ବଲାଙ୍ଗୀର: ପୁଇଁତଲା ଥାନା ପୁଲିସ ବୁରୋଭାଡ଼ି ଗାଁରେ ସେକ୍ସ ରାକେଟ ଠାବ କରିବା ପରେ ପୁଲିସ ଏବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ମେଡିକାଲ କଲେଜ ନିକଟସ୍ଥ ଏକ ଘରେ ସେକ୍ସ ରାକେଟ ଚାଲିଥିବା ସମୟରେ ଟାଉନ ଥାନା ପୁଲିସ ଗୁରୁବାର ୨ ଜଣ ଦେହଜୀବୀ ଓ ୩ ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି। ଗିରଫ ୩ ଯୁବକଙ୍କ ମଧ୍ୟରେ ତରଭା ଥାନା ବଡ଼ଜୋର ଗାଁର ଭଗବନ ନାଏକ(୨୨), ପୁଇଁତଲା ଥାନା ସିଲେଟପଡା ଗାଁର ଭୋଜରାଜ କାଲସାଏ(୩୧) ଓ ଅଶୋକ ନାଏକ(୪୪) ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ଜଣ ଦେହଜୀବୀଙ୍କ ମଧ୍ୟରୁ ଜଣେ ପାଟଣାଗଡ଼ ଲରମ୍ଭା ଅଂଚଳର ଓ ଆଉ ଜଣେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଂଚଳର ବୋଲି ଜଣାଯାଇଛି। ପୁଲିସ ଗ୍ରାହକ ସାଜି ସବୁ ଘଟଣା ଉପରେ ଅବଗତ ହେବା ପରେ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି।
ପ୍ରକାଶ ଯେ, ବହୁ ଦିନରୁ ମେଡିକାଲ କଲେଜ ଅଂଚଳରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହେଉଥିଲା। ପୁଲିସ ଉକ୍ତ ଅଂଚଳରେ କିଏ ସେକ୍ସ ରାକେଟ ଚଳାଉଛି ତା’ ଉପରେ ନଜର ରଖିଥିଲା। ଯେଉଁ ଘରେ ସେକ୍ସ ରାକେଟ ଚାଲୁଥିଲା, ତାହାର ଖବର ବିଶ୍ୱସ୍ତ ସୂତ୍ରରେ ପାଇବା ପରେ ଆଜି ଜଣେ ଏସଆଇ ଗ୍ରାହକ ସାଜି ସେଠାକୁ ଯାଇଥିଲେ। ସିଭିଲ ଡ୍ରେସରେ ଥିବା ବେଳେ ଦେହଜୀବୀମାନେ ପୁଲିସ ବୋଲି ଜାଣିପାରି ନ ଥିଲେ। ପୁଲିସ ଯିବା ସମୟରେ ଆଉ ତିନି ଜଣ ଗ୍ରାହକ ଥିଲେ। ଏସଆଇ ଜଣକ ଗ୍ରାହକ ସାଜି ମୂଲଚାଲ କରିଥିଲେ। ଦାମ ପଟିବା ପରେ ଏସଆଇ ଜଣକ ସେଠାରୁ ଚାଲି ଆସିଥିଲେ। ପରେ ଟାଉନ ଥାନା ପୁଲିସ ଆଇଆଇସି ସଂଗ୍ରାମ ପଟ୍ଟନାୟକଙ୍କ ନେତୃତ୍ୱରେ ସଦଳବଳେ ସେହି ଘରେ ଚଢାଉ କରିଥିଲେ। ଆପତ୍ତିଜନକ ଅବସ୍ଥାରେ ଯୁବତୀମାନେ ଥିବା ସମୟରେ ସେମାନଙ୍କୁ ପୁଲିସ ଧରିଥିଲା। ଯୁବକମାନଙ୍କୁ ମଧ୍ୟ ପୁଲିସ କାବୁ କରି ନେଇଥିଲା। ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଯଥା କୋଣ୍ଡମ, ଉଦ୍ଦୀପକ ଟାବଲାଟ ଆଦି ଜବତ ହୋଇଛି।