ସେକ୍ସ ରାକେଟ ଠାବ, ରାଣୀ ମହୁମାଛି ସମେତ ୪ ଗିରଫ

ଜଣେ ନାବାଳିକା ଓ ୨ ଜଣ ଯୁବତୀ ଉଦ୍ଧାର

ବରଗଡ଼: ପାଇକମାଲ ଥାନା ନୃସିଂହନାଥ ରାସ୍ତା ତହସିଲ ଛକ ନିକଟରେ ଥିବା ଏକ ଘରେ ଶୁକ୍ରବାର ରାତିରେ ପାଇକମାଲ ପୁଲିସ ଚଢ଼ାଉ କରି ଏକ ସେକ୍ସ ରାକେଟର ଠାବ କରିଛି। ପ୍ରାପ୍ତ ସୂଚନା ଅନୁସାରେ ତହସିଲ ଛକ ନିକଟସ୍ଥ ରହୁଥିବା ଶାନ୍ତିଲତା ବନଛୋର (୩୫)ନାମକ ମହିଳା ଘରେ ତିନିଜଣ ଯୁବତୀଙ୍କୁ ଆଣି ତାଙ୍କ ଦ୍ୱାରା ଦେହ ବ୍ୟବସାୟ କରାଇବା ସହିତ ମହିଳାମାନଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲା। ସେହି ମହିଳାମାନଙ୍କ ଭିତରୁ ଜଣେ ନିର୍ଯାତନା ସହି ନ ପାରି ଶୁକ୍ରବାର ରାତି ପାଇକମାଲ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ତୁରନ୍ତ ଘଟଣା ସ୍ଥଳେ ପହଂଚି ଜଣେ ନାବାଳିକା ଓ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ରାଣୀ ମହୁମାଛି ଶାନ୍ତିଲତା ଓ ତାର ତିନିଜଣ ସହଯୋଗୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ବିଭିନ୍ନ ସ୍ଥାନରୁ ମହିଳାମାନଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଇବା ଓ କିଛି ମହିଳାଙ୍କୁ ବାହାର ରାଜ୍ୟରେ ବିକ୍ରି କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ରାଣୀ ମହୁମାଛି ସହିତ ଗିରଫ ହେଇଥିବା ଅନ୍ୟ ବ୍ୟକ୍ତି ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଥାନା ତେଲେନପାଲି ଗ୍ରାମର ଶ୍ୟାମ ସୁନ୍ଦର ପ୍ରଧାନ ଗଡ଼ତିଆ (୩୭), ପାଇକମାଲଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ପ୍ରଭାସ ତାଣ୍ଡି (୫୫) ଓ ଦିବ୍ୟକିଶୋର ତାଣ୍ଡି (୩୫)। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ସହିତ ସମସ୍ତଙ୍କର ଡାକ୍ତରୀ ମାଇଁନା କରାଇବା ପରେ ବରଗଡ଼ ସ୍ପେଶାଲ କୋର୍ଟକୁ ଚାଲାଣ କରିଛି। ପୀଡିତ ତିନି ଜଣକୁ ଥାନାରେ ଅଟକ ରଖିବାସହ ଅନ୍ୟତ୍ର ରଖାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଆଇ.ଆଇ .ସି ଶ୍ରୀ ମନବୋଧ କହିଛନ୍ତି।

ସମ୍ବନ୍ଧିତ ଖବର