ଜୟପୁରରେ ସେକ୍ସ କାରବାର! ସୋସିଆଲ୍ ମିଡିଆ ମାଧ୍ୟମରେ ଚାଲିଛି ବେପାର

ଭୁବନେଶ୍ବର, କଲିକତା, ବିଶାଖାପାଟଣା, ବିଜୟନଗରମ ଓ ହାଇଦ୍ରାବାଦକୁ ବି ଚେର ଲମ୍ବିଛି; ରାତି ବଦଳରେ ଦିନରେ ଚାଲିଛି

ଜୟପୁର: ସେକ୍ସ କାରବାର ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ଜୟପୁର ସହରରେ ଚାଳିଛି। କିଛି ନାମୀ ଦାମୀ ଲଜ୍, ହୋଟେଲ ସହ କିଛି ଗଳି ଓ ସାହିରେ ଘରେ ବି ଚାଳିଛି ଏହି ଧନ୍ଦା। ଏଠାକୁ ଭୁବନେଶ୍ବର, କଲିକତା, ବିଶାଖାପାଟଣା, ବିଜୟନଗରମରୁ ଆସୁଛନ୍ତି ଦେହ ବ୍ୟବସାୟୀ ମହିଳା ଓ ଯୁବତୀ। ଭୁବନେଶ୍ବର, ବିଶାଖାପାଟଣା, ବିଜୟନଗରମ, ହାଇଦ୍ରାବାଦ ଓ କଲିକତା ଅଂଚଳର ଦଲାଲଙ୍କ ସହ ଏଠାକାର କିଛି ଦଲାଲ ଓ ରାଣୀମହୁମାଛୀ ମାନେ ଡିଲ୍ କରି ଆଣୁଛନ୍ତି। ଏପରିକି ଜୟପୁର ସହରରେ ବି ସରକାରୀ ଭାବେ ୩୦୦ରୁ ଉର୍ଦ୍ଧ୍ବ ଦେହ ବ୍ୟବସାୟୀ ମହିଳା ଓ ଯୁବତୀ ଥିବା ରେକର୍ଡ ରହିଛି।

ଉପରୋକ୍ତ ଅଂଚଳ ଗୁଡିକରୁ ଆସୁଥିବା ଦ୍ରୁତଗାମୀ ବସ ଓ ଟ୍ୟାକ୍ସି ଆଦିରେ ଏମାନେ ସକାଳୁ ଜୟପୁର ପହଚୁଂଛନ୍ତି। ଏଠାରେ କିଛି ଜଣ ରହିବା ପରେ ପଡୋଶୀ ଜିଲ୍ଲା ସମେତ ଛତିଶଗଡର ଜଗଦଲପୁର ବି ପଠା ଯାଉଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଓଡିଆ, ବଙ୍ଗୀୟ, ତେଲୁଗୁ ଯୁବତୀ ଓ ମହିଳା ମାନେ ବି ଆସୁଥିବା ଜଣାପଡିଛି। ବ୍ୟାପକ ଭାବେ ଗତ କିଛି ଦିନ ହେବ ଏହା ଚାଳୁଛି। ରାତିରେ ଲଜ୍ ଗୁଡିକ ଉପରେ ପୁଲିସର ଚଢ଼ାଉ କରାଯାଉଥିବାରୁ ଏସବୁ ସ୍ଥାନରେ ଦିନରେ ଏସବୁ ଚାଳିଛି। ରାତି ହେଲେ ସ୍ଥାନ ପରିବର୍ତ୍ତନ ହେଉଛି। ଲଜ୍ ବଦଳରେ ସହରର ବିଭିନ୍ନ ସାହି ଓ ଗଳିରେ ଥିବା ଭଡ଼ା ଘର ଗୁଡିକରେ ବି ଏହା ଚାଳୁଛି। ସହର ମଧ୍ୟରେ ସବୁ ସଭ୍ୟ ଲୋକ ରହୁଥିବା ସ୍ଥାନରେ ବି ଏଭଳି ହେଉଥିବା ସୂଚନା ମିଳିଛି।

ଏପରିକି ହ୍ବାଟସପ୍‌ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ରାଣୀ ମହୁମାଛି ଓ ଦଲାଲ ମାନେ ଫଟୋ ପଠାଉଛନ୍ତି। ତା ପରେ ବୁକିଂ ହେଉଛି। ଗ୍ରାହକଙ୍କ ତାଲିକାରେ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କଲେଜ ଛାତ୍ର, ବ୍ୟବସାୟୀ, ଗାଡି ଚାଳକ, ଅପରାଧି ଆଦି ବି ରହିଥିବା ସୂଚନା ମିଳିଛି। ଖାସ୍ କରି ଜୟପୁରରେ ଚାଳିଥିବା ଗଂଜେଇ ବ୍ୟବସାୟରେ ସାମିଲ ଥିବା ଯୁବବର୍ଗ ବି ଏହି ଦେହ ବ୍ୟବସାୟୀଙ୍କର ପ୍ରମୁଖ ଗ୍ରାହକ ରହିଥିବା ସୂଚନା ମିଳିଛି। ଭୁବନେଶ୍ବର, ବିଶାଖାପାଟଣା, ବିଜୟନଗରମ, କଲିକତା, ହାଇଦ୍ରାବାଦ, ବିଜୟୱାଡା ଆଦି ଅଂଚଳରେ ପୁଲିସର ଚଢ଼ାଉ ଜୋର ହେଲେ ସେମାନେ ସବୁ ଏଠାରେ ଆସି ବି ଆଡ୍ଡା ଜମାଉଥିବା ବି ସୂଚନା ମିଳିଛି।

ଏଭଳିକି ଦିନ ବେଳା ହିଁ ହୋଟେଲ ଗୁଡ଼ିକରେ ଏହି ଦେହ ବ୍ୟବସାୟୀ ଯୁବତୀ ଓମହିଳା ଓ ଗ୍ରାହକ ଅଲଗା ଅଲଗାରେ ରୁମ ବୁକ କରି ନିଜ ଧନ୍ଦା କରି ପରେ ରୁମ ଛାଡ଼ି ପଳାଉଥିବା ବି ଜଣେ ହୋଟେଲ ମ୍ୟାନଜର ଓ କର୍ମଚାରୀ କହିଛନ୍ତି। ଏମାନେ ପ୍ରତ୍ୟେକ ଦିନ ବିଭିନ୍ନ ବସ, ଟ୍ରେନ ଓ ସେୟରିଂ କାର ଗୁଡିକରେ ଆସୁଥିବାରୁ ପୁଲିସ ପ୍ରଶାସନ କିଭଳି ଜାଣି ପାରୁନି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ପୁଲିସ ବିଭିନ୍ନ ସମୟରେ ସୂଚନା ବଳରେ ଚଢ଼ାଉ କରୁଛି। ତେବେ ଚଢ଼ାଉ ପୂର୍ବରୁ ଚଢ଼ାଉର ସୂଚନା ପୁଲିସ ମଧ୍ୟରୁ କେହି ଲିକ୍ କରୁଥିବାରୁ ଏହି ଧନ୍ଦା ଧରା ପଡ଼ୁନି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ତେବେ ପୁଲିସର ଟ୍ରାଫରେ ଏହି ଦେହ ବ୍ୟବସାୟୀ ମାନେ କେବେ ଧରା ପଡ଼ିବେ ତାହା ସମୟ କହିବ।

ସମ୍ବନ୍ଧିତ ଖବର