କରୋନା ସଚେତନତା ଓ ପ୍ରଭାବର ସର୍ଭେ ରିପୋର୍ଟ; ୫୭% ଲୋକ କମ୍ ହାତ ଧୋଉଛନ୍ତି, ସାମାଜିକ ଦୂରତା ଜାଣନ୍ତିନି ୧୬%

ଜଗତସିଂହପୁର: ଆଂଚଳିକ ବିକାଶ ପରିଷଦ, ଓଡ଼ିଶା ନାମକ ଏକ ବେସରକାରୀ ସଂସ୍ଥା କରୋନା ପ୍ରତି ଲୋକ କେତେ ସଚେତନ ଓ ଏହି ମହାମାରୀ ପାଇଁ କ’ଣ ପ୍ରଭାବ ପଡ଼ିଛି, ଏହା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା। ଏହି ସଂସ୍ଥା ୩୦ଟି ଜିଲ୍ଲାରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ନେଇ ଏହି ସର୍ଭେ କରିଥିଲା। ଜଗତସିଂହପୁର ଜିଲ୍ଲାରେ ହୋଇଥିବା ସର୍ଭେରୁ ମଧ୍ୟ ବେଶ୍ କିଛି ରୋଚକ ତଥ୍ୟ ପଦାକୁ ଆସିଥିବା ନେଇ ଉକ୍ତ ସଂସ୍ଥା ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛି।

ମିଳିଥିବା ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲାରେ ୯୧% ଲୋକଙ୍କ ପାଖରେ ମାସ୍କ ଅଛି। ମାତ୍ର ସେମାନଙ୍କ ମଧ୍ୟରୁ ୪୩% ଲୋକ ଏହାକୁ ବ୍ୟବହାର କରୁଛନ୍ତି। ସେହିପରି କରୋନାଠାରୁ ବର୍ତିବା ପାଇଁ ବାରମ୍ବାର ହାତ ଧୋଇବା ଉପରେ କୁହାଯାଉଛି। ମାତ୍ର ଏବେ ବି ୫୭% ଲୋକ ଦିନକୁ ୫ ଥରରୁ କମ୍ ଥର ହାତ ଧୋଉଛନ୍ତି। ୧୬% ଲୋକ ସାମାଜିକ ଦୂରତା କେତେ ରହିବ, ତାହା ଜାଣନ୍ତି ନାହିଁ। କରୋନା ମହାମାରୀ ସମୟରେ ୨୩% ଲୋକ ଚାକିରି ହରାଇଥିଲେ। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ କିଛି ଅନ୍ୟତ୍ର ଚାକିରି କରୁଥିବା ବେଳେ ୧୬% ଲୋକ ଏବେ ବି ବେକାର ଅଛନ୍ତି।

ଏବେ ବି ୨୫% ଲୋକ ବିନା ଡାକ୍ତରୀ ପରାମର୍ଶରେ ଦୋକାନରୁ ଔଷଧ କିଣି ଖାଉଛନ୍ତି। ସେହିପରି ୩୬% ଲୋକ ଆରୋଗ୍ୟ ସେତୁ ଆପ୍‌ ସମ୍ବନ୍ଧରେ ଜାଣିଛନ୍ତି, ସେଥିମଧ୍ୟରୁ ୧୮% ଲୋକ ପଂଜୀକରଣ କରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦% ଲୋକ ଗୋଟିଏ ସରଳ ବାକ୍ୟ ପଢ଼ିପାରୁ ନାହାନ୍ତି। ୧୫ ବର୍ଷ ବୟସରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକ ଅଧିକ ସଚେତନ ରହୁଥିବା ଦେଖାଯାଉଛି। ଅନ୍ୟମାନେ ସେତେଟା ସଚେତନ ନୁହନ୍ତି। ଓଡ଼ିଶାର ଅଧିକାଂଶ ପିଲାମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବା ବେଳେ ୩୭% ଲୋକ ଚାକିରି ହରାଇଛନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ କରାଯାଇଛି। ସଂସ୍ଥାର ଜଗତସିଂହପୁର ଜିଲ୍ଲାର ସଂଯୋଜକ ମଳୟ କୁଅଁର, ମଧୁସ୍ମିତା ମାଝୀ, ରଶ୍ମିତା ବାରିକ, ରଶ୍ମିତା ଦାସ, ସାଗର କୁମାର ଦାସ, ସନ୍ଧ୍ୟାରାଣୀ ତରାଇ, ଶଙ୍କର ମହାରଣା, ସୌଦାମିନୀ ସାହୁ, ଶିବ କୁମାର ବେଉରା, ସେବତୀ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର