ଯୋଡ଼ା: ଯୋଡ଼ା ସହରରେ ନିର୍ମାଣାଧୀନ ଫ୍ଲାଏଓଭରର ଦୁଇପାର୍ଶ୍ଵରେ ସର୍ଭିସ୍ ରୋଡ ନିର୍ମାଣ କାମ ଚାଲିଛି। ରାସ୍ତାର ଗୋଟିଏ ପାର୍ଶ୍ବ ଏଯାଏ ସମ୍ପୂର୍ଣ୍ଣ ହୋଇନଥିବାରୁ ସହରବାସୀଙ୍କୁ ଯାତାୟାତରେ ସମସ୍ୟା ହେଉଛି। ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ ହୋଇଥିବା ସର୍ଭିସ୍‌ରୋଡର କିଛି ସ୍ଥାନକୁ ବ୍ୟବସାୟୀମାନେ    କବ୍‌ଜା କରିଥିବାରୁ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

Advertisment

କମାରଯୋଡ଼ାଠାରୁ ଯୋଡ଼ାବଜାର ପର୍ଯ୍ୟନ୍ତ ସର୍ଭିସ୍‌ରୋଡ କଡ଼ରେ ଦୋକାନୀମାନେ ଲୁହାରଡ, ସିମେଣ୍ଟ, ଲୁହାଚାଦର ଗଦା କରିଛନ୍ତି। ଏହାଛଡ଼ା, ଚା, ପାନ, ପ୍ଲାଷ୍ଟିକ ସାମଗ୍ରୀ ଦୋକାନ, ଠେଲାଗାଡ଼ି, ମୋଟର ପାର୍ଟସ୍‌, ତେଜରାତି ଦୋକାନୀମାନେ ରାସ୍ତା ଉପରେ ସେମାନଙ୍କ ସାମଗ୍ରୀ ରଖି ବ୍ୟବସାୟ ଆରମ୍ଭ କରିଛନ୍ତି। ଫଳରେ ଗାଡ଼ିମୋଟର ଯାତାୟାତରେ ସମସ୍ୟା ହେଉଛି। କମାରଯୋଡ଼ା ଡାକ୍ତରଖାନା ଯାଉଥିବା ରୋଗୀଙ୍କ ଗାଡ଼ି, ଆମ୍ବୁଲାନ୍ସ ଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଫ୍ଲାଏଓଭର ନିର୍ମାଣ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ସମ୍ପୂର୍ଣ୍ଣ ହୋଇଥିବା ସର୍ଭିସ ରୋଡର ଗୋଟିଏ ପାର୍ଶ୍ବରେ ଲୋକେ ଯାତାୟାତ କରୁଛନ୍ତି। ଏହି ରାସ୍ତାକୁ ବ୍ୟବସାୟୀମାନେ କବ୍‌ଜା କରୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜୁରୁଡ଼ି ଓ ବାମେବାରି ଅଞ୍ଚଳରେ ଲୋକେ ଟ୍ରାଫିକ ସମସ୍ୟା ପାଇଁ ଯୋଡ଼ା ପରିବର୍ତ୍ତେ ୧୫ରୁ ୨୦କିମି ଦୂର ଝୁମ୍ପୁରା ବଜାରକୁ ଯାଉଛନ୍ତି। ଏ ସମ୍ପର୍କରେ ଯୋଡ଼ା ପୌରନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଅଭିଷେକ ପଣ୍ଡାଙ୍କୁ ପଚାରିବାରୁ, ପୁଲିସ ଓ ପୌରପାଳିକା ପକ୍ଷରୁ ଏକ ଏନ୍‌ଫୋର୍ସମେଣ୍ଟ ଟିମ୍‌ କରାଯିବ। ଏହି ଟିମ୍‌ ସର୍ଭିସ୍‌ରୋଡକୁ ଜବରଦଖଲମୁକ୍ତ କରିବ। ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।