ରାଉରକେଲା : ପୁଣି ସ୍ମାର୍ଟସିଟିରେ ଠାବ ହୋଇଛି ସେକ୍ସ ରାକେଟ୍। ଗତକାଲି ବିଳମ୍ବିତ ରାତିରେ ସେକ୍ଟର-୧୫ ପୁଲିସ ଟିମ୍ ସେକ୍ଟର-୧୩ର ଦୁଇଟି ପରିତ୍ୟକ୍ତ ଆର୍ଏସ୍ପି କ୍ବାର୍ଟର୍ସରେ ଚଢ଼ଉ କରିଥିଲା। କ୍ବାର୍ଟର୍ସରୁ ପୁଲିସ ଜଣେ ବି ଟେକ୍ ଛାତ୍ର, ରାକେଟ୍ର କିଙ୍ଗପିନ୍ ମହିଳା ସମେତ ଦୁଇ ବଙ୍ଗୀୟ ଯୁବତୀକୁ ଗିରଫ କରିଛି। ଦେହ ବେପାର ଚାଲିଥିବା କ୍ବାର୍ଟର୍ସରୁ ପୁଲିସ ବହୁ ଆପତ୍ତିଜନକ ସାମଗ୍ରୀ, ମୋଟରବାଇକ୍ (ଓଆର୍୧୪ଜି-୬୯୫୭), ତିନିଟି ମୋବାଇଲ୍, ନୋଟ୍ବୁକ୍, ନଗଦ ଅର୍ଥ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା। ଗିରଫ ଯୁବକ ଜଣକ ହେଲେ କୋଏଲନଗର ସି ବ୍ଲକର ମାନସ ରଞ୍ଜନ ମହାନ୍ତି (୨୮), କିଙ୍ଗପିନ୍ ମହିଳା ଜଣକ ହେଲେ ସେକ୍ଟର-୧୭ ସି -୪୦ର ଭାରତୀ ପାତ୍ର (୪୦)। ଅନ୍ୟ ଦୁଇ ବଙ୍ଗୀୟ ଯୁବତୀ ଦକ୍ଷିଣ ପଶ୍ଚିମବଙ୍ଗ ପର୍ଗଣା, ପୂର୍ବ ମେଦିନାପୁରର।
କିଙ୍ଗପିନ୍ ଭାରତୀ ପୂର୍ବରୁ ନିଜ କ୍ବାର୍ଟର୍ସରେ ସେକ୍ଟର-୧୭ ସି -୪୦ରେ ଦେହ ବେପାର ଚଳାଇଥିଲେ। ସେକ୍ଟର-୧୫ ପୁଲିସ ରାତି ଅଧିଆ ଚଢ଼ଉ କରି ୪ରୁ ଅଧିକ ବଙ୍ଗୀୟ ଯୁବତୀ, ଦୁଇ ଗ୍ରାହକଙ୍କ ସମେତ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଧରାପଡିବା ଭୟରେ ଭାରତୀ, ବି.ଟେକ୍ ଛାତ୍ର ମାନସ ସହ ମିଶି ସେକ୍ଟର-୧୩ର ପରିତ୍ୟକ୍ତ କ୍ବାର୍ଟର୍ସକୁ ବାଛି ଥିଲା । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୁଲିସ କହିବାନୁଯାୟୀ ସେକ୍ସରାକେଟ୍ର କିଙ୍ଗପିନ୍ ଭାରତୀ ଜେଲ୍ରୁ ବାହାରିବା ପରେ କିଛି ମାସ ଏହି କାମରୁ ଦୂରେଇ ଯାଇଥିଲା। ଗତ କିଛି ମାସ ପୁଣି ଦେହ ବେପାର କାମ ଆରମ୍ଭ କରିଥିଲା। ଅଧିକ ରୋଜଗାରର ଲୋଭ ଦେଖାଇ କୋଏଲନଗର ଅଞ୍ଚଳର ବି.ଟେକ୍ ଛାତ୍ର ମାନସକୁ ନିଜ କାମରେ ନିୟୋଜିତ କରିଥିଲା।
