ମକର କୁମାରେ ନିଆଁ ଲଗାଇବାକୁ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ

ବାରିପଦା: ମକର ପର୍ବ ପାଳନ ଅବସରରେ ପାହାନ୍ତା ସମୟରେ ମକର କୁମାରେ ନିଆଁ ଲଗାଇବାର ପରମ୍ପରା ରହିଛି। ଯୁବତୀମାନେ ଏହା କଲେ ଶୁଭ ମିଳିଥାଏ ବୋଲି ବିଶ୍ବାସ ରହିଛି । ମାତ୍ର କିଏ ଜାଣିଥିଲା ଏହି ପରମ୍ପରା ହିଁ ଜଣେ ଯୁବତୀଙ୍କ ପାଇଁ କାଳ ହେବ। ଘର ନିକଟସ୍ଥ ଏକ ପଡ଼ିଆକୁ ମକର କୁମାରେ ନିଆଁ ଲଗାଇବାକୁ ଯାଇଥିବା ବେଳେ ଆଜି ଭୋର ପ୍ରାୟ ୩ଟା ସମୟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଲଜ୍ଜା ସାମ୍ନାକୁ ଆସିଛି। ବାରିପଦା ଟାଉନ୍‌ ଥାନା ଅଞ୍ଚଳରେ ଘଟିଥିବା ଏପରି ଘଟଣା ମକର ପର୍ବ ଅବସରରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହି କୁକର୍ମରେ ସଂପୃକ୍ତ ଜଣେ ନାବାଳକକୁ ବାରିପଦା ଟାଉନ୍ ଥାନା ପୁଲିସ୍‌ ଅଟକ ରଖିଥିବାବେଳେ ଅନ୍ୟତମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ପିଡ଼ୀତା ଜଣଙ୍କ ଆଜି ମକର ପର୍ବର ପରମ୍ପରା ପାଳନ ନିମନ୍ତେ ତାଙ୍କ ଘର ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ୱାର୍ଡ ନଂ-୨୪ କାଳିକାପୁର ଅଞ୍ଚଳର ସାନୁ ସିଂ(୨୫) ଏବଂ ତା’ର ଜଣେ ନାବାଳକ(୧୭) ସହଯୋଗୀ ପୀଡ଼ିତାଙ୍କୁ ଏକୁଟିଆ ଦେଖି ତାଙ୍କୁ ବଳପୂର୍ବକ ନିକଟସ୍ଥ ନଦୀ ପାର୍ଶ୍ବସ୍ଥ ପଡ଼ିଆକୁ ଟେକି ନେଇଥିଲେ । ଯୁବତୀ ଜଣଙ୍କ ଅଭିଯୁକ୍ତଙ୍କଠାରୁ ଖସିବାକୁ ବହୁଚେଷ୍ଟା କରି ବିଫଳ ହୋଇଥିଲେ। ଅଗତ୍ୟା ପୀଡ଼ିତାଙ୍କ ଅଭିଯୁକ୍ତ ସାନୁ ସିଂ ଏବଂ ନାବାଳକ ଜଣଙ୍କ କୁକର୍ମ କରିଥିଲେ। ପରେ ଯୁବତୀଜଣଙ୍କ ଦୁଷ୍କର୍ମକାରୀଙ୍କ ନିକଟରୁ କୌଶଳକ୍ରମେ ଖସିଆସିଥିଲେ। ସକାଳୁ ନିଜ ବଡ଼ ଭଉଣୀଙ୍କୁ ଏସମ୍ପର୍କରେ ସବୁକଥା କହିବା ପରେ ପିଡ଼ୀତା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଉ ପାଉ ହିଁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଏହି ଘଟଣା ପୂର୍ବରୁ ମଧ୍ୟ କୁକର୍ମକାରୀ ସାନୁ ପିଡ଼ୀତାଙ୍କ ପ୍ରତି ପାଶବିକ ଅତ୍ୟାଚାର କରିଛି। ମାତ୍ର ଭୟରେ ପୁଲିସ୍‌କୁ ଏସମ୍ପର୍କରେ ଅଭିଯୋଗ କରିପାରିନଥ‌ିଲେ ପିଡ଼ୀତା। ଏଥର ମଧ୍ୟ ପିଡ଼ୀତାଙ୍କୁ ଅଭିଯୁକ୍ତମାନେ ଧମକଚମକ ଦେଇ ଭୟଭୀତ କରିଥିବା ଜଣାପଡ଼ିଛି। ପିଡ଼ୀତାଙ୍କ ପିତା ମାତା ତାମିଲନାଡ଼ୁରେ କାମ କରୁଥିବ‌ାବେଳେ ସେ ନିଜ ବଡ଼ ଭଉଣୀଙ୍କ ସହିତ ଘରେ ରୁହନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୭୬(ଡି) ଅନୁସାରେ କେସ ନମ୍ବର ୫୭/୨୦୨୧ରେ ଏକ ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛି। ପିଡ଼ୀତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତଙ୍କ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିବା ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତ ଏବଂ ନାବଳାକକୁ କଡ଼ା ଦଣ୍ଡ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର