ରାଉରକେଲା: ବେଦବ୍ୟାସ ସ୍ଥିତ ଗୁରୁକୁଳ ବୈଦିକ ଆଶ୍ରମର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଯୌନ ନିର୍ଯାତନା ଘଟଣାରେ ସିଡବ୍ଲୁସି ତଦନ୍ତ ଜାରି ରଖିଛି। ଏହି କ୍ରମରେ ସିଡବ୍ଲୁସି ଆଶ୍ରମର ଜଣେ ଛାତ୍ରଙ୍କ ଠାରୁ ପୀଡ଼ିତ ଛାତ୍ରଙ୍କ ଏକ ଚିଠି ଜବତ କରିଛି। ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଚିଠିରେ ନିର୍ଯାତିତ ଛାତ୍ର ‘ମୁଁ ଚାଲି ଯାଉଛି, ବାପାମା’ ଆସିଲେ କହିବୁ, ମୋତେ ସେମାନେ କାହିଁକି ଭେଟିବାକୁ ଆସୁ ନଥିଲେ’ ଉଲ୍ଲେଖ ଥିବା ପ୍ରକାଶ ପାଇଛି। ତେବେ କେଉଁ ପରିସ୍ଥିତିରେ ଛାତ୍ର ଜଣକ ଏମିତି ଲେଖିଲେ, କେଉଁ କାରଣରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଓ ବାପାମାଙ୍କୁ କାହିଁକି ଖୋଜୁଥିଲେ ତା’ରି ଉପରେ ସିଡବ୍ଲୁସି ତଦନ୍ତ କରୁଥିବା ବେଳେ ନିର୍ଯାତନା କ୍ରମଶଃ ସ୍ପଷ୍ଟ ହେଉଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା ପ୍ରକାଶ କରିଛନ୍ତି। ତେବେ ଘଟଣାରେ ଶିକ୍ଷକଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ସେ କହିଛନ୍ତି।
ଏ ସମ୍ପର୍କିତ ବିସ୍ତତ ରିପୋର୍ଟ ରାଜ୍ୟ ଶିଶୁ ସୁରକ୍ଷା କମିଶନରଙ୍କୁ ଦିଆଯାଇଥିବା ଶ୍ରୀ ଜେନା ସମ୍ବାଦକୁ କହିଛନ୍ତି। ଅନ୍ୟପଟେ ପୁଲିସ ପୀଡ଼ିତ ଛାତ୍ରଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ୧୬୪ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳର ୧୨ ବର୍ଷିୟ ତପନ (ଛଦ୍ମନାମ)ଙ୍କୁ ୩ ସହପାଠୀ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ନଭେମ୍ବର ୧୦ ତାରିଖରେ ନିର୍ଯାତିତ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଦିନ ହିଁ ଆଶ୍ରମର ଜଣେ ଶିକ୍ଷକ ଅଞ୍ଜନ ସାର୍ ଛାତ୍ରଙ୍କ ମା’ଙ୍କୁ ଫୋନ୍ କରି ତୁରନ୍ତ ଆଶ୍ରମକୁ ପହଞ୍ଚିବାକୁ କହିଥିଲେ। ମା’ ତା’ ପରଦିନ ଅର୍ଥାତ ୧୧ରେ ଆଶ୍ରମକୁ ଆସିବା ପରେ ଆତ୍ମହତ୍ୟା ଉଦ୍ୟମ ଓ ନିର୍ଯାତନା କଥା ସାମ୍ନାକୁ ଆସିଥିଲା।
ଆଶ୍ରମକୁ ଆସିବାର ୫ ଦିନ ପରେ ଆଶ୍ରମର ୩ ଜଣ ଛାତ୍ର ତାଙ୍କୁ କ୍ରିକେଟ ପଡ଼ିଆକୁ ନେଇ ଯୌନ ନିର୍ଯାତନା ଦେଇଥିବା ଓ ପରବର୍ତ୍ତୀ ସମୟରେ ମଧ୍ୟ ଅନେକବାର ଏଭଳି କରିଥିବାରୁ ସେ ଜୀବନ ହାରିଦେବାକୁ ଚାହୁଥିଲେ ବୋଲି ପ୍ରକାଶ କରିଥିଲେ। ତେବେ ଏ ସ୍ଥିତିରେ ସ୍କୁଲ କର୍ତ୍ତୃପକ୍ଷ ପୁଅକୁ ନେଇ ଯିବାକୁ ମା’ ଉପରେ ଚାପ ପକାଇଥିଲେ। ହେଲେ ମା’ ଝାରସୁଗୁଡ଼ାର ସମାଜସେବୀ ପଦ୍ମିନୀ ସିଂହଙ୍କ ସହାୟତାରେ ୧୪ ତାରିଖରେ ଥାନାରେ ଏତଲା ଦେଇଥିଲେ। ଏବେ ପୁଲିସ ୩ ସହପାଠୀଙ୍କ ନାମରେ ପକ୍ସୋ ଓ ୩୭୭ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ତେବେ ଆଶ୍ରମ ଭିତରେ ନିରୀହ ଛାତ୍ର ଜଣକ ବାରମ୍ବାର ଯୌନ ନିର୍ଯାତନା ପାଇ ଆତ୍ମହତ୍ୟା ଉଦ୍ୟମ କରିବା ଯାଏ କଥା ଯିବା ପରେ ବି ଆଶ୍ରମ କର୍ତ୍ତୃପକ୍ଷ ଘଟଣାକୁ ଲୁଚାଇ ରଖିବା ଓ ଓଲଟା ମା’ଙ୍କୁ ଡାକି ପୁଅକୁ ନେଇ ଯିବାକୁ କହିବା ଆଶ୍ରମର କାର୍ଯ୍ୟକଳାପ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ଓ ସିଡବ୍ଲୁସି ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/rkl17.jpg)