ହୋଟେଲରୁ ୫ ଯୋଡ଼ା ସନ୍ଦିଗ୍ଧ ପ୍ରେମୀଯୁଗଳ ଉଦ୍ଧାର

ଧଉଳି:ଧଉଳି ଥାନା ପୁଲିସ ଧଉଳି ଛକ ଅଞ୍ଚଳରେ ଥିବା ଏକ ହୋଟେଲରେ ଅତର୍କିତ ଚଢ଼ଉ କରି ୫ ଯୋଡ଼ା ସନ୍ଦିଗ୍ଧ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଛି । ସେମାନେ ସମସ୍ତେ ଛାତ୍ରଛାତ୍ରୀ ବୋଲି କୁହାଯାଉଛି । ତେବେ ସଂପୃକ୍ତ ପ୍ରେମୀ ଯୁଗଳଙ୍କୁ ପୁଲିସ ଥାନାରେ ସାରା ରାତି ଅଟକ ରଖିଥିଲା । ଥାନାରେ ଅଭିଯୁକ୍ତ ଯୁବକ ଯୁବତୀମାନଙ୍କୁ ପଚରାଉଚରା କରି ସେମାନଙ୍କ ପରିଚୟ ଓ ଠିକଣା ସଂଗ୍ରହ କରିଥିଲା । ମୋବାଇଲ ଫୋନରେ ସେମାନଙ୍କ ବାପା ମା’ଙ୍କୁ ଯୋଗାଯୋଗ କରିଥିଲା । ଆଜି ପୂର୍ବାହ୍ନରେ ସେମାନଙ୍କ ଅଭିଭାବକ ପହଞ୍ଚିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

ପୁଲିସ ସୂଚନା ଅନୁଯାୟୀ ସେମାନେ ସମସ୍ତେ ପୁରୀ ଅଭିମୁଖେ ଯାଉଥିଲେ । ଗତକାଲି ରାତି ସାଢ଼େ ୧୦ଟା ବେଳେ ହୋଟେଲରେ ପହଞ୍ଚି ରୁମ ବୁକ କରାଇଥିଲେ । ବିଳମ୍ବିତ ରାତିରେ ହୋଟେଲରେ ଯୁବକ ଯୁବତୀମାନଙ୍କୁ ଦେଖି ସ୍ଥାନୀୟ ଲୋକମାନଙ୍କର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା । ତେଣୁ ହୋଟେଲ ଭିତରେ ସେକ୍ସ ରୢାକେଟ ଚାଲିଥିବା ସମ୍ପର୍କରେ ଧଉଳି ଥା୍ନାକୁ ଫୋନ କରି ଜଣାଇଥିଲେ ।

ଖବର ପାଇ ପୁଲିସ ବିଭିନ୍ନ ରୁମରେ ଚଢ଼ଉ କରି ଯୁବକ ଯୁବତୀମାନଙ୍କୁ ଉଦ୍ଧାର କରିଥିଲା । ଏନେଇ ଧଉଳି ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ସେକ୍ସ ରୢାକେଟ ଚାଲୁଥିବା ସଂପର୍କରେ ଅଭିଯୋଗ ହେଉଛି । କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର