ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା

କୁଚିଣ୍ଡା: ବୀରମହାରାଜପୁର କଲେଜର ଅଧ୍ୟାପକ ତଥା କୁଚିଣ୍ଡା କଲେଜର ପୂର୍ବ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ସଞ୍ଜିତ ନାୟକଙ୍କ ନାମରେ ‌‌ଜଣେ ଆଦିବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ମାମଲା ରହିଛି। ଗିରଫକୁ ଏଡ଼ାଇବା ପାଇଁ ସ୍ବାସ୍ଥ୍ୟ ଖରାପ ଥିବା ବାହାନା କରି ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ସେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କଠାରେ କରିଥିବା ଆଗୁଆ ଜାମିନ ଖାରଜ ହୋଇଯାଇଛି।

କୁଚିଣ୍ଡାରେ ଅଧ୍ୟାପକ ଥିବା ସମୟରେ ସଞ୍ଜିତ କୋଚିଂ ସେଣ୍ଟର ଖୋଲିଥିଲେ। ଆଦିବାସୀ ଛାତ୍ରୀ ଜଣକ ସେଠାରେ କୋଚିଂ ହେବା ସହ ଅଧ୍ୟାପକ ଖୋଲିଥିବା ହଷ୍ଟେଲରେ ରହୁଥିଲେ। ପରବର୍ତ୍ତୀ ସମୟରେ ଗରିବ ଆଦିବାସୀ ଛାତ୍ରୀଙ୍କ ସାହାଯ୍ୟ କରିବା ଆଳରେ କୋଚିଂ ସେଣ୍ଟରେ କମ୍ପ୍ୟୁଟର ଶିକ୍ଷକ ଭାବେ ନିଯୁକ୍ତି ଦେଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ୍‌ରେ କାମ କରାଇ ‌ଯୌନ ନିର୍ଯାତନା ଦେଉଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ରଖି ଯୁବତୀଙ୍କୁ ଯୌନ ଶୋଷଣ କରୁଥିଲେ। ପରବର୍ତ୍ତୀ ସମୟରେ ବରପାତ୍ରଙ୍କ ଘରକୁ ଏହି ଫଟୋ ପଠାଇ ବାହାଘର ବି ଭାଙ୍ଗି ଦେଇଥିଲେ। ୧୨ ବର୍ଷ ଧରି ସମ୍ପୃକ୍ତ ଯୁବତୀଙ୍କୁ ‌‌ଯୌନ ଶୋଷଣ କରୁଥିଲେ। ପରେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ମାତ୍ର ଗିରଫ କରି କୋର୍ଟ ଚାଲାଣ କରିବା ପୂର୍ବରୁ ମେଡିକାଲ ପରୀକ୍ଷା କରି ଡାକ୍ତରଖାନାକୁ ପଠାଇଥିଲେ। ତାଙ୍କର ହୃଦ୍‌ରୋଗ ସମସ୍ୟା ଥିବା ସନ୍ଦେହ କରି ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ବିଶେଷ କିଛି ସମସ୍ୟା ନଥିବା ଓ ଏବେ ସେ ବିପଦ ମୁକ୍ତ ଥିବା ଜଣାଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଅଗ୍ରୀମ ଜାମିନ ଆବେଦନ ଖାରଜ ହେବା ପରେ ସେ ପୁଣି ଉଚ୍ଚ କୋର୍ଟରେ ଜାମିନ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର