୬ଟି ଡମ୍ପର ଚୋରି ଜବତ, ୭ ଗିରଫ

୫ଟି ମୋବାଇଲ୍‌, ୨୩ ଟନ ଡମ୍ପର କଟିଂ ଲୁହା, ୨ଟି ଇଞ୍ଜିନ୍ ଜବତ

ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ପୁଲିସ ୬ଟି ଡମ୍ପର ଚୋରିର ପର୍ଦ୍ଦାଫାସ କରିଛି। ଏ ନେଇ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ମୋବାଇଲ୍‌, ୨୩ ଟନ୍ ଡମ୍ପର କଟିଂ ଲୁହା ଓ ୨ଟି ଇଞ୍ଜିନ ଜବତ କରିଛି। ଗିରଫ ହୋଇଥିବା ୭ ଜଣ ହେଲେ, ଝାଡ଼ଖଣ୍ଡର ଲାଲକୋଟ୍‌ଲି ସିମ୍‌ଡେଗାର ଅନିଲ୍ କାନ୍ଦୁଲାନା(୧୯), ବକ୍ସି ହଟିଂ ବାରସୁଆର ଯୋଶେଫ୍‌ କାନ୍ଦୁଲାନା(୨୨), ଶସ୍ୟକଳାର ପାତ୍ରାସ୍ ଭୁଆଁ (୧୯), ଗୋଘର ରାଜଗାଙ୍ଗପୁରର ଅଜୟ ଟପ୍ପୋ( ୨୪), ମହୁଲଡିହି ରାଜଗାଙ୍ଗପୁରର କ୍ରିଷ୍ଣା ମିଞ୍ଜ (୨୬), ଝାଡ଼ଖଣ୍ଡ ରତନଟୋଲାର ଫରାରୀ ମାହାନ୍ତ (୩୩) ଓ ରାଜଗାଙ୍ଗପୁରର ରାଜନ୍ ସନ୍ନ୍ୟାସୀ(୫୦)। ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଏସ୍‌ଡିପିଓ ସୌରଭ କୁମାର ଓତା ଓ ଲହୁଣିପଡ଼ା ଥାନାଧିକାରୀ ସନ୍ତୋଷ ଜେନା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ୨୦୨୦ ଓ ୨୦୨୧ରେ ବିଭିନ୍ନ ସ୍ଥାନରୁ ୬ଗୋଟି ଡମ୍ପର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ଡ୍ରାଇଭିଂ କରୁଥିବା ବେଳେ ଲକ୍‌ ଡାଉନ୍‌ରେ କାମ ନ ମିଳିବାରୁ ଚୋରି ପନ୍ଥା ଆପଣାଇ ନେଇଥିଲେ। ସେମାନେ ଗାଡ଼ି ଚୋରି କଲାପରେ ରାଜନ ସନ୍ନ୍ୟାସୀଙ୍କ କ୍ରସରରେ ପହଞ୍ଚାଉଥିଲେ। ସେଠାରେ ଗ୍ୟାସ୍ କଟରରେ ଡମ୍ପରର ଯନ୍ତ୍ରାଂଶଗୁଡ଼ିକୁ କାଟି ବିକ୍ରି କରାଯାଉଥିଲା। ଲହୁଣିପଡ଼ା ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଥିବା ସିସିଟିଭି ଫୁଟେଜ୍‌ର ଆଧାରରେ ସେମାନଙ୍କୁ ଧରିବାରେ ସଫଳତା ପାଇଥିଲା। ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହିତ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତା’ର ଖୋଳତାଡ଼ କରୁଛି।

ସମ୍ବନ୍ଧିତ ଖବର