ଜୟପୁର କଲେଜରୁ-ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୭୫ବର୍ଷର ଯାତ୍ରା

ଜୟପୁର: ୧୯୪୭ ମସିହା ଜୁଲାଇ ୧ତାରିଖ ଦିନ ଜୟପୁର କଲେଜ ଆରମ୍ଭ ହୋଇଥିଲା। ପ୍ରଥମ ଅଧ୍ୟକ୍ଷ ଭାବେ କେଏମ୍ ଦ୍ବିବେଦୀ କଲେଜ ଆରମ୍ଭ କରିଥିଲେ। ୪୯ଜଣ ଛାତ୍ର, ୯ଜଣ ଅଧ୍ୟାପକ, ୨୦ଜଣ ଛାତ୍ରାବାସର ଛାତ୍ରଙ୍କୁ ନେଇ କଲେଜ ଆରମ୍ଭ ହୋଇଥିଲା। ଜୟପୁର ରାଜା ରାଜଶ୍ରୀ ବିକ୍ରମ ଦେବ ବର୍ମା କଲେଜ ପାଇଁ କୋଠା ଓ ଜମି ଦେଇଥିଲେ।

୧୯୫୧ ମସିହାରେ ରାଜାଙ୍କୁ ସମ୍ମାନ ଓ ପୂଜ୍ୟପୂଜା ଜଣାଇ କଲେଜର ନାଁକୁ ପରିବର୍ତ୍ତନ କରି ‘ବିକ୍ରମ ଦେବ କଲେଜ’ କରାଯାଇଥିଲା। ବର୍ତ୍ତମାନର ପିଜି (ସ୍ନାତକ‌ୋତ୍ତର) ବିଭାଗରେ କଲେଜ ପ୍ରଥମେ ଆରମ୍ଭ ହୋଇଥିଲା। ପ୍ରଥମ ଗ୍ରେଡ କଲେଜ ଭାବେ ୧୯୬୧ମସିହାରୁ ରହିବା ସହ ଅଣ୍ଡର ଗ୍ରାଜୁଏଟ୍ କଲେଜ ଭାବେ ବିଜ୍ଞାନ ଓ ହ୍ୟୁମାନିଟି ଆରମ୍ଭ ହୋଇଥିଲା। ସେତେବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧିନରେ ଏହି କଲେଜଟି ଅନୁବନ୍ଧିତ ହୋଇଥିଲା।

୧୯୬୭ମସିହା ଜାନୁଆରି ୨ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆରମ୍ଭ ହେବା ପରେ ଏହା ଅଧିନରେ ବିକ୍ରମ ଦେବ କଲେଜ ରହିଥିଲା। ୧୯୬୮ରୁ ୧୯୭୩ ମସିହାରେ ସମ୍ମାନ ଆରମ୍ଭ ହୋଇଥିଲା। ୧୯୭୯ମସିହାରେ ଇତିହାସ ବିଭାଗ ଖୋଲିବା ସହ ପରବର୍ତ୍ତୀ ସମୟରେ ଅର୍ଥନିତୀ, ବାଣିଜ୍ୟ, ରାଜନୀତି ବିଜ୍ଞାନ ଆଦି ଖୋଲି ଥିଲା। ୧୯୮୩ ମସିହାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୨ ବାଣିଜ୍ୟ, କଳା ଓ ବିଜ୍ଞାନ ଖୋଲିଥିଲା। ୧୯୯୩ମସିହାରେ କ୍ୟାମେଷ୍ଟ୍ରି ବିଷୟରେ ସ୍ନାତକୋତ୍ତର ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତନ ହୋଇ ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍, ବିଏଡ୍ ସହ କମ୍ପ୍ୟୁଟର ସାଇନସନ୍ ଆଦି ୧୬ଟି ବିଷୟରେ ପାଠ୍ୟକ୍ରମ ଖୋଲିଛି। ୧୯୯୧-୯୨ମସିହାରେ କଲେଜ ଲିଡ୍ କଲେଜ ଭାବେ ରାଜ୍ୟସରକାର ଘୋଷଣା କରିଥିଲେ।

