ରାୟଗଡ଼ାକୁ ଆସିଲେ ନୂଆ ୭ ଡାକ୍ତର

ଗୁଣପୁରରେ ପୂରଣ ହେଲା ସ୍ତ୍ରୀ ଓ ପ୍ରସୂତି, ଅସ୍ତ୍ରୋପଚାର ବିଶେଷଜ୍ଞ ପଦବି

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ୫୦ରୁ ଉର୍ଦ୍ଧ୍ବ ଡାକ୍ତରୀ ପଦବି ଖାଲି ପଡିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସରକାର ୭ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି। ନୂଆ ଡାକ୍ତର ଆସିବା ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ସ୍ତ୍ରୀ ଓ ପ୍ରସୂତି ଏବଂ ଅସ୍ଥିଶଲ୍ୟ ଡାକ୍ତର ପଦବି ପୂରଣ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ନଂ-୧୭୩୫୩/ତା:୧୭.୦୬.୨୦୨୧ ଅନୁଯାୟୀ, ବୁର୍ଲା ଭିମସାରରେ ଭେଷଜ ବିଭାଗରେ କାର୍ଯ୍ୟରତ ଡାକ୍ତର ଅଜିତ୍ କୁମାର ଭୋଇଙ୍କୁ ରାୟଗଡ଼ା ମେଡ଼ିକାଲର ଭେଷଜ ବିଭାଗକୁ ବଦଳି ହୋଇଛି।

ସେହିପରି ଭେଷଜ ବିଭାଗର ଡଃ. ଜି‌ତେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ସିନିୟର କନସଲଣ୍ଟାଣ୍ଟ୍ ଭାବେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ, ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର ବିଭାଗରେ କାର୍ଯ୍ୟରତ ଡଃ. ରାମକ୍ରିଷ୍ଣା ଧଳଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ, ଅସ୍ତ୍ରୋପଚାର ବିଶେଷଜ୍ଞ ଡଃ. ଅଜୟ କୁମାରଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର କୁମାର ଦାଶଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ଃ. କିରଣ କୁମାର ସାହୁ ଓ ଶିଶୁ ବ‌ିଶେଷଜ୍ଞ ଡଃ. ଅମ୍ରିତ୍ ଶ୍ରୁତି ପାତ୍ରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଗଦେବା ପାଇଁ ନିର୍ଦେଶ ହୋଇଛି। ନୂତନ ଭାବେ ନିଯୁକ୍ତି ପାଇଥିବା ୭ ଡାକ୍ତର ୨୦୨୨ ଜୁନ୍ ୧୬ ପର୍ଯ୍ୟନ୍ତ କାମ କରିବେ ବୋଲି ଜଣା ପଡିଛି।

ସୂଚନାଯୋଗ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ, ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଓ ୧୨ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବହୁ ବିଶେଷଜ୍ଞ ପଦବି ଖାଲି ପଡିଛି। ଫଳରେ ଜିଲ୍ଲାବାସୀ ଚିକିତ୍ସା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ବିଶେଷଜ୍ଞ ନଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ଓ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରୁଥିବାରୁ ଗରିବ ଲୋକ ଖର୍ଚ୍ଚାନ୍ତ ଶିକାର ହେବା ସହ ଉପଯୁକ୍ତ ଚିକିତ୍ସା ପାଇ ପାରୁନାହାଁନ୍ତି।

ବିଶେଷ କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଶିଶୁ, ସ୍ତ୍ରୀ ଓ ପ୍ରସୂତି, ଅସ୍ତ୍ରୋପଚାର ବିଶେଷଜ୍ଞ ଦୀର୍ଘ ବର୍ଷ ହେଲା ଖାଲି ପଡିଛି। ଗୁଣପୁର ଉପଖଣ୍ଡ ମେଡ଼ିକାଲରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡଃ. ପ୍ରଦୀପ କୁମାର ପଣ୍ଡାଙ୍କୁ ଅନ୍ୟତ୍ର ବଦଳି ପରେ ଦେଢ଼ ବର୍ଷ ହେଲା ଡଃ. ପଣ୍ଡା ଛୁଟିରେ ଅଛନ୍ତି। ଫଳରେ ରୋଗୀ ଓ ରୋଗୀ ସଂପର୍କୀୟ ଚିକିତ୍ସା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଜିଲ୍ଲାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ତ୍ରୀ ଓ ପ୍ରସୂତି ଏବଂ ଅସ୍ତ୍ରୋପଚାର ବିଶେଷଜ୍ଞଙ୍କୁ ଗୁଣପୁର ମେଡ଼ିକାଲରେ ଯୋଗଦେବାକୁ କୁହାଯାଇଛି। ଫଳରେ ଉପଖଣ୍ଡବାସୀ ଚିକିତ୍ସା ସେବା ପାଇପାରିବେ।

ସମ୍ବନ୍ଧିତ ଖବର