ସୁନ୍ଦରୀ ଯୁବତୀମାନଙ୍କୁ ରାଉରକେଲା ଆଣିବା, ଗ୍ରାହକଙ୍କ ସହ ଯୋଗାଯୋଗ, ଅର୍ଥ କାରବାର ସବୁ କିଛି ହ୍ୱାଟସଆପ୍ରେ ଚାଲିଥିଲା। ସହଜରେ ଧରା ନପଡିବାକୁ ସେକ୍ଟର-୧୩ର ଏ-୧୯୧,୧୯୨ ଦୁଇଟି ପରିତ୍ୟକ୍ତ ଆର୍ଏସ୍ପି କ୍ବାର୍ଟର୍ସକୁ ବାଛି ଥିଲେ। ଯେଉଁଠି ଦିନ ରାତି ସୁବେବେଳେ ଚାଲିଥିବା ହେହ ବେପାର। ସୁନ୍ଦରୀ ତରୁଣୀ ଯୋଗାଡରେ ମାଷ୍ଟର ଥିଲେ କିଙ୍ଗପିନ୍ ଭାରତୀ। ସେ ମୋବାଇଲରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ରାଉରକେଲାର ବିଭିନ୍ନ ଅଞ୍ଚଳର ଯୁବତୀଙ୍କୁ ନିଜ କ୍ବାର୍ଟର୍ସକୁ ଡାକୁଥିଲେ। ବିଭିନ୍ନ ସ୍ଥାନରେ ଭଡାଘର ନେଇ ସେମାନଙ୍କୁ ରଖୁଥିଲେ। ଗ୍ରାହକ ଯୋଗାଡ ହେବା ପରେ ପରିତ୍ୟକ୍ତ କ୍ବାର୍ଟର୍ସକୁ ଡାକି ଦେହ ବେପାର କରୁଥିଲେ। ଗତ ୧୧ ରେ ପଶ୍ଚମବଙ୍ଗ ୨୪ ପର୍ଗଣାର, ୧୯ରେ ପୂର୍ବ ମେଦିନାପୁରରୁ ଜଣେ ଲେଖାଏଁ ରୂପଜୀବୀଙ୍କୁ ରାଉରକେଲାକୁ ଆଣିଥିଲେ।
ଦୁହେଁ ଟ୍ରେନ୍ଯୋଗେ ରାଉରକେଲା ଷ୍ଟେସନ୍ରେ ପହଞ୍ଚିଥିଲେ। ସେଠାରୁ ମାନସ୍ ଓ ଭାରତୀ ଦୁହେଁ ସେମାନଙ୍କୁ ଭଡାରେ ଦେଇଥିବା କ୍ବାର୍ଟର୍ସରେ ରଖିଥିଲେ। ସେପଟେ ଦୁଇଟି ପରିତ୍ୟକ୍ତ କ୍ବାର୍ଟର୍ସ ଆଗରେ ଦିନ ଓ ରାତିରେ କାର୍, ମୋଟରବାଇକ୍ ଛିଡା ହେଉଥିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସେ ଏ ସଂକ୍ରାନ୍ତରେ ରାଉରକେଲା ଏସ୍ପିଙ୍କୁ ଜଣାଇଥିଲେ। ଏସ୍ପି ମୁକେଶ କୁମାର ଭାମୁ ଦେହ ବେପାର ଚାଲିଥିବା ଦୁଇ ପରିତ୍ୟକ୍ତ କ୍ବାର୍ଟର୍ସରେ ଚଢ଼ଉ କରିବାକୁ ସେକ୍ଟର-୧୫ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ଟିମ୍ ପରିତ୍ୟକ୍ତ କ୍ବାର୍ଟର୍ସରେ ଚଢ଼ଉ କରିଥିଲେ। ଗ୍ରାହକମାନେ ସେଠାରୁ ଫେରାର ହୋଇଯାଇଥିଲାବେଳେ ପୁଲିସ ରାକେଟ୍ର କିଙ୍ଗପିନ୍ ଭାରତୀ, ମାନସ ସମେତ ଦୁଇ ବଙ୍ଗୀୟ ଯୁବତୀକୁ ଗିରଫ କରିଥିଲା।