ଖୁଣ୍ଟୁଣି: କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଓ ମାଣତ୍ରି ଗାଁରେ ସରକାରୀ ଜମିରୁ ମାଟି ଉଠାଇବାକୁ ନେଇ ଶନିବାର ୨ଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ଜଣେ ମହିଳାଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ମାଣିତ୍ରୀ ଗାଁରୁ ଆସିଥିବା ଗୋଷ୍ଠୀରୁ ୨ ଜଣ ଆହତ ହୋଇଥିବା ବେଳେ ଖଣ୍ଡବନ୍ଧ ଗାଁର ଶ୍ରୀଧର ବେହେରା, ତାଙ୍କର ସ୍ତ୍ରୀ ସସ୍ମିତା ବେହେରା, ପୁତୁରା ବିଭୂତି ବେହେରା ଓ ଗାଁର କାର୍ତ୍ତିକ ଦେହୁରୀଙ୍କ ବ୍ୟତୀତ ଆଉ ଜଣେ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଖୁଣ୍ଟୁଣି ଓ ଆଠଗଡ଼ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ ଖଣ୍ଡବନ୍ଧ ଗାଁର ଶ୍ରୀଧର ବେହେରା ନିଜ ଗାଁରେ ଥିବା ୫ରୁ ୬ ଏକର ସରକାରୀ ଜମିକୁ ଦୀର୍ଘ ୪୦ ବର୍ଷ ଦଖଲ କରିଆସୁଥିଲେ। ଶ୍ରୀ ବେହେରା ନିଜେ ଦଖଲ କରିଥିବା ଜମିରେ ପନିପରିବା ଚାଷ କରୁଥିଲେ। ତେବେ ମାଣିତ୍ରୀ ଗାଁର ୯ ଜଣ ଲୋକ ହଠାତ୍‌ ସେହି ସରକାରୀ ଜମିକୁ ଆମର ବୋଲି ଦାବି କରିଥିଲେ।

ତେବେ ସରକାରୀ ଜମି ଉପରେ ଶ୍ରୀଧର ବେହେରା ଓ ମାଣିତ୍ରୀ ଗାଁର ୯ ଜଣ ଲୋକଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଚାଲିଥିବା ବେଳେ ଆଜି ଅପରାହ୍ନ ୪ଟା ୩୦ରେ ରେଙ୍ଗାଲି କେନାଲ ପାଇଁ ମାଟି ଉଠାଇବାକୁ ଏକ ପୋକଲିନ୍‌ ମେସିନ ପହଞ୍ଚିଥିଲା। ମେସିନ୍‌ ସାହାଯ୍ୟରେ ମାଟି ଉଠାଯାଉଥିବା ବେଳେ ଉଭୟ ଗୋଷ୍ଠୀର ଲୋକେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ଘଟଣାସ୍ଥଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ହିଂସାର ରୂପ ନେଇଥିଲା। ମାଟି ଖେଳାଯାଉଥିବା ସମୟରେ ଉଭୟ ଗୋଷ୍ଠୀର ଲୋକେ ପୋକଲିନ୍‌ ମେସିନ ଓ ୨ଟି ବାଇକ୍‌ ଭଙ୍ଗାରୁଜା କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।