Sambad

୨୦୦୪-୦୫ ଶିକ୍ଷାବର୍ଷରେ ଏହାର ସ୍ୱୟଂଶାସିତ ଅନୁଷ୍ଠାନ ମାନ୍ୟତା ପାଇଲା। ଏହାରି ମଧ୍ୟରେ ଆଉ ନବୀକରଣ ହୋଇପାରିନଥିଲା। ନାକ ଟିମ୍ ଗସ୍ତ କରି ଏକ୍ରିଡେସନ୍ ‘ବି’ବର୍ଗରେ ଏହି ମହାବିଦ୍ୟାଳୟକୁ ସ୍ଥାନ ଦେଇଛନ୍ତି। ସଂପ୍ରତି ରାଷ୍ଟ୍ରୀୟ ଶିକ୍ଷା ବିକାଶ ଯୋଜନାରେ ସ୍ବୟଂ ଚାଳିତ ଲାଇବ୍ରେରିରେ ୫୦ହଜାର ବହି ରହିଛି। ପ୍ରତିବର୍ଷ ୪ହଜାର ପିଲା ବିଭିନ୍ନ ପାଠ୍ୟକ୍ରମରେ ପଢ଼ୁଛନ୍ତି। ସବୁ ଜମିର ସତ୍ତ୍ବ ମିଳି ନଥିବା ବେଳେ ୧୧ଏକାରର ମିଳିଛି। ବଳକା ୧୩ ଏକରର ମିଳିବା ବାକି ରହିଛି। ସ୍ବଳ୍ପ ସଂଖ୍ୟକ ସ୍ଥାୟୀ ପ୍ରାଧ୍ୟାପକ, ଅଧ୍ୟାପକ ରହିଥିବା ବେଳେ ଅତିଥି ଅଧ୍ୟାପକଙ୍କ ଦୟାରେ ସଂପ୍ରତି କଲେଜ ଚାଳିଛି।

ଉଲ୍ଲେଖନୀୟ ଆଲୁମିନି ଏବଂ ବିକ୍ରମ ଦେବ ମହାବିଦ୍ୟାଳୟର ଛାତ୍ରମାନଙ୍କୁ ବିକ୍ରମାଇଟ୍ ମଧ୍ୟ କୁହାଯାଏ। ଏହି ୭୫ବର୍ଷ ମଧ୍ୟରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି, ସୋନପୁର, ନୂଆପଡା, ବଲାଙ୍ଗୀର, ବରଗଡ଼ ଆଦି ଜିଲ୍ଲାର ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ମହାବିଦ୍ୟାଳୟରେ ପାଠ ପଢ଼ି ନିଜର ସୁନ୍ଦର ଭବିଷ୍ୟତ ଗଠନ କରିଛନ୍ତି।

Sambad

ଆଜି ବି ବହୁ ବିକ୍ରମାଇଟ୍ ‌ରାଜ୍ୟର କୋଣ ଅନୁକୋଣରୁ ଆରମ୍ଭ କରି ଦେଶର ବିଭିନ୍ନ ରାଜ୍ୟ ଓ ଅନ୍ତର୍ଜାତୀସ୍ତରରେ ବିଭିନ୍ନ କ୍ଷେତ୍ରରେ ନିଜ ନାଁକୁ ପ୍ରତିପାଦନ କରି ଉଚ୍ଚସ୍ଥାନ ଗୁଡିକରେ କାମ କରି ଆସୁଛନ୍ତି। ଏହି କଲେଜର ପରେ ପ‌ରେ ଆରମ୍ଭ ହୋଇଥିବା ବଲାଙ୍ଗୀର ଓ ଭବାନୀପାଟଣା ସରକାରୀ କଲେଜ ଗୁଡିକ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇସାରିଥିବା ବେଳେ ବିକ୍ରମଦେବ କଲେଜ କେବେ ମାନ୍ୟତା ପାଇବ ଏ ନେଇ ବହୁବାର ଆନ୍ଦୋଳନ ଦାବି ଜାରି ରହିଥିଲା।

ବିଭିନ୍ନ ସମୟରେ ଏହି ଦାବିକୁ ନେଇ ଛାତ୍ର ସଂସଦର ସଭାପତି, ଛାତ୍ର ନେତାମାନେ ଆନ୍ଦୋଳନ ଓ ଅନଶନ କରିବା ବି ନଜିର ରହିଛି। ଏହା ସହ ଜୟପୁର ପ୍ରେସ କ୍ଲବ ଓ ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ଏ ନେଇ ବି ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଏହି ଦାବି ସମ୍ବଳିତ ସ୍ମାରକପତ୍ର ବି ପ୍ରଦାନ କରାଯାଇଥିଲା। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବାରମ୍ବାର ବିଧାନସଭାରେ ବି ଏ ପ୍ରସଙ୍ଗକୁ ନେଇ ଉଥାପନ କରି ଆସିଥିଲେ। ଏବେକାର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ବି ଏ ନେଇ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରି ଆସିଥିଲେ। ଶେଷକୁ ମୁଖ୍ୟମନ୍ତ୍ରୀ ୭୫ବର୍ଷ ପୂର୍ତ୍ତି ଅବସରେ ବିଶ୍ବବିଦ୍ୟାଳୟ ମାନ୍ୟତା ସଂପର୍କରେ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର