ବରଗଡ଼: ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ନବନିର୍ମିତ ଜୀରା ବ୍ରିଜ୍ ଯାଏଁ ଜବରଦଖଲ ଉଚ୍ଛେଦ ନେଇ ପୌର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପୂର୍ବରୁ ଗଠିତ ଯାଞ୍ଚ କମିଟି ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ତୃତୀୟ ବୈଠକ ପରେ ଜବରଦଖଲ ଉଚ୍ଛେଦ ନେଇ ବାଟ ଫିଟିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଜବରଦଖଲକାରୀଙ୍କୁ ଦୁଇଦିନ ମହଲତ ଦିଆଯାଇଛି। ନୋଟିସ୍ ବି ଜାରି ହୋଇଛି। ଶୁକ୍ରବାର ଅପରାହ୍ଣରେ ପୌର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ଏ ସଂପର୍କରେ ପ୍ରଚାର ବି କରାଯାଇଛି।
କମିଟିର ନିଷ୍ପତ୍ତି ଉପରେ ଜିଲ୍ଲାପାଳ ସବୁଜ ସଙ୍କେତ ଦେବା ପରେ ପୌର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଖାଲିଆଖିରେ ସବୁ ପ୍ରକ୍ରିୟା ଠିକ୍ଠାକ୍ ଲାଗୁଛି। ତେବେ ଏହାର କାର୍ଯ୍ୟକାରିତା ଉପରେ ସନ୍ଦେହ ବି ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଲେଙ୍ଗୁ ମିଶ୍ର ଛକଠାରୁ ଜୀରା ସେତୁ ଯାଏଁ ସରକାରୀ ରାସ୍ତା ଓ ସରକାରୀ ଜାଗା ଉପରେ ମାଡ଼ି ବସିଥିବା ବ୍ୟବସାୟୀ ଏବଂ ମୁଷ୍ଟିମେୟ ଲୋକଙ୍କୁ ୪୮ଘଣ୍ଟା ଭିତରେ ଜାଗା ଖାଲି କରିବାକୁ କହାଯାଇଛି। ନଚେତ୍ ପ୍ରଶାସନର ବୁଲ୍ଡୋଜର୍ ବୁଲିବ ବୋଲି ପୂର୍ବରୁ ସୂଚନା ଜାରି ହୋଇଛି। ଏହା ସହିତ ଉକ୍ତ ଜବରଦଖଲ ରାସ୍ତାକୁ ପୁଣିଥରେ ମାପଚୁପ ଆରମ୍ଭ କରାଯିବା ପରେ ସାଧାରଣରେ ପ୍ରବଳ ଉତ୍ସୁକତା ପ୍ରକାଶ ପାଇଛି। ବରଗଡ଼ ଆର୍ଆଇ ସଞ୍ଜୀବ ମିଶ୍ରଙ୍କ ନେତୃତ୍ବରେ ଉଭୟ ପୌର ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ପୁଲିସ ଫୋର୍ସ ଉପସ୍ଥିତିରେ ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାଂଚ କମିଟିକୁ ହସ୍ତଗତ ହୋଇଥିବା ନୂତନ ମ୍ୟାପ୍ ଓ ନକ୍ସା ଆଧାରରେ ରାସ୍ତାର ଉଭୟ ପାର୍ଶ୍ବରେ ଲାଲ ରଙ୍ଗ ଦେଇ ସୀମା ଚିହ୍ନଟ କରିଥିଲେ।