ରାୟଗଡା: ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସମସ୍ତ ସଦସ୍ୟ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ନିଜର ସମୂହ ସର୍ତ୍ତ ମୂଳକ ଇସ୍ତଫା ରାୟଗଡ଼ା ଜିଲ୍ଲାପାଳଙ୍କ ମାଧ୍ୟମରେ ଗତକାଲି ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିଲେ। ତେବେ ସରକାରଙ୍କ ସହ ଆଲୋଚନା ପରେ ସଂଘ ଆଉ ୭ ଦିନ ସମୟ ଦେଇଛି। ପ୍ରାଣୀ ଚିକିତ୍ସକମାନେ ଆଜି ଠାରୁ ଚିକିତ୍ସା କରୁଛନ୍ତି ସତ କିନ୍ତୁ ଡିଜିଟାଲ କାମ କରୁନାହାନ୍ତି। କେବଳ ଚିକିତ୍ସା କରି ଚୁପ ରହୁଛନ୍ତି। ଏଥିପାଇଁ ସରକାରଙ୍କ ଚରମ ଉଦାସୀନତାକୁ ଦାୟୀ କରିଛନ୍ତି। ଗତ ତିନିମାସ ଧରି ଲଗାତାର ସରକାରଙ୍କୁ ଅନୁରୋଧ କରି ଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ନହେବାରୁ ବାଧ୍ୟ ହୋଇ ଏଭଲି ଚରମ ପଦକ୍ଷେପ ନେଇଥିବା ସଂଘର କର୍ମକର୍ତ୍ତା କହିଥିଲେ।
ତେବେ ଜିଲ୍ଲାର ଥିବା ଲକ୍ଷାଧିକ ଗାଈ, ଛେଳି ମେଣ୍ଢାଙ୍କର ଚିକିତ୍ସା କରିବା ପାଇଁ ଯଦି ଡାକ୍ତର ନ ରହିବେ ତେବେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଛି। ଆଜି ସକାଳୁ ସମସ୍ତ ଚିକିତ୍ସକ ନିଜ ନିଜ ଡାକ୍ତରଖାନାରେ କାମରେ ଯୋଗ ଦେଇଥିବା ବେଳେ ଲୋକେ ନିଜର ପଶୁର ଚିକିତ୍ସା କରାଇ ଉପକୃତ ହୋଇଥିଲେ।ଜିଲ୍ଲାରେ ୧୬ଟି ମେଡିକାଲ ରହିଛି। ଏଥିସହ ଜିଲ୍ଲାରେ ୨୭ ଜଣ ଡାକ୍ତର ମଧ୍ୟ ରହିଛନ୍ତି। ଚିକିତ୍ସକ ମାନଙ୍କ କହିବା ଅନୁଯାୟୀ ଆମର ଦାବି ଗୁଡିକ ମଧ୍ୟରୁ ପ୍ରାଣୀ ଚିକିତ୍ସକଙ୍କ କ୍ୟାଡ଼ର ପୁନର୍ଗଠନ, ପ୍ରାଣୀ ଚିକିତ୍ସାଳୟରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା, ଯଥେଷ୍ଟ ଔଷଧ ଯୋଗାଣ କରିବା, ବିଭାଗକୁ ଜରୁରୀକାଳୀନ ସେବା ମଧ୍ୟରେ ଅନ୍ତର୍ଭୁକ୍ତ କରିବା ଓ ପ୍ରାଣୀ ଚିକିତ୍ସାଳୟରେ ନିରାପତ୍ତା ସେବା ପ୍ରଦାନ, କାର୍ଯ୍ୟନିର୍ଘଣ୍ଟ ପ୍ରଦାନ ଇତ୍ୟାଦି ଦଶ ଦଫା ରହିଛି।
ତେବେ ପ୍ରକୃତରେ ସମସ୍ତ ପ୍ରାଣୀ ଚିକିତ୍ସାଳୟରେ ନା ଶୌଚାଳୟ ରହିଛି ନା କୌଣସି ସୁବ୍ୟବସ୍ଥା ଡାକ୍ତର ମାନଙ୍କ ପାଇଁ ରହିଛି। ସାଧାରଣ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ପ୍ରାଣୀ ଚିକିତ୍ସା ପାଇଁ ରହିଥିବା ହସ୍ପିଟାଲରେ ୩ ଟଙ୍କା ଦେବାକୁ ପଡୁଛି। ଏଥିରେ ମଧ୍ୟ ସରକାର ଗରିବ ଲୋକଙ୍କୁ ସହଯୋଗ କରିବା କଥା ବୋଲି ଯୁକ୍ତି ବାଢନ୍ତି ଡାକ୍ତର ସଂଘ। ସେହିପରି ଜିଲ୍ଲାକୁ ଯେତିକି ଔଷଧି ଆସୁଛି ତାହା ହାତୀକୁ ହୋମିଓପାଥି ସଦୃଶ୍ୟ ବୋଲି କହିଥିଲେ। ଆସନ୍ତା ସାତ ଦିନ ମଧ୍ୟରେ ଦାବି ଗୁଡିକ ନ ମାନିଲେ ପୁଣି ଆନ୍ଦୋଳନ ସହ ସମୂହ ଇସ୍ତଫା ଦେବେ ବୋଲି ଧମକାଇଛନ୍ତି। ତେବେ ସରକାର ଏନେଇ ଚିନ୍ତାରେ ପଡିଥିବା ଜଣାପଡିଛି। ପ୍ରାଣୀ ଚିକିତ୍ସକ ମାନେ ଦିନରାତି ପ୍ରାଣୀଙ୍କ ସେବା କରୁଥିବା ଯୁକ୍ତି ବାଢନ୍ତି। ସେମାନଙ୍କୁ କୌଣସି ସୁରକ୍ଷା ପ୍ରଦାନ କରାଯାଉ ନାହିଁ। ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି। ଗାଈଗୋରୁ ଡାକ୍ତର ବୋଲି ଗାଈଗୋରୁ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ କରିଥିଲେ। ତେବେ ଲୋକଙ୍କ ସେବାରେ ଆମେ ଥିବାରୁ ଆମର ସୁବିଧା ମଧ୍ୟ ସରକାର କରିବା ଦରକାର ବୋଲି ଦାବି କରିଛନ୍ତି।