କୋରାପୁଟ: କୋରାପୁଟ ପୁଲିସର ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ପୁଣି ରମାଣ୍ଡାରେ ଯାଇଛି ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସୀ ଶଙ୍କର ଓରଫ୍ ମହେନ୍ଦ୍ର ଓରଫ୍ ଅରୁଣ ଓରଫ୍ ରମେଶ ଓରଫ୍ ଆରଏମ୍ ଓରଫ୍ ମହେଶ। ଏଥର କୋରାପୁଟ, ମାଲକାନଗିରି କି ରାୟଗଡା ନୁହେଁ ରିମାଣ୍ଡରେ ନେଇଛି ଆନ୍ଧ୍ର ପୁଲିସ।
ବିଜୟନଗରମ୍ ପୁଲିସ (ଗ୍ରାମାଂଚଳ) ୨୫ ଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାପଡିଛି। କୋରାପୁଟରେ ୩ଟି ଓ ମାଲକାନଗିରି ଜିଲ୍ଲାରେ ରହିଥିବା ୧୮ଟି କେଶକୁ ଛାଡି ଆନ୍ଧ୍ର ପୁଲିସ ବାକି ୫୬ ଟି ମାମଲାର ତଦନ୍ତ ପାଇଁ ଶଙ୍କରକୁ ରିମାଣ୍ଡରେ ନେଇଥିବା ଜଣାପଡିଛି। ଚଳିତମାସ ୧୧ ତାରିଖରେ ଜୟପୁର ଏସଡିଜେଏମ୍ କୋର୍ଟରେ ବିଜୟନଗରମ୍ ପୁଲିସ ଆବେଦନ କରିବା ପରେ କୋର୍ଟ ୨୫ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ। ଜୟପୁରରୁ ସ୍ୱତନ୍ତ୍ର ଏସକର୍ଟରେ ଶଙ୍କରକୁ ବିଜୟନଗରମ୍କୁ ନିଆଯାଇଥିବା ଜଣାପଡିଛି। ବିଜୟନଗରମ୍ରେ ରଖାଯାଇ ଜେରା କରାଯାଇଥିବା ଜଣାପଡିଛି। ପୁଲିସ ଶଙ୍କରକୁ ନଭେମ୍ବର ୪ ତାରିଖରେ ଆଣି କୋର୍ଟଙ୍କ ନିକଟରେ ଉପସ୍ଥିତ କରାଇବ ବୋଲି ଜଣାପଡିଛି। ଦୁବାସୀ ବିରୋଧରେ କୋରାପୁଟରେ ୨, ମାଲକାନଗିରିରେ ୧୮, ବିଶାଖାପାଟଣାରେ ୩୨ ଓ ତେଲେଙ୍ଗାନାରେ ୨୪ ମାମଲା ରହିଛି। ଏବେ ସୁଦ୍ଧା ତା ବିରୋଧରେ ୭୬ଟି ମାମଲା ଥିବା ଜଣାପଡ଼ିଛି।
ଗତମାସ ୨୩ ତାରିଖରେ କୋରାପୁଟ ପୁଲିସ, ଦୁର୍ଦ୍ଦନ୍ତ ମାଓବାଦୀ ଦୁବାସୀ ଶଙ୍କରଙ୍କୁ ରିମାଣ୍ଡରେ ଆଣିଥିଲା। କୋରାପୁଟ ପୁଲିସ ରିମାଣ୍ଡ ଶେଷ କରିଥିବାବେଳେ ଜୟପୁର କୋର୍ଟରେ ହଜାର କରାଯାଇଥିଲା। ଏହାସହ ଆଉ ଅଧିକ ୫ ଦିନ ରିମାଣ୍ଡରେ ଅଣାଯିବାକୁ କୋର୍ଟଙ୍କ ନିକଟରେ ନିବେଦନ କରାଯାଇ ଥିବାବେଳେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ କୋର୍ଟ। ଏହାପରେ ତାଙ୍କୁ ଜୟପୁର କୋର୍ଟକୁ ପଠାଯାଇଥିଲା।
ତେବେ ଶଙ୍କର ଏହି ରିମାଣ୍ଡ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସକୁ ଦେଇଥିଲା। ବ୍ୟାଙ୍କ ତଥ୍ୟଠାରୁ ଆରମ୍ଭ କରି ମାଓବାଦୀଙ୍କ ବିଭିନ୍ନ କାର୍ଯ୍ୟାକଳାପ ସମ୍ପର୍କରେ ତଥ୍ୟ ଦେଇଥିଲାବେଳେ ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ମଧ୍ୟ ଶଙ୍କରକୁ ଦୁଇ ଦିନ ଜେରା କରିଥିଲା। ଏହି ଜେରା ମଧ୍ୟରେ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ମଧ୍ୟ ସମ୍ମୁଖରେ ରଖାଯାଇ ଜେରା କରାଯାଇଥିଲା। ପରେ ଏକକ ଭାବେ ଭିନ୍ନ ଭିନ୍ନ ଭାବେ ଜେରା କରିଥିଲେ ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ ରାଜ୍ୟର ପୁଲିସର ସ୍ୱତନ୍ତ୍ର ଟିମ୍।
ସୂଚନାଯୋଗ୍ୟ, ସେପ୍ଟଟର ମାସ ୧୪ ତାରିଖରେ ଶଙ୍କରକୁ ଗିରଫ କରିଥିଲା କୋରାପୁଟ ପୁଲିସ। ଶଙ୍କର ନାଁରେ ଏକାଧିକ ମାମଲା ଥିଲା। ଦୀର୍ଘ ୩୪ ବର୍ଷ ଧରି ଉଭୟ ଓଡ଼ିଶା ଓ ଆନ୍ଧ୍ର ସୀମାର ମାଓସଂଗଠନରେ ସକ୍ରିୟ ରହିଥିଲା। ଆନ୍ଧ୍ର-ଓଡ଼ିଶା ସୀମାରେ ସ୍ପେଶାଲ ଜୋନାଲ୍ କମିଟିର ସଦସ୍ୟ ରହିଥିଲାବେଳେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡରେ କରୁଥିଲା ରାଜ୍ କରୁଥିଲା। ବୈପାରୀଗୁଡ଼ାର ପେଟାଗୁଡ଼ା ଜଙ୍ଗଲରେ ଡିଭିଏଫ୍, ଏସ୍ଓଜି ଏବଂ ବିଏସ୍ଏଫ୍ର ମିଳିତ ଅପରେସନ ବେଳେ ତା’କୁ ଗିରଫ କରାଯାଇଥିଲା। ଦୁବାସୀ ନିକଟରୁ ଇନସାସ୍ ରାଇଫଲ୍, ୧୦ ରାଉଣ୍ଡ ଗୁଳି, ମୋବାଇଲ ଫୋନ୍, ନଗଦ ୩୫ ହଜାର ଟଙ୍କା ଜବତ କରାଯାଇଥିଲା। ଦୁବାସୀ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ୧୯୮୭ରେ ମାଓ ସଂଗଠନର ତେଲେଙ୍ଗାନା ଇନ୍ଦ୍ରପୁରିଆଲ ଏରିଆ କମିଟିରେ ଯୋଗ ଦେଇଥିଲା। ୨୦୦୩ରେ ପଦୋନ୍ନତି ପାଇ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସାଲ ଜୋନାଲ୍ କମିଟି ସଦସ୍ୟ ହୋଇଥିଲା। ସେହିପରି ୨୦୧୦ରେ ଷ୍ଟେଟ୍ ମିଲିଟାରି କମିସନରେ ଯୋଗ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/d3e5efc8-237c-4cd4-862b-d9f376581157.jpg)