ଦୁର୍ଦ୍ଦାନ୍ତ ମାଓବାଦୀ ଶଙ୍କରର ରିମାଣ୍ଡ ଶେଷ, ୫ ଦିନିଆ ରିମାଣ୍ଡ ଆଦେନକୁ ଅଗ୍ରାହ୍ୟ କଲେ କୋର୍ଟ

କୋରାପୁଟ: ଶେଷ ହୋଇଛି ଦୁର୍ଦ୍ଦନ୍ତ ମାଓବାଦୀ ଦୁବାସୀ ଶଙ୍କର ଓରଫ୍ ମହେନ୍ଦ୍ର ଓରଫ୍ ଅରୁଣ ଓରଫ୍ ରମେଶ ଓରଫ୍ ଆରଏମ୍ ଓରଫ୍ ମହେଶର ରିମାଣ୍ଡ । କୋରାପୁଟ ପୁଲିସ ଆଜି ୯ ଦିନିଆ(ପ୍ରଥମେ ୪ ଦିନ ଓ ପରେ ୫ ଦିନ)ରିମାଣ୍ଡ ଶେଷ କରିଥିବାବେଳେ ତାକୁ ଜୟପୁର କୋର୍ଟରେ ଉପସ୍ତାପନ କରାଯାଇଛି । ଏହାସହ ଆଉ ଅଧିକ ୫ ଦିନ ରିମାଣ୍ଡରେ ଅଣାଯିବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଥିବାବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ । ଏହାପରେ ତାଙ୍କୁ ଜୟପୁର କୋର୍ଟକୁ ପଠାଯାଇଛି । ତେବେ ଶଙ୍କର ଏହି ରିମାଣ୍ଡ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସକୁ ଦେଇଛି । ବ୍ୟାଙ୍କ ତଥ୍ୟଠାରୁ ଆରମ୍ଭ କରି ମାଓବାଦୀଙ୍କ ବିଭିନ୍ନ କାର୍ୟ୍ୟାକଳାପ ସମ୍ପର୍କରେ ତଥ୍ୟ ଦେଇଛି । ଏହାମଧ୍ୟରେ ଜାତୀୟ ତଦନ୍ତାକରୀ ସଂସ୍ଥାର ଏକ ଟିମ୍ ମଧ୍ୟ ଶଙ୍କରକୁ ଦୁଇ ଦିନ ଜେରା କରିଛି । ଏହି ଜେରା ମଧ୍ୟରେ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ମଧ୍ୟ ସମ୍ମୁଖେରେ ରଖାଯାଇ ଜେରା କରାଯାଇଥିଲା । ପରେ ଏକକ ଭାବେ ଭିନ୍ନ ଭିନ୍ନ ଭାବେ ଜେରା କରିଥିଲେ ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ ରାଜ୍ୟର ପୁଲିସର ସ୍ୱତନ୍ତ୍ର ଟିମ୍ । ଏହି ତଦନ୍ତ କରି ଫେରିଥିବାବେଳେ ସେମାନଙ୍କୁ ବହୁ ତଥ୍ୟ ଦେଇଥିବା ଜଣାପଡିଛି । ଏହାସହ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପୁଲିସ ମଧ୍ୟ ଶଙ୍କରକୁ ଜେରା କରିଥିବା ଜଣାପଡିଛି ।

ଚଳିତମାସ ୧୪ ତାରିଖରେ ଶଙ୍କରଙ୍କୁ ଗିରଫ କରିଥିଲା କୋରାପୁଟ ପୁଲିସ । ପୁଲିସ ଡିଜି ଅଭୟ ନେଇ ଭୂବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । ଶଙ୍କର ଏକାଧିକ ନାଁରେ ଦୀର୍ଘ ୩୪ ବର୍ଷ ଧରି ଉଭୟ ଓଡ଼ିଶା ଓ ଆନ୍ଧ୍ରରେ ସକ୍ରିୟ ରହିଥିଲା । ଆନ୍ଧ୍ର-ଓଡ଼ିଶା ସୀମାରେ ସ୍ପେଶାଲ ଜୋନାଲ୍ କମିଟିର ସଦସ୍ୟ ରହିଥିଲାବେଳେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡରେ କରୁଥିଲା ରାଜ୍ । ବୈପାରୀଗୁଡ଼ାର ପେଟାଗୁଡ଼ା ଜଙ୍ଗଲରେ ଡିଭିଏଫ୍, ଏସ୍ଓଜି ଏବଂ ବିଏସ୍‌ଏଫ୍‌ର ମିଳିତ ଅପରେସନ ବେଳେ ତା’କୁ ଗିରଫ କରାଯାଇଥିଲା। ଦୁବାସୀ ନିକଟରୁ ଇନସାସ୍ ରାଇଫଲ୍, ୧୦ ରାଉଣ୍ଡ ଗୁଳି, ମୋବାଇଲ ଫୋନ୍, ନଗଦ ୩୫ ହଜାର ଟଙ୍କା ଜବତ କରାଯାଥିଲା। ଦୁବାସୀ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଦୁବାସୀ ମାଓ ସଂଗଠନର ଜଣେ ଦୁର୍ଦ୍ଦାନ୍ତ ସଦସ୍ୟ ଥିଲା। ୧୯୮୭ରେ ମାଓ ସଂଗଠନର ତେଲେଙ୍ଗାନା ଇନ୍ଦ୍ରପୁରିଆଲ ଏରିଆ କମିଟିରେ ଯୋଗ ଦେଇଥିଲା।

୨୦୦୩ରେ ପଦୋନ୍ନତି ପାଇ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସାଲ ଜୋନାଲ୍ କମିଟି ସଦସ୍ୟ ହୋଇଥିଲା। ସେହିପରି ୨୦୧୦ରେ ଷ୍ଟେଟ୍ ମିଲିଟାରି କମିସନରେ ଯୋଗ ଦେଇଥିଲା। ଦୁବାସୀ ବିରୋଧରେ କୋରାପୁଟରେ ୨, ମାଲକାନଗିରିରେ ୧୮, ବିଶାଖାପାଟଣାରେ ୩୨ ଓ ତେଲେଙ୍ଗାନାରେ ୨୪ ମାମଲା ରହିଛି। ଏବେ ସୁଦ୍ଧା ତା ବିରୋଧରେ ୭୬ଟି ମାମଲା ଥିବା ଜଣାପଡ଼ିଛି। ଗତ ୨୦ ବର୍ଷ ଭିତରେ ଏଭଳି ଏକ ପାହ୍ୟାର ମାଓବାଦୀ ଧରାପଡ଼ିବା ବିରଳ ଘଟଣା। ଦୁବାସୀର ଅପରାଧ ରେକର୍ଡ ବେଶ୍ ଲମ୍ବା ରହିଥିଲାବେଳେ ୨୦୦୯ ଦାମନଯୋଡ଼ି ବକ୍ସାଇଟ୍ ଖଣି ସୁରକ୍ଷା ଦାୟିତ୍ବରେ ଥିବା ୧୦ ସିଆଇଏସଏଫ୍ ଯବାନଙ୍କୁ ହତ୍ୟା ମାମଲାରେ ସେ ସାମିଲ ରହିଥିଲା। ସେହିପରି ୨୦୧୦ ଏପ୍ରିଲ ୪ ତାରିଖରେ ବୈପାରୀଗୁଡ଼ା ଗୋବିନ୍ଦପାଲ୍ଲୀରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୧୧ ଜଣ ପୁଲିସ କର୍ମଚାରୀ ସହିଦ ଘଟଣାରେ ଦୁବାସୀ ଅନ୍ୟତମ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଏହାଛଡ଼ା ଚିତ୍ରକୋଣ୍ଡାର ଜହ୍ନିଗୁଡ଼ାରେ ଆମ୍ବୁସ୍ କରି ବିଏସ୍ଏଫ୍ କମାଣ୍ଡାଣ୍ଟ ଓ ୩ ବିଏସଏଫ୍ ଯବାନଙ୍କୁ ହତ୍ୟା ଘଟଣାରେ ଦୁବାସୀ ସମ୍ପୃକ୍ତ ଥିଲା। ପଣସପୁଟ, ଯୋଡ଼ାଆମ୍ବ ସମେତ ଏକାଧିକ ମାଓ ହିଂସାରେ ମଧ୍ୟ ସେ ସାମିଲ ଥିଲା।

ସମ୍ବନ୍ଧିତ ଖବର