ଏବେ ବି ବିପଦ ସଂକେତ ଉପରେ ମହାନଦୀ, ପାଣି ଘେରରେ ୭୦ ହଜାର ଲୋକ

ବାଙ୍କୀ ଏନ୍‌ଏସିରେ ପଶିଲା ବନ୍ୟାଜଳ, ୪ ୱାର୍ଡ ଜଳବନ୍ଦି, ଅଗ୍ନିଶମ ଓ କୃଷି ବିଭାଗ କାର୍ଯ୍ୟାଳୟରେ ବନ୍ୟାଜଳ

ବାଙ୍କୀ: ବାଙ୍କୀ ଉପଖଣ୍ଡରେ କ୍ରମାଗତ ଦ୍ବିତୀୟ ଦିନ ବନ୍ୟା ବିଭୀଷିକା ଅବ୍ୟାହତ ରହିଛି। ଗତକାଲି ରାତିରୁ ବାଙ୍କୀ ଏନ୍‌ଏସିର ବିଭିନ୍ନ ୱାର୍ଡରେ ବନ୍ୟାଜଳ ପ୍ରବେଶ କରିଛି। ୧୪, ୧୫, ୧୬ ଓ ୧୭ ନମ୍ବର ୱାର୍ଡର ଜନସାଧାରଣ ଜଳବନ୍ଦି ହୋଇ ରହିଛନ୍ତି। ୩ ଓ ୪ ନମ୍ବର ୱାର୍ଡରେ ବନ୍ୟାଜଳ ପ୍ରବେଶ କରିବାରୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେହିପରି କଇଁମୁଣ୍ଡି, ଚାରିଘରିଆ, ତଳ ଓ ଉପର ପାଥପୁର, ବିଲିପଡ଼ା, ଶୁଖୁଆଖଳା, ଯୋରୁକୂଳ, ମନ୍ତ୍ରୀସାହି, ବରପଦନପୁର, ତେନ୍ତୁଳିଆ, ସାଁପୁର, ରତାଗଡ଼, ବାଉଁଶପୁଟ, ବନ୍ଦାଳ, କନ୍ତପହଁରା ଆଦି ଗ୍ରାମକୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବାଙ୍କୀ ସହରସ୍ଥିତ କୃଷି ବିଭାଗ ଓ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ବନ୍ୟାଜଳ ପ୍ରବେଶ କରିବାରୁ ସମସ୍ତ ଆସବାବପତ୍ର ଓ ଯାନବାହନ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବନ୍ୟାଜଳର ସ୍ରୋତ ଚାଲିଥିବାରୁ ମୁଖ୍ୟ ସଡ଼କ ପଥରେ ବାଙ୍କୀରୁ କଟକ, ଖୋର୍ଦ୍ଧା, ବୈଦେଶ୍ବର ଆଦି ସ୍ଥାନକୁ ଗମନାଗମନ ଠପ୍ ହୋଇଯାଇଛି। ତେବେ ଆଜି ସନ୍ଧ୍ୟାରୁ ବନ୍ୟାଜଳ ହ୍ରାସ ପାଉଥିବାରୁ ଜନସାଧାରଣ ସାମାନ୍ୟ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ବନ୍ୟା ଭୟରେ ସହରାଞ୍ଚଳର ଅନେକ ଲୋକ ଘରୁ ବାହାରୁ ନାହାନ୍ତି। ସେହିପରି ଗୃହପାଳିତ ପଶୁଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ, ମହାନଦୀରେ ଗୟଳବାଙ୍କ ଗ୍ରାମର ଅମର ଦାସ ନାମକ ବୃଦ୍ଧ ନିଖୋଜ ହୋଇଯାଇଥିବା ଜଣାଯାଇଛି। ବାଙ୍କୀ ପଥୁରିପଡ଼ାସ୍ଥିତ ମହାବେରେଣାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଥିବାରୁ ନୀତିକାନ୍ତି ପ୍ରଭାବିତ ହୋଇଛି। ବଳଭଦ୍ରପୁର ପଞ୍ଚାୟତ ଗୌଡ଼ଛେଲି ଗ୍ରାମର ପ୍ରାୟ ୭୦୦ ଏକର ଧାନଜମି ବାଲିଚର ହୋଇଥିଲା ବେଳେ ନୂତନ ରାସ୍ତା ଧୋଇ ଯାଇଥିବା ଦେଖିବାକୁ ମିଳିଛି।

ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡକ୍ଟର ସୁରେଶଚନ୍ଦ୍ର ଦଳେଇ, କଟକ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ତହସିଲଦାର ସତ୍ୟରଞ୍ଜନ ପଣ୍ଡା ପ୍ରମୁଖ ବାଙ୍କୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ସୁବର୍ଣ୍ଣପୁର, ଘୋଡ଼ାବର, ଓସ୍ତିଆ, ଶୁଖୁଆଖଳା, ଗେଙ୍ଗୁଟିଆ ଆଦି ପରିଦର୍ଶନ କରିବା ସହ ବିପନ୍ନ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ରାଜସ୍ବ କମିସନର୍‌, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଶୂନ୍ୟ ମୃତ୍ୟୁହାର ନେଇ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପଳ ଶ୍ରୀ ଖଣ୍ତାୟତରାୟ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡକ୍ଟର ଦଳେଇ ପ୍ରଭାବିତ ସ୍ଥାନଗୁଡ଼ିକରେ ରିଲିଫ୍‌ ବଣ୍ଟନ, ପାନୀୟଜଳ ଯୋଗାଣ, ଅତ୍ୟାବଶ୍ୟକ ଔଷଧ, ସାପକାମୁଡ଼ା ଇଞ୍ଜେକ୍ସନ୍‌, ଗୋଖାଦ୍ୟ ମହଜୁଦ ରଖିବା ସହ ଆବଶ୍ୟକସ୍ଥଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଶୂନ୍ୟ ମୃତ୍ୟୁହାର ବଜାୟ ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେିଥିଲେ। ପ୍ରଶାସନର ସୂଚନା ଅନୁସାରେ, ଆଜିସୁଦ୍ଧା ବନ୍ୟାରେ ବାଙ୍କୀ ଓ ଡମପଡ଼ା ବ୍ଲକ୍‌ର ୨୮ଟି ପଞ୍ଚାୟତର ୬୮ ଗ୍ରାମ ଏବଂ ଏନ୍‌ଏସି କ୍ଷତିଗ୍ରସ୍ତ ହୋଇଛି। ବାଙ୍କୀ ବ୍ଲକର ୩୨ ହଜାର ୯୬ଜଣ, ଡମପଡା ବ୍ଲକ୍‌ର ୬୮ ହଜାର ୨୦୦ ଓ ବାଙ୍କୀ ଏନ୍ଏସିର ୮ ହଜାର ୮୮୨ ଜଣ (ମୋଟ ୧ ଲକ୍ଷ ୯ ହଜାର ୧୭୮ଜଣ) ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାସହ, ବାଙ୍କୀ ବ୍ଲକ୍‌ର ୩୦ଟି ଗ୍ରାମର ୩୨ ହଜାର ୯୬, ଡମପଡ଼ା ବ୍ଲକ୍‌ର ୨୦ଟି ଗ୍ରାମର ୨୮ ହଜାର ୫୮୦ ଏବଂ ବାଙ୍କୀ ଏନ୍‌ଏସିର ୮ଟି ୱାର୍ଡର ୮ ହଜାର ୮୮୨ ଏହିପରି ମୋଟ ୫୮ଟି ଗ୍ରାମର ୬୯ ହଜାର ୫୫୮ଜଣ ବନ୍ୟା ଘେରରେ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏବେସୁଦ୍ଧା ୩ ହଜାର ୫୫୫ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ତିନିଦିନ ପାଇଁ ୬ଟି ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଥିବା ପ୍ରକାଶ। ଅନ୍ୟପଟେ, ବାଙ୍କୀ ଏନ୍‌ଏସି ପକ୍ଷରୁ ୩, ୪, ୧୪, ୧୫, ୧୬ ଓ ୧୭ ନମ୍ବର ୱାର୍ଡରେ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟଜଳ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର