ପୁରୀରେ ସେକ୍ସ ରାକେଟ ଠାବ : ଆପାର୍ଟମେଣ୍ଟରୁ ୨ ଯୁବତୀ ଉଦ୍ଧାର, ୩ ଯୁବକ ଗିରଫ

ପୁରୀ: ସ୍ଥାନୀୟ ବାଲିଆପଣ୍ଡା ଅଂଚଳରେ ଏକ ସେକ୍ସ ରାକେଟ ଠାବ ହୋଇଛି । ସେକ୍ସ ରାକେଟ ସହ ଜଡ଼ିତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବାଲିଆପଣ୍ଡା ଥାନା ପୁଲିସ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚିନ୍ମୟ ସ୍ୱରୂପ ପଣ୍ଡା, ଚିନ୍ମୟ ରଂଜନ ରାଉତ ଓ ସୁନୀଲ କୁମାର ସାମଲ । କିନ୍ତୁ ପୁଲିସ ଆଖିରୁ ଜଣେ ଅଭିଯୁକ୍ତ ଖସିଯାଇଛି । ଚଢ଼ାଉ ସମୟରେ ପୁଲିସ ୨ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି । ତେବେ ଚିନ୍ମୟ ପଣ୍ଡା ଓ ଚିନ୍ମୟ ରାଉତ ସେକ୍ସ ରାକେଟରେ ସଂପୃକ୍ତ ଥିବା ବେଳେ ସୁନୀଲ ଓ ଫେରାର ଅଭିଯୁକ୍ତ ଏ ବିଷୟରେ ସବୁ ଜାଣିଥିବାରୁ ସେମାନଙ୍କ ଠାରୁ ବଡ଼ ରକମର ଟଙ୍କା ଦାବି କରି ଧମକ ଦେଇଥିଲେ । ଏହି ୨ ଦଳ ମଧ୍ୟରେ ଯୁକ୍ତିତର୍କ ହେବା ସମୟରେ ପୁଲିସ ଘଟଣାସ୍ଥଳକୁ ପହଂଚିଥିଲା।

ସୂଚନା ଅନୁସାରେ ବାଲିଆପଣ୍ଡା ଅଂଚଳରେ ଥିବା କ୍ରିଷ୍ଣା ସି ସାଇଟ ଆପାର୍ଟମେଣ୍ଟର ୧୦ ନମ୍ବର ବ୍ଲକର ୧୦୩ ନମ୍ବର ରୁମରେ ସେକ୍ସ ରାକେଟ ଚାଲିଥିଲା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଂଚଳର ଜଣେ ୨୧ ବର୍ଷୀୟ ଯୁବତୀ ଏ ବାବଦରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଯାଜପୁର ରୋଡ ଥାନା ଅଂଚଳର ଚିନ୍ମୟ ସ୍ୱରୂପ ପଣ୍ଡା, ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗାଁର ଚିନ୍ମୟ ରଂଜନ ରାଉତ ଓ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଂଚଳର ରାମପୁର ଗାଁର ଅଭିଯୁକ୍ତ ସୁନୀଲ କୁମାର ସାମଲ ମଧ୍ୟ ଗିରଫ କରିଥିବା ବେଳେ ଜଣେ ଖସିଯାଇଛି । ଉଦ୍ଧାର ହୋଇଥିବା ଯୁବତୀମାନେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାଯାଇଛି । ସେମାନେ ଦଲାଲଙ୍କ ମାଧ୍ୟମରେ ପୁରୀକୁ ଆସି ଦେହ ବ୍ୟବସାୟରେ ଲିପ୍ତ ଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି । ଚଢ଼ାଉ ସମୟରେ ଏକ ସ୍କର୍ପିଓ, ୨ଟି ବ୍ୟବହୃତ ଓ ୪ଟି ଅବ୍ୟବହୃତ ଗର୍ଭନିରୋଧକ, ଔଷଧ, ନଗଦ ୪ ହଜାର ୨୦୦ ଟଙ୍କା ଜବତ ହୋଇଛି । ଏସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର