ଭଦ୍ରକ ପଞ୍ଚାୟତ ନିର୍ବାଚନ: ଦ୍ବିତୀୟ ଦିନରେ ମଇଦାନରେ ୭୦୮ ପ୍ରାର୍ଥୀ

ବିଜେଡିରୁ ଜିଲ୍ଲା ପରିଷଦ ଲଢିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଯେନା ଓ ଯୁବ ବିଜେଡିର ରାଜ୍ୟ ସମ୍ପାଦକ ପ୍ରିନସ୍ ରାକେଶ ନାୟକ

ଭଦ୍ରକ: ଭଦ୍ରକ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଦ୍ବିତୀୟ ଦିନରେ ମଇଦାନରେ ୭୦୮ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତକାଲି ପ୍ରଥମ ଦିନରେ ୩୯ ଜଣ ସରପଞ୍ଚ, ୧୭ ଜଣ ସମିତି ସଭ୍ୟ ଓ ୩୮୧ ଜଣ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରଥମ ଦିନରେ ଜିଲ୍ଲା ପରିଷଦ ପାଇଁ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନଥିବା ବେଳେ ଆଜି ଦ୍ବିତୀୟ ଦିନରେ ୬ ଜଣ ପ୍ରାର୍ଥୀ ‌ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଆଜି ଜିଲ୍ଲାରେ ୬୬ ଜଣ ସରପଞ୍ଚ, ୫୫ ଜଣ ସମିତି ସଭ୍ୟ ଓ ୫୮୧ ଜଣ ୱାର୍ଡ ସଭ୍ୟ ପାଇଁ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ମୋଟ ୭୦୮ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦୁଇ ଦିନରେ ମଇଦାନରେ ମୋଟ ୧୧୨୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୬ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ଦଳରୁ ୨ ଜଣ ଟାଣୁଆ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବନ୍ତ ବ୍ଲକର ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ଦଳରୁ ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଯେନା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଚାନ୍ଦବାଲି ବ୍ଲକର ୧ ନମ୍ବର ଜୋନ୍‌ରୁ ବିଜେଡି ଦଳରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ରାଜ୍ୟ ଯୁବ ବିଜେଡିର ସମ୍ପାଦକ ପ୍ରିନ୍‌ସ ରାକେଶ ନାୟକ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଭଣ୍ଡାରିପୋଖରରୀର ୨୨ ନମ୍ବର ଜିଲ୍ଲାପରିଷଦ ଜୋନ୍‌ରୁ ଏସୟୁସିଟିସି ଦଳରୁ ପର୍ଶୁରାମ ଲେଙ୍କା ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ସେହି ୨୨ ନମ୍ବର ଜୋନ୍‌ରୁ ବିଏସପି ପ୍ରାର୍ଥୀ ଉର୍ବଶୀ ଜେନା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ‌୨୩ ନମ୍ବର ଜିଲ୍ଲା ପରିଷଦ ଜୋନରୁ ସୁବାସ ଜେନା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚାନ୍ଦବାଲି ବ୍ଲକର ୨ ନମ୍ବର ଜୋନ୍‌ରୁ ସିପିଆଇଏମରୁ ଯୁବ ନେତା ବିକାଶ ନାଥ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଏଇ ପ୍ରାର୍ଥୀ ମାନେ ନିଜର ପ୍ରସ୍ଥାବକ ଓ ସମର୍ଥକଙ୍କୁ ନେଇ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ଦ୍ବିତୀୟ ଦିନ ସୁଦ୍ଧା ବିଜେପି ଓ କଂଗ୍ରେସ ଦଳରୁ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ଆଜି ମଧ୍ୟ ପ୍ରାର୍ଥୀମାନେ କୋଭିଡ କଟକଣାକୁ ମାନି ବିନା ଶୋଭଯାତ୍ରାରେ ଘରୁ ଆସିଥିଲେ।

ଭଦ୍ରକ ଜିଲ୍ଲା – ସରପଞ୍ଚ – ସମିତି ସଭ୍ୟ – ୱା‌ର୍ଡ ମେମ୍ବର – ଜିଲ୍ଲା‌ ପରିଷଦ ସଭ୍ୟ

ଭଦ୍ରକ ବ୍ଲକ – ୪ – ୪ – ୮୦ –
ବାସୁଦେବପୁର- ୧୧ – ୧୨ – ୧୦୯ –
ଭଣ୍ଡାରିପୋଖରୀ – ୫ – ୮ – ୭୨ – ୩
ବନ୍ତ – ୧୩ – ୬ – ୬୫ – ୧
ଚାନ୍ଦବାଲି- ୧୨ – ୬ – ୯୧ – ୨
ଧାମନଗର – ୮ – ୧୨ – ୪୧ –
ତିହିଡି – ୧୩ – ୭- ୧୨୩ –
ମୋଟ ୬୬ – ୫୫ – ୫୮୧ – ୬

ସମ୍ବନ୍ଧିତ ଖବର