ ସଂଗୃହୀତ ହୋଇଥିବା ଗ୍ରାମ ପଞ୍ଚାୟତ ନିଜସ୍ବ ଫାଣ୍ଠି ଅର୍ଥରେ ବିଭିନ୍ନ ୱାର୍ଡ଼ ସମସ୍ୟାର ସମାଧାନ ଏବଂ   ଲୋକଙ୍କ ହିତ ଲାଗି ଖର୍ଚ୍ଚ ହେବ । ଗ୍ରାମ୍ୟ ସଭା ରେଜ୍ୟୁଲେସନ ଅନୁସାରେ ଏବାବଦ ଟଙ୍କା ଖର୍ଚ୍ଚ କରାଯିବା ନେଇ ପ୍ରସ୍ତାବ ରହିଛି । ସାପ୍ତାହିକ ହାଟ ଓ ବାଳକାଟି ବଜାରରେ ନିର୍ମିତ ହୋଇଥିବା ୨୯ ବଖରା ଦୋକାନ ଘର ବ୍ୟବସାୟୀଙ୍କୁ ବଣ୍ଟନରେ କୌଣସି ପ୍ରିୟାପ୍ରୀତି କରାଯାଇ ନାହିଁ । ପଞ୍ଚାୟତିରାଜ ବିଭାଗ ନୀତି ନିୟମ ଆଧାରରେ ସମଗ୍ର ପଞ୍ଚାୟତ ଅଞ୍ଚଳରେ ଜନ କଲ୍ୟାଣ ଜାରି ରହିଛି ।

ସାପ୍ତାହିକ ହାଟ ପିଣ୍ଡି ନିର୍ମାଣ ସରିଛି । ହସ୍ପିଟାଲ ଛକ ନିକଟରେ ମେଘା ମାର୍କେଟ କପ୍ଲେଂକ୍ସ ଗୃହ ନିର୍ମାଣ ଚାଲିଛି । ଏହାଛଡ଼ା ବଜାର ଭଙ୍ଗାଯିବା ସମୟରେ ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବା ନେଇ ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୪୦୦ରୁ ଅଧିକ ଲୋକ ଜମା ହେବାରୁ ବୈଠକ ଆରମ୍ଭରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗଣ୍ଡଗୋଳ ଆଶଙ୍କାରେ ନିୟୋଜିତ ପୁଲିସ ଅଧିକାରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଥାନା ଅଧିକାରୀ ପ୍ରଦୀପ ରାଉତଙ୍କ ସମେତ ପିଇଓ ଅଜିତ କୁମାର ଶତପଥୀ ଉପସ୍ଥିତ ଥିଲେ । ଗତ ସପ୍ତାହରେ ଅସନ୍ତୁଷ୍ଟ ଗୋଷ୍ଠୀ ଅନିୟମିତତା ନେଇ ସରପଞ୍ଚଙ୍କୁ ଘେରିଲେ ଶୀର୍ଷକ ଖବର ପ୍ରକାଶ ପାଇଥିଲା  ।

ସମ୍ବନ୍ଧିତ ଖବର