ଭଦ୍ରକ: ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନକ୍ରମେ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସୁବ୍ରତ ଦାସ ୭ ଜଣ କଂଗ୍ରେସ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ଠାରୁ ଆଜି ପର୍ଯ୍ୟନ୍ତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ବେଦରୂପ ମହାନ୍ତି, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଦିଲ୍ଲୀପ ନାୟକ, ପ୍ରାକ୍ତନ କାଉନସିଲର ସେକ୍ ସମଦାନୀ, ପ୍ରାକ୍ତନ କାଉନସିଲର ଅତୁଲ୍ୟ ନାୟକ, ପ୍ରାକ୍ତନ କାଉନସିଲର ଉର୍ମିଳା ଚୌଧୁରୀ, ପ୍ରାକ୍ତନ କାଉନସିଲର କାମେଶ ପରିଡା ଓ କଂଗ୍ରେସ ସେବା ଦଳର ସେକ୍ ନଇମଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ତାସ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି।
ଗୋଟିଏ ପଟେ କଂଗ୍ରେସ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଜିଲ୍ଲା ସଭାପତି ଶ୍ରୀ ଦାସ ନିଲମ୍ବନ କରିଥିବା ବେଳେ ଅନ୍ୟପକ୍ଷରେ ନିଜର ବ୍ୟକ୍ତିଗତ ସମସ୍ୟା ପାଇଁ ଦଳର ଜିଲ୍ଲା ଉପସଭାପତି ଓ ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି ବୋଲି ଦିଲ୍ଲୀପ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ନିଜର ଇସ୍ତଫା ପତ୍ର କଂଗ୍ରେସର ଜିଲ୍ଲା ସଭାପତିଙ୍କୁ ପଠାଇ ଦେଇଛନ୍ତି ବୋଲି କହିଛନ୍ତି। ସେହିପରି ଦଳର ପୂର୍ବତନ ସାଧାରଣ ସଂପାଦକ ଦେବରୂପ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳକୁ ଭୋଟର ପ୍ରତ୍ୟାଖାନ କରିଛନ୍ତି। ମୋତେ ନିଲମ୍ବନ କରିବା ଜିଲ୍ଲା ସଭାପତିଙ୍କର କ୍ଷମତା ବାହାରେ। ଏହା ଏକ ହାସ୍ୟାସ୍ପଦ ଘଟଣା। ମୁଁ ଲୋକଙ୍କ ସହିତ ରହି କାମ କରୁଛି। ତେଣୁ ଦଳରୁ ନିଲମ୍ବିତ ହେବା ପାଇଁ କିଛି ଫରକ ପଡିବ ନାହିଁ।
ସେହିପରି ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ କାଉନସିଲର ଉର୍ମିଳା ଚୌଧୁରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୋତେ ନିଲମ୍ବନ କରିବା ଏକ ଚକ୍ରାନ୍ତ। ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ। କିମ୍ବା କୌଣସି ଦଳକୁ ଯାଇ ନାହିଁ। କଂଗ୍ରେସ ଦଳରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି। ଏବେ ମଧ୍ୟ ମୁଁ ଦଳରେ ଅଛି। ମୋର ନିଲମ୍ବନ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୁଶ୍ରୀ ଉର୍ମିଳା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
କଂଗ୍ରେସର ସ୍ଥିତି ଭଲ ନଥିବା ବେଳେ ଏହିଭଳି ସ୍ଥିତିରେ ନେତାଙ୍କୁ ନିଲମ୍ବନ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଏହା କଂଗଗ୍ରେସକୁ ଆହୁରି କ୍ଷତି ପହଞ୍ଚାଇବ ବୋଲି ନିଲମ୍ବିତ କଂଗ୍ରେସ ନେତାମାନେ ମତ ଦେଇଛନ୍ତି। ଏଇ ଘଟଣା ପରେ ଭଦ୍ରକ ଜିଲ୍ଲା କଂଗ୍ରେସ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏହା ପୂର୍ବରୁ କଂଗ୍ରେସ ସଂଗଠିତ ହେବା ପରିବର୍ତ୍ତେ ଦଳରୁ ନେତାଙ୍କୁ ନିଲମ୍ବନ ଘଟଣା ତଳସ୍ତରରୁ କର୍ମୀଙ୍କ ମନୋବଳକୁ ଆହୁରି ଦୁର୍ବଳ କରୁଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସର ଏଭଳି ଅବସ୍ଥା ଲାଗି ରହିଲେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ କିଭଳି ଦଳ ସାମ୍ମନା କରିବ ତାହାକୁ ନେଇ ତୃଣମୂଳ ସ୍ତରର କଂଗ୍ରେସ ନେତା ଓ କର୍ମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Congress-flags-1.jpg)